୨୩ରେ ଲଘୁଚାପ: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ


ବର୍ଷାରେ ରାଜଧାନୀରେ ବନ୍ୟାର ଭ୍ରମ
ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡରେ ଜୁଲାଇ ୨୨ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଦିଗରେ ଗତି କରିବ ଓ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କରାଇବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲଘୁଚାପ ସୃଷ୍ଟି ହେବା ପରେ ଦେଶରେ ଦୁର୍ବଳ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଯିବ। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀରେ ପ୍ରଚୁର ବର୍ଷା ହୋଇଛି। ବର୍ଷାରେ ବେହାଲ ହୋଇଯାଇଛି ରାଜଧାନୀବାସୀ। ମାତ୍ର କିଛି ସମୟର ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ରାଜଧାନୀ। କେଉଁଠି କାର ଭାସିଲାଣି ତ ଆଉ କେଉଁଠି ଡଙ୍ଗା ଚାଲିବା ସ୍ଥିତି ହୋଇଛି।

ବର୍ଷା ଯୋଗୁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି। ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ଜଳାର୍ଣ୍ଣବ ମଧ୍ୟ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷାରେ ରାଜଧାନୀରେ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାର ମଧ୍ୟ ବୁଡି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ବାଣୀବିହାର, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାର ପ୍ରମୁଖ ଅଞ୍ଚଳରେ ରାସ୍ତା ବୁଡ଼ି ଯାଇଥିଲା। କିଛି ସମୟ ପାଇଁ ରାସ୍ତା, ଡ୍ରେନ୍‌ ଭ୍ରମ ସୃଷ୍ଟି କରିଥିଲା। ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଆଣ୍ଠୁଏ ଉଚ୍ଚର ଜମି ରହିଥିଲା। ଯାହାଫଳରେ ଦୀର୍ଘ ସମୟ ଧରି ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ି ଅଟକି ରହିଥିଲା। କହିବାକୁ ଗଲେ ଯିବାଆସିବା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଦେଖିବାକୁ ମିଳିଥିଲା।

୨୧ ସକାଳ ଠାରୁ ୨୨ ସକାଳ ୮ଟା ୩୦ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ୨୨ ସକାଳରୁ ୨୩ ସକାଳ ୮ଟା ୩୦ ମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଅନୁଗୁଳ, ସମ୍ବଲପୁର, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିଭଳି ୨୩ରୁ ୨୪ ସକାଳ ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ୧ ଜୁନ୍‌ରୁ ୨୦ ଜୁଲାଇ ସୁଦ୍ଧା ଓଡ଼ିଶାରେ ୩୧୦.୨ ମିମି ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷା ୪୨୯.୪ ମିମି ଠାରୁ ୨୮ ପ୍ରତିଶତ କମ୍‌ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କମ୍‌ ବର୍ଷା ଯୋଗୁ ୧୯ ଜିଲ୍ଲାରେ ଚାଷକାର୍ଯ୍ୟ ଭୀଷଣ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୯ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ନୟାଗଡ଼ା, ଯାଜପୁର, ବାଲେଶ୍ବର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ମୟୁରଭଞ୍ଜନ ଓ କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ରୁ ୫୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେହିପରି ଭଦ୍ରକ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକରେ ୬୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁରରେ ୫୪ ପ୍ରତିଶତ, କେନ୍ଦୁଝର ୪୨ ପ୍ରତିଶତ ଓ ବଲାଙ୍ଗିରରେ ୪୬ ପ୍ରତିଶତ, ଗଜପତିରେ ୪୧ ପ୍ରତିଶତ କମ୍‌ ବର୍ଷା ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ