ନୀଳକନ୍ଦରକୁ ବାହୁଡ଼ିଲେ ମହାବାହୁ: ଆଜି ସୁନାବେଶ


ସିଂହଦ୍ବାର ସମ୍ମୁଖରେ ତିନି ରଥ
ପୁରୀ: ବାହୁଡ଼ିଲେ ମହାବାହୁ। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ଭକ୍ତଶୂନ୍ୟ ଘୋଷଯାତ୍ରା ଭଳି କ୍ରମାଗତ ଦ୍ୱିତୀୟ ଥର ପାଇଁ ସୁରୁଖୁରୁରେ ସରିଲା ବିନା ଭକ୍ତରେ ବାହୁଡ଼ାଯାତ୍ରା। ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସତ୍ତ୍ବେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି। ପ୍ରଥମେ ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ସବା ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା। ତିନି ରଥ ଆସି ପହଞ୍ଚିବାପରେ ସେବାୟତମାନେ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଛନ୍ତି। ନୀତି ନିର୍ଘଣ୍ଟ ଅନୁସାରେ ବାହୁଡ଼ାଯାତ୍ରାର ସମସ୍ତ ନୀତି ସମ୍ପନ୍ନ ହୋଇଛି। ଅନ୍ୟପଟେ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ, ତା’ ପରଦିନ ଅଧରପଣା ଓ ତା’ ପରଦିନ ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହେବ।

ଘଣ୍ଟଘଣ୍ଟା ଶଙ୍ଖ ଧ୍ୱନୀ ସାଙ୍ଗକୁ ହରିବୋଲ ଶବ୍ଦରେ କମ୍ପୁଥିଲା ବଡ଼ଦାଣ୍ଡ। ଆଉ ଜନ୍ମବେଦୀରେ ଲୀଳାଖେଲା ସାରି ସଅଳ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ ତିନିଠାକୁର। ସକାଳୁ ସକାଳୁ ଆଡ଼ପ ମଣ୍ଡପରେ ତିନିଠାକୁରଙ୍କ ନୀତିକାନ୍ତି ସରିବା ପରେ ଢେର ଆଗରୁ ଅର୍ଥାତ୍ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା। କଡ଼ା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିଥିଲେ ସେବାୟତ। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି କରାଯାଇଥିଲା। ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ରଥରେ ବିରାଜମାନ ହୋଇଥିଲେ। ବଡ଼ ଭାଇ ରଥରେ ଉପରେ ପହଞ୍ଚିବା ପରେ ଗୁଣ୍ଡିଚା ମନ୍ଦିରରୁ ବାହାରି ଆସିଥିଲେ ଦେବୀ ସୁଭଦ୍ରା। ଧାଡ଼ି ପହଣ୍ଡିରେ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣିଥିଲେ ସେବାୟତ। ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ଆସି ରଥାରୂଢ଼ ହୋଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ।

ଅନ୍ୟ ନୀତିକାନ୍ତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆରମ୍ଭ ହୋଇଥିଲା ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ। ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଲା। ତା ପଛକୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ସବା ଶେଷରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ତିନି ରଥକୁ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ। ଶରଧାବାଲିରୁ ସିଂହଦ୍ୱାର। ଭକ୍ତ ନ ଥିଲେ, ହେଲେ ବାହୁଡ଼ା ରଥ ଗଡ଼ିବା ସହିତ ମଝିରେ ମଝିରେ ସେବାୟତଙ୍କ ସମବେତ ଗୀତ ଗୋବିନ୍ଦ ଗାନରେ ଭିଜୁଥିଲା ବଡ଼ଦାଣ୍ଡ। ତିନି ଠାକୁର ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବାପରେ ସେଠାରେ ବହୁ ପ୍ରତୀକ୍ଷିତ ପୋଡ଼ପିଠା ଭୋଗଲାଗି ହୋଇଥିଲା। ପରମ୍ପରା ଅନୁଯାୟୀ ବାହୁଡା ଯାତ୍ରାରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ଫେରିବା ସମୟରେ ଏଠାରେ ପୋଡ଼ପିଠା ଖାଇ ଫେରିଥାନ୍ତି। ଶ୍ରୀନଅର ନିକଟରେ ଗଜପତି ମହାରାଜ ଲକ୍ଷ୍ମୀ -ନାରାୟଣ ଭେଟ କରାଇଥିଲେ।

ମଙ୍ଗଳବାର ବାହୁଡ଼ା ଯାତ୍ରା ସମୟରେ ପୁରୀରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ତେବେ ତିନି ରଥ ଶ୍ରୀମନ୍ଦିର ନିକଟତର ହେବା ସମୟରେ ବର୍ଷା ହେବାରୁ ସେବକ ଓ କର୍ମଚାରୀମାନେ ଗରମରୁ ରକ୍ଷା ପାଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଲଗାତାର ଭାବେ ରଥ ଚାରିପାଖରେ ପାଣି ସିଞ୍ଚନ ହେଉଥିଲା। ତିନି ରଥ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବାପରେ ସେବକମାନେ ସମ୍ମିଳିତ ଭାବେ ଗୀତଗୋବିନ୍ଦ ଗାନ କରିବା ଥିଲା ଆଜିର ଅନ୍ୟତମ ମୁଖ୍ୟ ଆକର୍ଷଣ। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଲା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସେବାୟତମାନେ ସମବେତ ଗୀତ ଗୋବିନ୍ଦ ଗାନରେ ଭିଜୁଥିଲା ବଡ଼ଦାଣ୍ଡ। ଶହଶହ ସେବାୟତ ଏକ ସ୍ୱରରେ ଗୀତ ଗୋବିନ୍ଦ କାନ କରିଥିଲେ। ଭକ୍ତ ବିଚରା ବଡ଼ଦାଣ୍ଡକୁ ଯାଇ ନପାରି ନିଜର ପ୍ରିୟ ଠାକୁରଙ୍କ ଟିଭିରେ ଦେଖି ମନ ବୁଝାଇଥିଲା।

ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବା ବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଆଜି ଆହୁରି କ଼ଡା ଥିଲା କଟକଣା। ସାରା ଶ୍ରୀକ୍ଷେତ୍ରରେ କର୍ଫ୍ୟୁ ସହ ପୋଲିସ୍ ଛାଉଣୀରେ ପରିଣତ ହୋଇଥିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ଲାଗିଛି। ଭକ୍ତମାନେ ଟିଭି ପରଦାରେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ବୁଧବାର ତିନି ରଥରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ