୨୩ ଯାଏ ରିମାଣ୍ଡରେ ଗଲେ ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରା


ଗିରଫ ପରେ କୁନ୍ଦ୍ରାଙ୍କୁ କୋର୍ଟକୁ ନିଆଯାଉଛି
ମୁମ୍ବାଇ: ପାଖାପାଖି ୮ ବର୍ଷ ପରେ ପୁଣିଥରେ ବିବାଦକୁ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା। ୨୦୧୩ ଆଇପିଏଲରେ ବେଟିଂ ବିବାଦରେ ଛନ୍ଦି ହୋଇଥିବାରୁ ତାଙ୍କ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସକୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ଏବେ ପୁଣିଥରେ ଏହି ବ୍ୟବସାୟୀ ଜଣକ ପୋଲିସ୍ ରାଡାରକୁ ଆସିଛନ୍ତି। ସେ ପର୍ଣ୍ଣୋଗ୍ରାଫି ଫିଲ୍ମ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ କେତେକ ଆପ୍ ମାଧ୍ୟମରେ ପ୍ରସାରଣ କରୁଥିବା ନେଇ ପୋଲିସ୍ ପ୍ରମାଣ ପାଇବା ପରେ ମଙ୍ଗଳବାର ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ଏଥିସହ କୋର୍ଟ ରାଜଙ୍କୁ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇ ଦେଇଛନ୍ତି। ପୋଲିସ୍ ତାଙ୍କ ମୋବାଇଲ୍ ଫୋନ୍ ସିଜ୍ କରିବା ସହ ସୋମବାର ରାତିରେ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ସୋମବାର ତାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିବା ସହ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ପୂର୍ବରୁ ପର୍ଣ୍ଣୋଗ୍ରାଫି ନେଇ ଜଣେ ମହିଳା ଅଭିଯୋଗ ଆଣିଥିଲେ ଓ ତାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଥିଲା। ଏହି ମାମଲା ଚଳିତ ବର୍ଷ ଫେବ୍ରୁଆରୀ ୪ ତାରିଖରେ ମୁମ୍ବାଇ ଉପକଣ୍ଠସ୍ଥ ମାଲୱାନି ପୋଲିସ୍ ଷ୍ଟେସନରେ ରୁଜୁ ହୋଇଥିଲା। ବଲିଉଡରେ କ୍ୟାରିଅର୍ ଗଢ଼ିବାକୁ ଆସୁଥିବା ଅନେକ ଯୁବତୀ ଓ ମହିଳାଙ୍କୁ ନିଜ ଜାଲରେ ଫସାଇ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ସେଗୁଡ଼ିକୁ ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରସାରିତ କରାଯାଇଆସିଥିବା ମୁମ୍ବାଇ ପୋଲିସରେ ଦାଏର୍ ଅଭିଯୋଗରେ ଦର୍ଶାଯାଇଛି।

ମୁମ୍ବାଇ ପୋଲିସ୍ ରୁଜୁ କରିଥିବା ଏହି ମାମଲାଟିକୁ ପରବର୍ତ୍ତୀ ସମୟରେ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏହା ପୂର୍ବରୁ ମଧ୍ୟ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା ରୁଜୁ ହୋଇଥିଲା ଓ ଏହି ମାମଲାରେ ଜଣେ ଅଭିନେତା ଏବଂ ଆଉ କେତେକ ଅଭିଯକ୍ତଙ୍କୁ ଗିରଫ କରାଯାଇଥିଲା ବୋଲି ମୁମ୍ବାଇ ପୋଲିସ୍ ପକ୍ଷରୁ କୁହାଯାଇଛି। ଗତ ଫେବ୍ରୁଆରୀରେ ପର୍ଣ୍ଣୋଗ୍ରାଫି ଫିଲ୍ମ ପ୍ରସ୍ତୁତି ଓ କେତେକ ଆପ୍ ମାଧ୍ୟମରେ ସେଗୁଡ଼ିକର ପ୍ରସାର ନେଇ ମାମଲା ରୁଜୁ ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏହି ମାମଲା ସହ ରାଜଙ୍କ ସଂପ୍‌କ୍ତ ଥିବା ନେଇ ଯଥେଷ୍ଟ ପ୍ରମାଣ ମିଳିବା ପରେ ଗତ ୧୯ ତାରିଖରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ବୋଲି ମୁମ୍ବାଇ ପୋଲିସ୍ କମିଶନର୍ ଜାରି ଏକ ବିବୃତିରେ କହିଛନ୍ତି। ତାଙ୍କ କହିବାନୁସାରେ, ରାଜଙ୍କ ବିରୋଧରେ ଏହି ମାମଲାର ତଦନ୍ତ ଜାରି ରହିବ ଓ ପର୍ଣ୍ଣୋଗ୍ରାଫି ମାମଲା ସହ ତାଙ୍କର ଲିଙ୍କ୍ ରହିଛି କି ନାହିଁ, ତାହା ପ୍ରମାଣିତ କରିବା ସକାଶେ ତାଙ୍କୁ ଯଥେଷ୍ଟ ଜେରା କରାଯିବ। ସେହିପରି ରାଜଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୩୪, ୨୯୨ ଓ ୨୯୩ ଏବଂ ଆଇଟି ଆକ୍ଟର ଧାରା ୬୭ ଓ ୬୭କ ଏବଂ ମହିଳାଙ୍କୁ ବିକୃତ ଭାବେ ଉପସ୍ଥାପନ କରାଯିବା ନିରୋଧୀ ଆଇନର ଧାରାରେ ମଧ୍ୟ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୪୨୩୦ ଓ ୬୭କ’ରେ କୌଣସି ଅଭିଯୁକ୍ତଙ୍କୁ ଜାମିନ୍ ଦେବାର ବ୍ୟବସ୍ଥା ମଧ୍ୟ ନାହିଁ। ସେହିପରି ମୁମ୍ବାଇ ପୋଲିସର ଜନୈକ ଅଧିକାରୀଙ୍କ କହିବାନୁସାରେ, ପ୍ରାଥମିକ ତଦନ୍ତ ପରେ ରାଜ ଏକ ହ୍ବାଟ୍ସଆପ୍ ଗ୍ରୁପ୍ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଆହୁରି ୪ ଜଣ ବ୍ୟବସାୟୀ ମଧ୍ୟ ସାମିଲ୍ ଥିଲେ। ସେମାନଙ୍କ ମଧ୍ୟରେ ନିୟମିତ ଭାବେ ପର୍ଣ୍ଣୋଗ୍ରାଫି ଫିଲ୍ମ ବାବଦରେ ଟଙ୍କା ଦେଣନେଣ ନେଇ ଚାଟ୍ ହେଉଥିଲା। ତା’ଛଡ଼ା ପ୍ରସ୍ତୁତ ପର୍ଣ୍ଣୋଗ୍ରାଫି ଫିଲ୍ମର କିପରି ମାର୍କେଟିଂ ହୋଇପାରିବ, ସେନେଇ ମଧ୍ୟ ସେମାନଙ୍କ ମଧ୍ୟରେ ବରାବର ଚର୍ଚ୍ଚା ହେଉଥିଲା ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ