ଜେଫ ବେଜୋସଙ୍କ ମହାକାଶ ଉଡାଣ କେତେ ଦରକାରୀ?


ମହାକାଶ ଯାତ୍ରା ପୂର୍ବରୁ ମାର୍କ ବେଜୋସ, ଜେଫ ବେଜୋସ ଓ ଅଲିଭର ଡିମେନ ଓ ୱାଲିଫଙ୍କ
ନିଜେ ପାହାଡ଼ ପ୍ରମାଣ ରୋଜଗାର କରିଥିବା ଅର୍ଥକୁ ପାଣି ପରି ଖର୍ଚ୍ଚ କରିବାର ଅଧିକାର ଧନୀ ମାନଙ୍କର ରହିଛି କି? ଯଦି ଆଇନ ସେମାନଙ୍କୁ ଏଭଳି ଅଧିକାର ଦେଇଛି ତେବେ ସେମାନେ ୨.୫ ମିଲିୟନ ଡଲାରର ଟିକେଟ କିଣି ମହାକାଶକୁ ଯାଇପାରିବେ ଓ ଏହାଠାରୁ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରିପାରିବେ,ଏଥିରେ କାହାର କିଛି କହିବାର ନାହିଁ। କିନ୍ତୁ ଏଭଳି ଖର୍ଚ୍ଚ କରିଥିବାରୁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ତଥା ନମ୍ବର ୧ ଧନୀ ଜେଫ ବେଜୋସଙ୍କୁ ଏବେ ଶୁଣିବାକୁ ମିଳିଛି ସମାଲୋଚନା। ନିଜ ଭାଇଙ୍କୁ ଧରି ଜେଫ ମହାକାଶକୁ ମଙ୍ଗଳବାର ଉଡାଣ ଭରିଛନ୍ତି। ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜଳବାୟୁର ଜ୍ୱାଳାରେ ସମଗ୍ର ବିଶ୍ୱ ଅସାଧାରଣ ପ୍ରଭାବକୁ ସାମ୍ନା କରୁଥିବା ବେଳେ ଓ ବିଶ୍ୱ ବ୍ୟାପୀ ମହାମାରୀ କୋରୋନା ଆତଙ୍କିତ କରି ରଖିଥିବା ବେଳେ ଏହି ଅର୍ଥ ବ୍ୟୟ କରି ପୃଥିବୀକୁ ବଞ୍ଚାଇ ରଖିବା ଦିଗରେ ଜେଫ ଖର୍ଚ୍ଚ କରିପାରିଥାନ୍ତେ। କିନ୍ତୁ ସେ ଏହା ନ କରି ନିଜ ରୋଜଗାରକୁ ଦୁଇହାତରେ ପୁଳାପୁଳା ଖର୍ଚ୍ଚ କରି ନିଜର ବଡ଼ଲୋକୀ ପ୍ରଦର୍ଶିତ କଲେ।

ଆମେରିକୀୟ ବିଲିଅନେଆର ବ୍ୟବସାୟୀ ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ମଙ୍ଗଳବାର ଅନ୍ୟ ତିନିଜଣଙ୍କ ସହ ମହାକାଶକୁ ଯାତ୍ରାରମ୍ଭ କରିଛନ୍ତି। ବେଜୋସ ତାଙ୍କ ଭାଇ ମାର୍କ ବେଜୋସ, ୮୨ ବର୍ଷୀୟା ପୂର୍ବତନ ପାଇଲଟ ୱାଲି ଫଙ୍କ ଏବଂ ୧୮ ବର୍ଷୀୟ ଛାତ୍ର ଅଲିଭର ଡିମେନଙ୍କ ସହ ଏହି ଯାତ୍ରା ଭରିଛନ୍ତି। ଏମାନେ ସମସ୍ତେ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିଜିନର ମହାକାଶଯାନ ନ୍ୟୁ ଶେପର୍ଡରୁ ଯିବେ। ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନ୍ୟୁ ଶେପର୍ଡର ଡିଜାଇନ୍ କରାଯାଇଛି। ଏଥିରେ ବିରାଟକାୟ ଝରକା ଅଛି ଯାହା ଦ୍ୱାରା ସମସ୍ତେ ମହାକାଶରୁ ପୃଥିବୀର ଏକ ସୁନ୍ଦର ଦୃଶ୍ୟ ଦେଖିପାରିବେ।

ଉଡ଼ାଣ ପୂର୍ବରୁ ସିବିଏସ୍ଇ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ବେଜୋସ କହିଛନ୍ତି, ମୁଁ ଏଭଳି ଯାତ୍ରାରେ ଅତ୍ୟନ୍ତ ଉତ୍ସାହିତ ଅଛି। ଲୋକମାନେ ମୋତେ ପଚାରୁଛନ୍ତି ଯେ ମୁଁ ନର୍ଭସ ଅଛି କି? ସତ କହିବାକୁ ଗଲେ ମୁଁ ନର୍ଭସ ନୁହେଁ। ଏଭଳି ଏକ ରୋମାଞ୍ଚକର ଯାତ୍ରା ଭରିବା ପାଇଁ ମୁଁ ଆଗ୍ରହୀ ଅଟେ। ମୁଁ ଜାଣିବାକୁ ଚାହେଁ ସେଠାରେ ଆମକୁ କଣ ସବୁ ଶିକ୍ଷାଲାଭ କରିବାକୁ ମିଳିବ। ସେ କହିଛନ୍ତି, ଆମେ ଟ୍ରେନିଂ ନେଇସାରିଛୁ। ମହାକାଶଯାନ ଆମ ପାଇଁ ସବୁ ପ୍ରକାର ବ୍ୟବସ୍ଥାକୁ ନିଶ୍ଚିତତା କରିଛି। କର୍ମଚାରୀମାନେ ପ୍ରସ୍ତୁତ ଅଛନ୍ତି ଏବଂ ଆମ ଦଳ ବେଶ ରୋମାଞ୍ଚିତ। ଆମେ ଏହା ବିଷୟରେ ପ୍ରକୃତରେ ଭଲ ଅନୁଭବ କରୁଛୁ।

ଚାରି ମିନିଟ ପର୍ଯ୍ୟନ୍ତ ଶୂନ-ମାଧ୍ୟାକର୍ଷଣ ଅଭିଜ୍ଞତା
ବେଜୋସଙ୍କ ମହାକାଶ ସହଯାତ୍ରୀ ୱାଲିଫଙ୍କ କହିଛନ୍ତି ଯେ ସ୍ବପ୍ନ ସତ ହେବାକୁ ଯାଉଛି। ମୁଁ ଏଥି ପାଇଁ ବହୁ ସମୟ ଅପେକ୍ଷା କରିଥିଲି ଏବଂ ମୁଁ ଦୀର୍ଘ ଦିନ ଧରି ଏହା ସ୍ୱପ୍ନରେ ଦେଖୁଥିଲି। ଯେତେବେଳେ ମହାକାଶରେ ତାଙ୍କର ଓଜନ ଶୂନ୍ୟ ହୋଇଯିବ, ସେତେବେଳେ ସେ ମୁଣ୍ଡ ତଳକୁ କରି ବ୍ୟାୟାମ କରିବେ ବୋଲି ଉତ୍ସାହ ଭରା କଣ୍ଠରେ କହିଛନ୍ତି । ୱାଲି କହିଛନ୍ତି ଯେ ୧୯୮୦ ଦଶକରେ ମରକ୍ୟୁରୀ ୧୩ ନାମକ ଯାନରେ ଏକ ମହିଳା ଗୋଷ୍ଠୀ ପୁରୁଷ ମହାକାଶଚାରୀଙ୍କ ପରି ସମାନ ପରୀକ୍ଷଣ ଏବଂ ସ୍କ୍ରିନିଂ କରିବା ସତ୍ତ୍ବେ ବି ମହାକାଶକୁ ଯିବାର ସୁଯୋଗ ଦିଆଯାଇ ନ ଥିଲା। କିନ୍ତୁ ଏବେ ଆମକୁ ଏଭଳି ସୁଯୋଗ ମିଳୁଥିବାରୁ ଭାଗ୍ୟବାନ ମନେକରୁଛୁ। ମଙ୍ଗଳବାର ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ଆମେରିକାର ଟେକ୍ସାସରୁ ନ୍ୟୁ ଶେପର୍ଡ ଯାତ୍ରା କରିଛି। ଜେଫ ବେଜୋସଙ୍କ ବ୍ୟକ୍ତିଗତ ଲଞ୍ଚ ସାଇଟ୍ ୱାନ୍ ହର୍ନରୁ ଏହା ଏକ ରକେଟ୍ ଦ୍ୱାରା ଉତକ୍ଷେପଣ ହୋଇଥିଲା। ଜେଫ ବେଜୋସ, ତାଙ୍କ ଭାଇ ମାର୍କ ବେଜୋସ, ୱାଲିଫଙ୍କ ଏବଂ ଅଲିଭର ଡିମେନଙ୍କୁ ନେଇଥିବା ସ୍ପେସ୍ କ୍ୟାପସୁଲ୍ ପ୍ରାୟ ୭୬ କିଲୋମିଟର ଉଚ୍ଚତାରେ ଏହାର ବୁଷ୍ଟର୍ ଠାରୁ ଅଲଗା ହେବା ପରେ ରକେଟ୍ ଲଞ୍ଚ୍ ପ୍ୟାଡ୍ ଠାରୁ ଦୁଇ ମାଇଲ ଦୂରରେ ଅବତରଣ କରିଛି ଓ କ୍ୟାପସୁଲ୍ ୧୦୬ କିଲୋମିଟର ଯାଏଁ ଆଗକୁ ମହାକାଶରେ ନିଜର ଯାତ୍ରା ଜାରି ରଖିଛି। ସେଠାରେ ସେମାନଙ୍କୁ ପାଖାପାଖି ୪ ମିନିଟ ଯାଏ ଶୂନ ମାଧ୍ୟାକର୍ଷଣରେ ରହିବାର ଅନୁଭୂତି ମିଳିବ। ସେମାନେ ନିଜ ସିଟରୁ ଉଠିବେ ଓ ବାୟୁମଣ୍ଡଳରେ ପହଁରି ବୁଲିବେ। ମୁଣ୍ଡ ତଳକୁ ଓ ଗୋଡ଼ ଗୁଡିକ ଉପରକୁ ହେବା ସହିତ ସେମାନେ ଭାସି ବୁଲିବେ।

ଜେଫ ବେଜୋସଙ୍କୁ ମହାକାଶ ନେଇଯାଇଥିବା ନ୍ୟୁ ଶେପର୍ଡ
ଜେଫ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିଜିନ ଅନୁଯାୟୀ, ସ୍ପେସ୍ କ୍ୟାପସୁଲ୍ ନ୍ୟୁ ଶେପର୍ଡରୁ ପୃଥିବୀର ଦୃଶ୍ୟ ଚମତ୍କାର ହେବ ଏବଂ ଏକ ଶୂନ-ମାଧ୍ୟାକର୍ଷଣ ଅଭିଜ୍ଞତା ପ୍ରଦାନ କରିବ। ସର୍ବାଧିକ ଉଚ୍ଚତାରେ ପହଞ୍ଚିବା ପରେ କ୍ୟାପସୁଲ ତଳକୁ ଓହ୍ଲାଇବା ଆରମ୍ଭ କରିବ ଏବଂ ଯାତ୍ରୀମାନେ ପାରାଚ୍ୟୁଟ୍ ସାହାଯ୍ୟରେ ନରମ ବାଲିରେ ଅବତରଣ କରିବେ। ବ୍ଲୁ ଅରିଜିନ୍ ଏହାର ଯାତ୍ରୀମାନଙ୍କୁ ପୃଥିବୀ ପୃଷ୍ଠରୁ ୧୦୦ କିଲୋମିଟରରୁ ଅଧିକ ଉଚ୍ଚତାକୁ ନେଇଯିବ, ଯେଉଁଠାରେ ସେମାନେ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବେ।

ବିଲିଅନେଆରଙ୍କ ସ୍ପେସ୍ ରେସ
ନ୍ୟୁ ଶେପର୍ଡର ଏହି ଉଡାଣକୁ 'ବିଲିଅନେଆରଙ୍କ ସ୍ପେସ୍ ରେସ୍'ର ଏକ ଉଦାହରଣ ଭାବରେ ବିବେଚନା କରାଯାଉଛି। ଗତ ସପ୍ତାହରେ ବ୍ରିଟିଶ ବିଲିଅନେଆର ବ୍ୟବସାୟୀ ସାର ରିଚାର୍ଡ ବ୍ରାନ୍ସନଙ୍କ ସଫଳ ବିମାନ ଉଡ଼ାଣ ପରେ ଜେଫ ବେଜୋସଙ୍କ ଏହି ବିମାନ ଉଡାଣ ଭରିଛି। ଗତ ସପ୍ତାହରେ ରିଚାର୍ଡ ବାନସନ ଭର୍ଜିନ ଗ୍ୟାଲାକ୍ଟିକର ଭିଏଏସଏସ ୟୁନିଟ ରକେଟ ସାହାଯ୍ୟରେ ମହାକାଶ ଯାତ୍ରା କରିଥିଲେ। ଫେରିବା ପରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଜେଫ ବେଜୋସଙ୍କୁ ପଛରେ ପକାଇ ଆଗ ମହାକାଶକୁ ଯିବାକୁ ସେ ଆଦୌ ପ୍ରତିଦ୍ବନ୍ଦିତାରେ ବିଜୟୀ ବୋଲି ଭାବୁ ନାହାନ୍ତି। ସେ ବେଜୋସଙ୍କୁ ଏକ ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥିଲେ। ସେ କହିଥିଲେ, ମହାକାଶରୁ କେବଳ ଥରେ ବାହାର ଜଗତକୁ ଦେଖିବାର ସୁଯୋଗ ସେ ନିଅନ୍ତୁ। ଏହି ସୁଯୋଗ ଜୀବନରେ ଥରେ ମାତ୍ର ଆସେ। ଭର୍ଜିନ୍ ଗ୍ୟାଲାକ୍ଟିକର ରକେଟ୍ ବିମାନରେ ଯାତ୍ରା କରିବାକୁ ଜଣେ ସାଧାରଣ ବ୍ୟକ୍ତିଙ୍କୁ ୨.୫ ମିଲିୟନ୍ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ। ନ୍ୟୁ ଶେପର୍ଡ ପାଇଁ ଟିକେଟ୍ ମୂଲ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। କିନ୍ତୁ ଏହା ୨.୫ ମିଲିୟନରୁ ଅଳ୍ପ କିଛି ଅଧିକ ହେବାର ଅନୁମାନ କରାଯାଉଛି।କିଛି ସମୟର ମାଧ୍ୟାକର୍ଷଣ ଅନୁଭବ ପାଇଁ ରିଚାର୍ଡ ୨.୫ ମିଲିୟନ ଡଲାର ଖର୍ଚ୍ଚ କରି ଅତ୍ୟନ୍ତ ଖୁସି ଓ ଧନୀକ ମାନେ ଏଭଳି ଖର୍ଚ୍ଚ ପାଇଁ ବିମୁଖ ହୁଅନ୍ତୁ ନାହିଁ ବୋଲି ସେ ଦେଇଥିବା ପରାମର୍ଶ କିଭଳି ପ୍ରଭାବୀ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ସେ ୨୦୦୦ ମସିହାରେ ତାଙ୍କ କମ୍ପାନୀ 'ବ୍ଲୁ ଅରିଜିନ୍' ଆରମ୍ଭ କରିଥିଲେ। ଗତ ମାସରେ ସେ ଏହି ବିମାନ ଯାତ୍ରାର ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ଏବଂ ତାଙ୍କ ଭାଇମାନେ ଏହି ଯାତ୍ରା କରିବେ। ଜେଫ ବେଜୋସଙ୍କ ୫୩ ବର୍ଷୀୟ ଭାଇ ମାର୍କ ବେଜୋସ ଏକ ବିଜ୍ଞାପନ ଏଜେନ୍ସିର ପ୍ରତିଷ୍ଠାତା ତଥା ନ୍ୟୁୟର୍କର ଏକ ଚାରିଟି କମ୍ପାନୀ ରବିନ୍ ହୁଡରେ ବରିଷ୍ଠ ଉପସଭାପତି ଅଟନ୍ତି। ଏହି ଯାତ୍ରାରେ ସାମିଲ ହୋଇଥିବା ସର୍ବ କନିଷ୍ଠ ଯାତ୍ରୀଜଣକ ମଧ୍ୟ ମାମୁଲି ମଣିଷ ନୁହନ୍ତି। ଅଲିଭର ଡିମେନଙ୍କୁ ସିନା ୧୮ ବର୍ଷ କିନ୍ତୁ ସେ ଜଣେ ଅରବପତିଙ୍କ ପୁତ୍ର। ତାଙ୍କ ପିତା ଜୋସ ଡିମେନଙ୍କ 'ସୋମେରସେଟ କ୍ୟାପିଟାଲ ପାର୍ଟନର୍ସ' ନାମକ ଏକ ଫାଇନାନ୍ସ କମ୍ପାନୀ ରହିଛି। ଏକ ସର୍ବସାଧାରଣ ନିଲାମରେ ୨୮ ମିଲିୟନ ଡଲାରର ଶେଷ ନିଲାମୀ ଡ଼ାକିଥିବା ଅଜ୍ଞାତ ବ୍ୟକ୍ତିଙ୍କ ସ୍ଥାନରେ ଅଲିଭର ଡିମେନ ଏଭଳି ଉଡାଣ ଭରିବାର ସୁଯୋଗ ପାଇଛନ୍ତି। ଏହି ବିପୁଳ ପରିମାଣର ଅର୍ଥକୁ ସେମାନେ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା କିମ୍ବା ମହାମାରୀ କୋରୋନା ବିରୁଦ୍ଧରେ ଲଢ଼ିବା ବାବଦରେ ଖର୍ଚ୍ଚ କରିବା ବିବେକପୂର୍ଣ୍ଣ ହୋଇଥାନ୍ତା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ