ବିଭିନ୍ନ ସ୍ଥାନରେ ପୃଥକ୍‌ ହତ୍ୟାକାଣ୍ଡ: ଗଡ଼ିଲା ୫ ମୁଣ୍ଡ


ସୁନ୍ଦରଗଡ଼ ଟାଉନ ଥାନା ବାଇପାସ୍‌ ନିକଟରୁ ଉଦ୍ଧାର ହେଉଛି ଯୁବକଙ୍କ ମୃତଦେହ
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ପୃଥକ୍‌ ପୃଥକ୍‌ ହତ୍ୟାକାଣ୍ଡ। ଗୁଣିଗାରେଡି, ସମ୍ପତ୍ତି ଲୋଭରୁ ବିଭିନ୍ନ ସ୍ଥାନରେ ଘଟିଛି ୫ଟି ହତ୍ୟାକାଣ୍ଡ। ମୟୁରଭଞ୍ଜ, ଗଞ୍ଜାମ, ସୁନ୍ଦରଗଡ଼, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ହତ୍ୟାକାଣ୍ଡ ଖବର। ଗୁଣିଗାରେଡ଼ି ସନ୍ଦେହରେ ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଦେଢ଼ଶୁରକୁ ହତ୍ୟା କରିଛି ଭାଇବୋହୂ। ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ୍ ବାଇପାସ୍ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ଥାନା ପିପଲଭଟ୍ଟା ପଡ଼ିଆରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖସାଡ଼ି ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଣେ ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସମସ୍ତ ହତ୍ୟାକାଣ୍ଡରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଣ୍ଡିରୁ ମୁଣ୍ଡ ଅଲଗା କରି ଗାଁ ରାସ୍ତାରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତ ମହିଳା ଜଣଙ୍କ ହେଲେ ସେହି ଗାଁର ଯମୁନା ହାଁସଦା।  ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗୁଣିଗାରେଡ଼ି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଯାଇ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ପୋଲିସ୍ କହିଛି। ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗାଁ ସନ୍ତୋଷ ନାୟକ ଓ ତାଙ୍କ ଭାଇବୋହୂଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ସେମାନଙ୍କ କଳି ଉଗ୍ରରୂପ ନେଇଥିଲା। ଏହି ସମୟରେ ସନ୍ତୋଷଙ୍କୁ ତାଙ୍କ ଭାଇବୋହୂ ନିଜ ବାପ ଘର ଲୋକଙ୍କ ସହାୟତାରେ ମିଳିତ ଭାବେ ଆକ୍ରମଣ କରିଥିଲେ। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ୍ ବାଇପାସ୍ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ୍‌ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ଥାନା ପିପଲଭଟ୍ଟା ପଡ଼ିଆରୁ ମୃତଦେହ ଠାବ କରାଯାଇଛି। କୋଷାବରା ଗାଁର ୫୦ ବର୍ଷୀୟ ଡୁମେନ ମାଝି ଗାଁ ନିକଟ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ଆଉ ଫେରି ନ ଥିଲେ। ଜଙ୍ଗଲରେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ପରେ ପଡ଼ିଆ ନିକଟରେ ମୃତଦେହ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି। ତେବେ ହତ୍ୟା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ସେହିପରି ଜମିବାଡ଼ି ବିବାଦକୁ କେନ୍ଦ୍ରକରି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖସାଡ଼ି ଗାଁରେ ଘଟିଛି ହତ୍ୟାକାଣ୍ଡ। ଗ୍ରାମର ଏକାଦଶୀ ସ୍ୱାଇଁ ଆଜ ସକାଳେ ଦୋକାନକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରାମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ