ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ମହାରାଜା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ବାହୁଡ଼ାରେ ଛେରାପହଁରା କରିବା ଅବସରରେ ଗଜପତି ମହରାଜ
ପୁରୀ: ନିର୍ଦ୍ଧାରିତ ସମୟାନୁସାରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ମଙ୍ଗଳବାର ସକାଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ନୀତି ସମ୍ପନ୍ନ ହେବାପରେ ରଥ ଉପରେ ଛେରା ପହଁରା ଏବଂ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା। ପ୍ରଥମେ ତାଳଧ୍ବଜ ଏବଂ ଏହା ପଛକୁ ଦେବଦଳନ ଓ ନନ୍ଦିଘୋଷ ରଥକୁ ସେବକମାନେ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇଛନ୍ତି। ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିଛନ୍ତି ଏକ ନୂଆ ଫର୍ଦ୍ଦ। ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜା ଛେରା ପହଁରାରେ ୫୦ ବର୍ଷ ପୂରଣ କରି ରେକର୍ଡ କରିଛନ୍ତି।

୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। ବର୍ତ୍ତମାନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ୬୮ ବର୍ଷ। କେବଳ ୧୯୭୬ରେ ଗଜପତି ଛେରାପହଁରା କରିପାରି ନ ଥିଲେ। ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ କରି ପାରି ନ ଥିଲେ ଛେରାପହଁରା। ଶ୍ରୀଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଛେରାପହଁରା ନୀତି ସେବା ଓ ସମର୍ପଣର ସର୍ବୋତ୍ତମ ନିଦର୍ଶନ। ଶ୍ରୀଜୀଉଙ୍କ ଆଦ୍ୟ ସେବକ ଭାବେ ଦୀର୍ଘ ୫୦ ବର୍ଷ ଧରି ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଏହି ସେବା କରିବା ଏକ ଦିବ୍ୟ ଅନୁଭବ ବୋଲି ବର୍ଣ୍ଣନା କରିବା ସହ ଏହି ଶୁଭ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ସେବାରେ ତାଙ୍କ ଜୀବନ ଆନନ୍ଦମୟ ହେଉ ବୋଲି ମଧ୍ୟ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଦୀର୍ଘ ୨୦୦ ବର୍ଷ ପରେ କୌଣସି ଗଜପତି ଭାବେ ଦିବ୍ୟସିଂହ ଦେବ ୫୦ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ସେବା କରିବାର ଏହି ବିରଳ ଗୌରବ ଅର୍ଜନ କରିଛନ୍ତି। ୧୫୬୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ଗଜପତି ସିଂହାସନ ଆରୋହଣ କରିସାରିଥିବା ବେଳେ  ୭ ଜୁଲାଇ ୨୦୨୦ ତାରିଖରେ ଗଜପତିଙ୍କ ସିଂହାସନ ଆରୋହଣକୁ ୫୦ ବର୍ଷ ପୂରିଛି। ଶ୍ରୀମନ୍ଦିର ଇତିହାସ ଅନୁସାରେ, ୧୯୭୦ ମସିହାରେ ଗଜପତି ବୀରକିଶୋର ଦେବ(ତୃତୀୟ)ଙ୍କ ଦେହାନ୍ତ ପରେ ଦିବ୍ୟସିଂହ ଦେବଙ୍କର ରାଜାଭିଷେକ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ