ଜମି ବିକି ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷର ଦାନ ଦେଲେ ମହିଳା ଡାକ୍ତର

ଏମବିବିଏସ ପଢ଼ା ସରିବାର ୬୬ ବର୍ଷ ପରେ ଶୁଝିଲେ କଲେଜର ଋଣ

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରୁଛନ୍ତି ନାରାୟଣୀ
ସମ୍ବଲପୁରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା ଏବେ ଚର୍ଚ୍ଚାରେ। ୬୬ ବର୍ଷ ତଳେ ସେ ନିଜ କଲେଜ ଠାରୁ ପାଇଥିବା ୯୦୦ ଟଙ୍କାର ଷ୍ଟାଇପେଣ୍ଡ ଋଣକୁ ୩୦ ଲକ୍ଷ ଦାନ ଜରିଆରେ ପରିଶୋଧ କରିଛନ୍ତି। କଲେଜ ଦେଇଥିବା ଷ୍ଟାଇପେଣ୍ଡ ସେ ଦାନ କରିଥିବା ଅର୍ଥ ଠାରୁ ଢେର ଅଧିକ ଥିବା କହିଛନ୍ତି ନାରାୟଣୀ। ସେଦିନ କଲେଜ ମୋତେ ଯେତିକି ଦେଇ ଋଣୀ କରାଇଛି ତାହାକୁ କୌଣସି ମୂଲ୍ୟ ବିନିମୟରେ ପରିଶୋଧ କରିହେବନି ବୋଲି କହିଛନ୍ତି ଏହି ଚର୍ଚ୍ଚିତ ମହିଳା ଡାକ୍ତର।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ଡାକ୍ତର ପଣ୍ଡା ଏହାର କୁଳପତି ଏମ ନାଗରାଜୁଙ୍କ ହାତକୁ ୩୦ଲକ୍ଷ ଟଙ୍କାର ଚେକ ଧରାଇଦେବା ସହିତ କିଭଳି ତାଙ୍କୁ ଏହି କଲେଜର ଏକ ଷ୍ଟାଇପେଣ୍ଡ ଡାକ୍ତରୀ ଶିକ୍ଷା ନେବାରେ ସହଯୋଗ କରିଥିଲା ତାହା ମନେପକାଇଛନ୍ତି। ୧୯୫୭ ମସିହାରେ ନାରାୟଣୀ ଗଙ୍ଗାଧର ମେହେର କଲେଜରେ ବିଜ୍ଞାନ ବିଭାଗରେ ପଢୁଥିଲେ। ସେତେବେଳେ ଏହି କଲେଜ ବିଶ୍ଵବିଦ୍ୟାଳୟ ହୋଇ ନ ଥିଲା। ନାରାୟଣୀ ମେଡିକାଲ ପଢିବା ପାଇଁ ସେହି ବର୍ଷ ନିଜକୁ ଯୋଗ୍ୟ ବିବେଚିତ କରାଇ ଥିଲେ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ସିଟଟିଏ ପାଇଥିବାରୁ ସେ ଖୁସି ହୋଇଥିଲେ ସେଦିନ। କିନ୍ତୁ ଝିଅ ଡାକ୍ତରୀ ପାଠ ପଢୁ ବୋଲି ଇଛା କରୁ ନ ଥିଲେ ପ୍ରାଣୀସମ୍ପଦ ବିଭାଗରେ ଅଧିକାରୀ ଥିବା ତାଙ୍କ ପିତା।

ଘରର ଆର୍ଥିକ ସ୍ଥିତି ଭଲ ନ ଥିଲା
ନାରାୟଣୀଙ୍କ ବାଲ୍ୟଜୀବନ ସଂଘର୍ଷମୟ ଥିଲା। ପିତାଙ୍କ ସୀମିତ ଆୟ ଭିତରେ ଘରର ଯାବତୀୟ ଜଞ୍ଜାଳ କରାଯାଉଥିଲା। ନାରାୟଣୀଙ୍କ ୧୧ ଭାଇ ଭଉଣୀ ଥିଲେ। ସେମାନଙ୍କ ମଧ୍ୟରୁ ତୃତୀୟ ଥିଲେ ନାରାୟଣୀ। ସମସ୍ତେ ବହୁତ ଭଲ ଛାତ୍ର ଥିଲେ। ଡାକ୍ତରୀ ପାଠରେ ଅଧିକ ଖର୍ଚ୍ଚ ଆଶଙ୍କା କରି ତାଙ୍କ ପିତା ନାରାୟଣୀ ମେଡ଼ିକାଲ ପଢନ୍ତୁ ବୋଲି ଚାହୁଁ ନ ଥିଲେ। କିନ୍ତୁ ନାରାୟଣୀଙ୍କ ଇଛା ଥିଲା ଡାକ୍ତରୀ ପଢିବା। ଘରର ଆର୍ଥିକ ସମସ୍ୟା ଉଠିବାରୁ ନାରାୟଣୀ ବାଧ୍ୟ ହୋଇ ନୀରବ ରହି ପିତାଙ୍କ ଇଛାକୁ ସମ୍ନାନ ଦେଇଥିଲେ। ତେଣେ କଲେଜ ଟ୍ରଷ୍ଟ ନାରାୟଣୀଙ୍କୁ ମାସିକ ୨୫ ଟଙ୍କା ଷ୍ଟାଇପେଣ୍ଡ ଦେବାର ନିଷ୍ପତ୍ତି ନେଇଥିଲା। କଲେଜର ଏଭଳି ଷ୍ଟାଇପେଣ୍ଡ ପୁଣିଥରେ ନାରାୟଣୀଙ୍କ ମନରେ ଡାକ୍ତର ହେବାର ସ୍ୱପ୍ନକୁ ଆଗକୁ ନେଇଥିଲା। ୧୯୫୭-୫୮ ମସିହାରେ ୨୫ ଟଙ୍କା ଏକ ବଡ଼ ପରିମାଣ ଥିଲା। ଏହା ସହିତ ନାରାୟଣୀ କଲେଜ ଟପ୍ପର ଥିବାରୁ ମାସିକ ୩୫ ଟଙ୍କା ଛାତ୍ର ବୃତ୍ତି ପାଇବାକୁ ଯୋଗ୍ୟ ହୋଇଥିଲେ। ଏହି ବାବଦ ପ୍ରତିମାସରେ ତାଙ୍କ ହାତକୁ ୬୦ ଟଙ୍କା ଆସିଗଲା, ଯାହାକି ଡାକ୍ତରୀ ପଢ଼ା ଶେଷ ହେବା ପର୍ଯ୍ୟନ୍ତ ଅବାରିତ ଭାବେ ହାତକୁ ଆସୁଥିଲା। ପରେ ପଶୁସମ୍ପଦ ବିଭଗର ଅଧିକାରୀ ଥିବା ତାଙ୍କ ବାପା କିଛି କିଛି ସହାୟତା କରିଦେଉଥିଲେ। ଷ୍ଟାଇପେଣ୍ଡ ଅର୍ଥରେ ନାରାୟଣୀ ପଢ଼ା ସାରି ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଭାବରେ ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ଯୋଗ ଦେଇଥିଲେ।

ତାଙ୍କର ୧୧ ଭାଇ ଭଉଣୀ ଥିବାରୁ ନାରାୟଣୀ ନିଜର ଦରମା ଭାଇମାନଙ୍କ ଶିକ୍ଷାରେ ବିନିଯୋଗ କରୁଥିଲେ। ଭାଇ ଓ ଭଉଣୀମାନଙ୍କ ପାଇଁ ସେ ଡେରି ଯାଏ ବିବାହ କରି ନ ଥିଲେ। ପରେ କିନ୍ତୁ ସେ ବିବାହ ନିଷ୍ପତ୍ତି ନେଇଥିଲେ। ନିଜ ପରିବାରର ସମସ୍ୟା ଥିବା ବେଳେ ତାଙ୍କର ବଦଳି କଳାହାଣ୍ଡି ହୋଇଥିଲା ଓ ସେ କଳାହାଣ୍ଡି ନ ଯାଇ ସମ୍ବଲପୁର ମ୍ୟୁନିସିପାଲିଟି ହସ୍ପିଟାଲରେ ଯୋଗଦେଲେ ଓ ୩୦ ବର୍ଷ ତଳେ ବହୁତ କମ ପେନସନ ସହିତ ଅବସର ନେଇଥିଲେ। ତାଙ୍କ ସ୍ୱାମୀ ଥିଲେ ଓଡ଼ିଆ ଦୈନିକ ସମାଜର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି। ଜୀବନ ଜଞ୍ଜାଳର ଲମ୍ବା ଇନିଂସ ଖେଳି ତାଙ୍କ ସ୍ୱାମୀ ଦୁଇବର୍ଷ ପୂର୍ବରୁ ପରଲୋକ ପ୍ରାପ୍ତି କରିଥିବା ବେଳେ ନାରାୟଣୀ ଅତୀତର ସ୍ମୃତି ରୋମନ୍ଥନ କରି କଲେଜ ଦିନକୁ ଫେରିଥିଲେ ଓ ମନେପଡିଥିଲା କଲେଜର ସହାୟତା କଥା। ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ଅତୀତରେ କଲେଜ ଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହାର ଅବଦାନ ପ୍ରମୁଖ ଥିଲା। ଅନେକ ଗରିବ ଓ ମେଧାବୀ ଛାତ୍ର ଅର୍ଥ ଅଭାବରୁ ପାଠ ପଢିପାରୁ ନ ଥିବାରୁ ସହରର କେତେକ ବୁଦ୍ଧିଜୀବୀ ୧୯୪୦ ମସିହାରେ ଜିଏମ କଲେଜ ଟ୍ରଷ୍ଟ ଗଠନ କରିଥିଲେ। ଏହି ଟ୍ରଷ୍ଟ ନାରାୟଣୀଙ୍କ ପରି ଅନେକ ମେଧାବୀଙ୍କ ସ୍ୱପ୍ନକୁ ସାକାର ହେବାରେ ଯେଉଁ ଭୂମିକା ନିର୍ବାହ କରିଥିଲା ନାରାୟଣୀ ଆଗାମୀ ପିଢ଼ିକୁ ସେଭଳି ସୁଯୋଗ ଦେବାକୁ ଏଭଳି ରାସ୍ତା ବାଛିବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି ମୋ କଲେଜ ଓ ମୋ ବିଶ୍ୱବିଦ୍ୟାଳୟ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ଏମ ନାଗରାଜୂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କିଛି ମାସ ତଳେ ଡାକ୍ତର ପଣ୍ଡା ମୋ କଲେଜ ଅଭିଯାନର ଏକ ଅଂଶ ହେବେ ବୋଲି ଜଣାଇଥିଲେ। ନାରାୟଣୀ ୩୦ ଲକ୍ଷ ଦାନ ଦେଇ ୟୁନିଭର୍ସିଟି ହାତକୁ ୬୦ ଲକ୍ଷ ଟଙ୍କା ମିଳିବାରେ ସାହାଯ୍ୟ କରିଛନ୍ତି। ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ମୋ କଲେଜ ଓ ମୋ ବିଶ୍ୱବିଦ୍ୟାଳୟ ଅଭିଯାନ ପାଇଁ ଦାତାଙ୍କ ଠାରୁ ଯେତିକି ଦାନ ଆସିବ ସେହି ପରିମାଣର ଅନୁଦାନ ସରକାର ଯୋଗାଇଦେବେ।

ମିଳୁଛି ଦାତାଙ୍କ ସହଯୋଗ
୨୦୧୭ ନଭେମ୍ବର ୧୪ରେ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିବା ବେଳେ ୨୦୧୯ରେ ମୋ କଲେଜ ଅଭିଯାନ ଆରମ୍ଭ କରିଛନ୍ତି। ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କର ସ୍କୁଲ ସହିତ ଯୋଡିବା ପାଇଁ ଏଭଳି ଏକ ପ୍ରୟାସ ଏବେ ଧୀରେ ଧୀରେ ସଫଳତା ଆଡ଼କୁ ଯାଉଥିବା ଲକ୍ଷ କରାଯାଉଛି। ପୁରାତନ ବିଦ୍ୟାର୍ଥୀ ଯେତିକି ଦାନ ଦେବେ ସରକାର ଆଉ ସେତିକି ସେଥିରେ ଯୋଡି ସମ୍ପୃକ୍ତ ଅନୁଷ୍ଠାନର ବିକାଶ ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା ଏଥିରେ ରହିଛି। ସରକାର ଏକ କର୍ପସ ଫଣ୍ଡ ଗଠନ କରି ଏଭଳି ପ୍ରକ୍ରିୟାକୁ ବଳ ଯୋଗାଇଛନ୍ତି। ନାରାୟଣୀଙ୍କ ଭଳି ବିଦ୍ୟାର୍ଥୀମାନେ ଆବେଗିକ ଭାବେ ନିଜର କଲେଜ ସହିତ ଯୋଡିହୋଇ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ