କଂଗ୍ରେସ ଛାଡ଼ି ଟିଏମସିରେ ଯୋଗଦେଲେ ପ୍ରଣବଦା’ଙ୍କ ସୁପୁତ୍ର


ଟିଏମସିର ବରିଷ୍ଠ ନେତାଙ୍କ ସହ ଅଭିଷେକ (ମଝି)
ପୂର୍ବତନ ରାଷ୍ଟ୍ରପତି ତଥା ଦିବଂଗତ ବରିଷ୍ଠ କଂଗ୍ରେସ ନେତାଙ୍କ ସୁପୁତ୍ର ଅଭିଷେକ ମୁଖାର୍ଜୀ ଶେଷରେ ଦେଶର ସର୍ବପୁରାତନ କଂଗ୍ରେସ ଦଳକୁ ବାଏ ବାଏ କହିଛନ୍ତି। ଏଥିସହ ସେ କ୍ରମାଗତ ୩ୟ ଥର ପାଇଁ ରାଜ୍ୟରେ କ୍ଷମତା ପାଇଥିବା ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସିରେ ଯୋଗ ଦେଇଛନ୍ତି। ଅଭିଷେକଙ୍କୁ ଟିଏମସିକୁ ସ୍ବାଗତ କରିଛନ୍ତି ବରିଷ୍ଠ ଲୋକସଭା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ମମତା ବାନାର୍ଜୀ ଜିନ୍ଦାବାଦ ସ୍ଲୋଗାନ୍ ଦେଇ ବନ୍ଦୋପାଧ୍ୟାୟ ପୂର୍ବତନ ରାଷ୍ଟ୍ରପତିଙ୍କ ସୁପୁତ୍ରକୁ ଟିଏମସିକୁ ସ୍ବାଗତ କରିଛନ୍ତି। ଟିଏମସିରେ ସାମିଲ୍ ହେବା ଅବସରରେ ଅଭିଷେକ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଏହି ଦଳକୁ ମମତା ଦିଦି ଜବରଦସ୍ତ ଜବାବ ଦେଇଛନ୍ତି। ଦେଶରେ ମମତା ବାନାର୍ଜୀ ହେଉଛନ୍ତି ସବୁଠାରୁ ଧର୍ମନିରପେକ୍ଷ ମହିଳା ନେତ୍ରୀ, ଯିଏକି ସାମ୍ପ୍ରଦାୟିକତାବାଦରେ ବିଶ୍ବାସ କରୁଥିବା ବିଜେପି ବିରୋଧରେ ଲଢ଼େଇ କରିପାରିବେ ଓ ବିଜେପିକୁ ପରାସ୍ତ କରିବାର ଦକ୍ଷତା ମଧ୍ୟ ଦିଦିଙ୍କ ନିକଟରେ ରହିଛି। ମୁଁ ଗୋଟିଏ କଂଗ୍ରେସକୁ ଛାଡ଼ି ଆଉ ଏକ କଂଗ୍ରେସ (ତୃଣମୂଳ କଂଗ୍ରେସ-ଟିଏମସି)ରେ ଯୋଗ ଦେଇଛି। ଆଗାମୀ ଦିନରେ ଗେରୁଆ ବସ୍ତ୍ରଧାରୀ ବିଜେପିକୁ ଦେଶର ପ୍ରତିଟି ରାଜ୍ୟରେ ଚେକ୍ ଦେବା ସକାଶେ ଆମେ ଲଢ଼େଇ କରିବୁ ବୋଲି ଅଭିଷେକ କହିଛନ୍ତି।

ଜାଙ୍ଗିପୁର ଲୋକସଭା ଆସନରୁ ସାଂସଦ ଭାବେ ପୂର୍ବରୁ ନିର୍ବାଚିତ ହୋଇଥିବା ଅଭିଷେକ ଗତ କିଛି ସପ୍ତାହ ହେଲା ଟିଏମସିରେ ଯୋଗ ଦେବା ସକାଶେ ଦଳୀୟ ନେତାଙ୍କ ସହ ଆଲୋଚନା ଜାରି ରଖିଥିଲେ। ତା’ଛଡ଼ା ସେ ଗତ ମାସରେ ସେ ମମତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଗତ ମାସରେ ସାକ୍ଷାତ କରିଥିଲେ। ଏହାପରେ ଅଭିଷେକ ଟିଏମସିରେ ଯୋଗ ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବେଶ୍ ଜୋର୍ ଧରିଥିଲା। ତା’ଛଡ଼ା କୋଲକାତାରେ ଟିକାକରଣର ଜାଲିଆତି ନେଇ ଅଭିଯୋଗ ଉଠିଥିବା ବେଳେ ମମତାଙ୍କୁ ସମର୍ଥନ କରି ଅଭିଷେକ ଟ୍ବିଟରରେ ମତାମତ ଦେବା ପରେ ସେ ଖୁବଶୀଘ୍ର ମମତାଙ୍କ ଦଳରେ ସାମିଲ୍ ହେବା ନେଇ ଆଲୋଚନା ହୋଇଥିଲା। ସେ ଟ୍ବିଟ୍ କରି କହିଥିଲେ ଯେ ଯଦି ରାଜ୍ୟରେ କୌଣସି ସ୍ଥାନରେ କୋଭିଡ୍ ଟିକାର ଜାଲିଆତି ହେଉଛି ଓ ସେଥିପାଇଁ ମମତା ଦିଦିଙ୍କୁ ଦାୟୀ କରାଯାଉଛି, ତା’ହେଲେ ନୀରବ ମୋଦୀ, ବିଜୟ ମାଲ୍ୟା, ମେହୁଲ୍ ଚୋକସୀ ଆଦି ଭାରତରେ କରିଥିବା ବଡ଼ ବଡ଼ ସ୍କାମ୍ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରାଯିବା ଉଚିତ। ତେଣୁ ଆଇଏଏସ୍ ଅଫିସର୍ ଦେବଞ୍ଜନ ଦେବଙ୍କ ତ୍ରୁଟି ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଦୋଷ ଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ଅଭିଷେକ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ