ସ୍ବାଧୀନତା ଦିବସରେ ଡ୍ରୋନ୍ ଆକ୍ରମଣ ଆଶଙ୍କା, ଲାଲ କିଲ୍ଲା ବନ୍ଦ


ଲାଲ କିଲ୍ଲା (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଚଳିତ ମାସ ପ୍ରାରମ୍ଭରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନାର ସାମରିକ ଘାଟିରେ ଡ୍ରୋନ୍ ଆକ୍ରମଣ ହେବା ସହ ଏକାଧିକ ବାର ଡ୍ରୋନ୍‌କୁ ଠାବ କରାଯାଇଛି। ପାକିସ୍ତାନରେ ପ୍ରତିପାଳିତ ଆତଙ୍କୀ ସଂଗଠନଗୁଡ଼ିକ ଡ୍ରୋନ୍ ମାଧ୍ୟମରେ ଭାରତର ସ୍ଥିତି ଉପରେ ନଜର ରଖି କୌଣସି ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ବାସ୍ତବ ରୂପ ଦେବା ସକାଶେ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି। ତେଣୁ ବରାବର ଡ୍ରୋନ୍ ଠାବ କରାଯାଉଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ଅବସରରେ ଆତଙ୍କୀମାନେ ଡ୍ରୋନ୍ ମାଧ୍ୟମରେ କୌଣସି ପ୍ରକାର ଅଘଟଣ ଘଟାଇବାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏବେଠାରୁ ଲାଲକିଲ୍ଲା ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି। ଏଥିସକାଶେ ଦିଲ୍ଲୀ ପୋଲିସ୍ ଅଧିକାରୀମାନଙ୍କୁ ସବୁବେଳେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି।

ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଅଦ୍ୟାବଧି ସଂଗ୍ରହ କରାଯାଇଥିବା ତଥ୍ୟାନୁସାରେ, ଡ୍ରୋନ୍ ମାଧ୍ୟମରେ ପାକିସ୍ତାନଭିତ୍ତିକ ଆତଙ୍କୀ ସଂଗଠନର ସଦସ୍ୟମାନେ ଭାରତରେ ବଡ଼ ଧରଣର ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ତେଣୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ଦିଲ୍ଲୀ ପୋଲିସକୁ ଏନେଇ ସତର୍କ କରାଇ ଦିଆଯାଇଛି। ଆସନ୍ତା ଅଗଷ୍ଟ ୫ ତାରିଖରେ ମଧ୍ୟ ଆତଙ୍କୀମାନେ ଡ୍ରୋନ୍ ମାଧ୍ୟମରେ ଅଘଟଣ ଘଟାଇବାର ଆଶଙ୍କା ରହିଛି। କାରଣ ଉକ୍ତ ଦିନ ୨୦୧୯ରେ କେନ୍ଦ୍ର ସରକାର ସମ୍ବିଧାନରୁ ଧାରା ୩୭୦ ପ୍ରତ୍ୟାହାର ପୂର୍ବକ ଜମ୍ମୁ-କଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହଟାଇ ନେଇଥିଲେ। ଏହାକୁ ପାକିସ୍ତାନ ଘୋର ବିରୋଧ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ପାଇଁ ଉଦ୍ୟମ କରିଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହି ଅନ୍ତର୍ଜାତୀୟ ସମୂହ ଏହାକୁ ଖାରଜ କରିଥିଲା। ତେବେ ଆତଙ୍କୀମାନେ ଜମ୍ମୁ-କଶ୍ମୀରରେ ସେମାନଙ୍କ ଆଧିପତ୍ୟ ଜାହିର କରିବାରେ ସକ୍ଷମ ହେଉ ନ ଥିବାରୁ ରାଜଧାନୀ ଦିଲ୍ଲୀରେ ଅଘଟଣ ଘଟାଇ କେନ୍ଦ୍ର ସରକାରଙ୍କୁ କଡ଼ା ଜବାବ ଦେବା ପାଇଁ ସୁଯୋଗ ଉଣ୍ଡୁଛନ୍ତି। ଅବଶ୍ୟ ଦିଲ୍ଲୀ ପୋଲିସ୍ କୌଣସି ପ୍ରକାର ଅଘଟଣକୁ ରୋକିବା ସକାଶେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏଥିସକାଶେ ଦିଲ୍ଲୀ ପୋଲିସ୍ ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ କେଣ୍ଟ୍ରୋଲ୍ ରୁମ୍ ପ୍ରତିଷ୍ଠା କରାଯାଇଛି। ତା’ଛଡ଼ା ଡ୍ରୋନ୍ ଆକ୍ରମଣର ମୁକାବିଲା କରିବା ପାଇଁ ଦିଲ୍ଲୀ ପୋଲିସର କର୍ମଚାରୀ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟମାନଙ୍କୁ ସ୍ବତନ୍ତ୍ର ପ୍ରକାର ଟ୍ରେନିଂ ଦିଆଯାଇଛି। ଗତବର୍ଷ ଲାଲକିଲ୍ଲାରେ ଦୁଇଟି ସ୍ବତନ୍ତ୍ର ଧରଣର ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ଲଗାଯାଇଥିବା ବେଳେ ଚଳିତ ବର୍ଷ ଆହୁରି ୪ଟି ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଲଗାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ