କଲ୍ୟାଣ ସିଂଙ୍କ ପୁତ୍ରଠାରୁ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ


କଲ୍ୟାଣ ସିଂ ଓ ନରେନ୍ଦ୍ରମୋଦୀ (ଫାଇଲ୍ ଫଟୋ)
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ୍ ବିଜେପି ନେତା କଲ୍ୟାଣ ସିଂ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବେଳେ ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେହିପରି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲ୍ୟାଣ ସିଂଙ୍କ ସୁପୁତ୍ର ରାଜବୀରଙ୍କୁ ଫୋନ୍ କରି ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି। ଏଥିସହ ସେ ଯୋଗୀଙ୍କୁ ଫୋନ୍ କରି ସିଂଙ୍କୁ କିପରି ଭାବେ ଉତ୍ତମ ମାନର ଚିକିତ୍ସା ସୁନିଶ୍ଚିତ କରାଯାଇପାରିବ, ସେଥିନେଇ ପରାମର୍ଶ ଦେଇଛନ୍ତି। ରବିବାର ସନ୍ଧ୍ୟାରେ ଏଠାକାର ସଞ୍ଜୟ ଗାନ୍ଧି ପୋଷ୍ଟ୍ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସଠାରେ ସିଂଙ୍କୁ ଆଡମିଟ୍ କରାଯାଇଥିବା ବେଳେ ସକାଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିକିତ୍ସାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ସିଂଙ୍କ ଚିକିତ୍ସା ପାଇଁ ନେଫ୍ରୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି ଓ ନ୍ୟୁ-ଓଟୋଲୋଜି ବିଭାଗର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।

ଏଠାରେ ସିଂଙ୍କୁ ଆଡମିଟ୍ କରାଯିବା ପରେ ତାଙ୍କ ରକ୍ତଚାପ ଓ ହୃତ୍‌ସ୍ପନ୍ଦନ ସ୍ବାଭାବିକ ଥିଲେ ହେଁ ତାଙ୍କ ଚେତନା ସ୍ତର ଯଥେଷ୍ଟ କମ୍ ରହିଥିଲା। ତେବେ ସୋମବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବେଶୀ ଖରାପ ହେବା ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଉକ୍ତ ବିବୃତିରେ କୁହାଯାଇଛି। ୮୯ ବର୍ଷୀୟ ସିଂଙ୍କୁ ପ୍ରଥମେ ଏଠାକାର ଡ. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସରେ ଭର୍ତ୍ତି କରାଯାଇଥିଲା। ତାଙ୍କ କାନରେ ସମସ୍ୟା ରହିବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ଫୁଲିଯାଇଥିବାରୁ ସିଂ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ଆଡମିଟ୍ ହେବାକୁ ପରାମର୍ଶ ଦେଇଥିଲେ। ମୋଦୀ ଓ ଯୋଗୀଙ୍କ ପୂର୍ବରୁ ସିଂଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସରେ ପହଞ୍ଚି ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ