ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ: ୫ ଆହତ, ୬ ଗିରଫ


ଫିରିଙ୍ଗିଆ ପୋଲିସ୍ ଷ୍ଟେସନ୍ (ଫାଇଲ୍ ଫଟୋ)
ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ। ଆକ୍ରମଣରେ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିଂଝାରପୁର ଥାନା ରଣପୁର ପଞ୍ଚାୟତ କଣ୍ଟିପୁର ଗ୍ରାମରେ ବୁଧବାର ରାତିରେ ଘଟିଛି ଏହି ଘଟଣା। ଏହି ଗାଁର ସୁବାସ ଚନ୍ଦ୍ର ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା। ବୁଧବାର ରାତିରେ ବିଂଝାରପୁର ପୋଲିସ କଣ୍ଟିପୁର ଗ୍ରାମରେ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଧରିଥିଲା। ଏହି ସମୟରେ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିଲେ ସେମାନଙ୍କ ସମ୍ପର୍କୀୟ। ପରେ ବିଂଝାରପୁର ପୋଲିସ ସମେତ ଜିଲ୍ଲା ମୁଖ୍ୟାଳୟ ପୋଲିସ, ମଙ୍ଗଳପୁର ପୋଲିସ, ଯାଜପୁର ଟାଉନ ଥାନା ପୋଲିସ ଓ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମର ୬ ଜଣଙ୍କୁ ଗିରଫ କରିଥିଲେ। ଡାକ୍ତରୀ ମାଇନା ପରେ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ରୋହିତ ମଲିକ, ମନୁଆ ମଲିକ, ରାଜା ମଲିକ, ଧରମା ମଲିକ, ସମ୍ବିତ ମଲିକ ଓ ସଂଗ୍ରାମ ମଲିକ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଣ୍ଟିପୁର ଗ୍ରାମର ୨ ପରିବାର ମଧ୍ୟରେ ମାଡ଼ ମରାମରି ହୋଇଥିଲେ। ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ବିଂଝାରପୁର ପୋଲିସ ୨୦୪ ଓ ୨୦୫ ନମ୍ଵରରେ ପୃଥକ ପୃଥକ ୨ଟି ମାମଲା ରୁଜୁ କରିଥିଲା। ଗିରଫ ଭୟରେ ଗ୍ରାମର ସୁବାସଚନ୍ଦ୍ର ମଲିକଙ୍କ ପରିବାର ଘର ଛାଡ଼ି ଏକ ମାସ ପର୍ଯ୍ୟନ୍ତ ବାହାରେ ଥିଲେ। ପରେ ଜାମିନ ଆଣି ଘରକୁ ଫେରିଥିଲେ। ସେତେବେ‌ଳକୁ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଯାଇଥିବା ଦେଖିଥିଲେ। ଏ ସମ୍ପର୍କରେ ସୁବାସଙ୍କ ପତ୍ନୀ ଲିପି ମଲିକ ଗତ ୨୬ ତାରିଖରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଂଝାରପୁର ପୋଲିସ ୨୭୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଏହି ମାମଲାରେ ଅଭିଯୁକ୍ତ ଥିବା ନିରଞ୍ଜନ ମଲିକ, ଚିନ୍ମୟ ମଲିକ, ଚନ୍ଦନ ମଲିକ, ତପି ମଲିକ, ମନୋରଞ୍ଜନ ମଲିକଙ୍କୁ ବୁଧବାର ରାତିରେ ଏସଆଇ କଣ୍ଡୁରି ଚରଣ ଦାସଙ୍କ ସମେତ ୬ ଜଣ ପୁଲିସ କର୍ମୀ ଧରିଥିଲେ। ଏହି ସମୟରେ ସମ୍ପର୍କୀୟମାନେ ହଠାତ୍ ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତମାନଙ୍କୁ ଛଡ଼ାଇ ନେଇଥିଲେ। ଏହି ଖବର ପାଇ ଅତିରିକ୍ତ ଏସପି ବାଉରିବନ୍ଧୁ ବେହେରାଙ୍କ ନେତୃତ୍ଵରେ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ବିଂଝାରପୁର ପୋଲିସଙ୍କ ସମେତ ପୋଲିସ ଫୋର୍ସ କଣ୍ଟିପୁର ଗ୍ରାମରେ ପହଞ୍ଚି ୬ ଜଣଙ୍କୁ ଗିରଫ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ