ଜାଣନ୍ତୁ ବୀରାଙ୍ଗନା ଧାବିକା ଭୀରାମନିଙ୍କ ସଂଘର୍ଷର କାହାଣୀ

ଗରିବୀକୁ ଏଡ଼ାଇ ପାଇଛନ୍ତି ଟୋକିଓ ଅଲିମ୍ପିକ ଟିକେଟ

ରେବତୀ ଭୀରାମନି
ଟୋକିଓ ଅଲିମ୍ପିକ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାରତର ଅନେକ ଖେଳାଳି ଭାଗ ନେବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି ଜଣେ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି, ଯିଏ ଗରିବୀକୁ ପଛକୁ ପକାଇ ଏଠାରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏଠାରେ ଦେଶର ଝିଅ ରେବତୀ ଭୀରାମନିଙ୍କ କାହାଣୀ କୁହାଯାଇଛି, ଯିଏ ଟୋକିଓ ଅଲିମ୍ପିକରେ ଖେଳିବାକୁ ଯାଉଛନ୍ତି। କିନ୍ତୁ ଏହି ଯାତ୍ରା ସହଜ ନ ଥିଲା। ଘରେ ଏତେ ଅଭାବ ଥିଲେ ବି ରେବତୀ ହାର ମାନି ନ ଥିଲେ।

ରେବତୀଙ୍କ ବୟସ ଯେତେବେଳେ ୭ ବର୍ଷ ହୋଇଥିଲା, ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ତାମିଲନାଡ଼ୁରେ ରହୁଥିବା ରେବତୀଙ୍କ ମା’ ବି ତାଙ୍କ ପିତାଙ୍କ ଦେହାନ୍ତର ଏକ ବର୍ଷ ପରେ ମୃତ୍ୟୁବରଣ କରିଥିଲେ। ରେବତୀ ଓ ତାଙ୍କ ଭଉଣୀଙ୍କୁ ପିଲାଦିନୁ ତାଙ୍କ ଆଈ ପାଳିଥିଲେ। ମୂଲ ମଜୁରୀ ଖଟି ସେ ଦୁଇ ଭଉଣୀଙ୍କୁ ପାଳିଥିଲେ।

ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ରେବତୀ ଅନେକ ପ୍ରତିଯୋଗିତାରେ ଭାଗ ନେଉଥିଲେ ବି ତାଙ୍କ ପାଖରେ ଜୋତା ନ ଥିଲା। ଅନେକ ସମୟରେ ସେ ଖାଲି ପାଦରେ ଦୌଡ଼ୁଥିଲେ। ତାଙ୍କ କୋଚ କାନନ ରେବତୀଙ୍କ ଏହି ପ୍ରତିଭା ଦେଖି ଚକିତ ହୋଇଯାଇଥିଲେ। କାନନ କହିଛନ୍ତି ଯେ ସେ ରେବତୀଙ୍କୁ ଅନେକ ସାହାଯ୍ୟ କରିଥିଲେ। ଏପରିକି ସେ ରେବତୀଙ୍କ ପାଇଁ ଜୋତା କିଣିଥିଲେ। ତାଙ୍କ କଲେଜ ଫି’ ବ୍ୟବସ୍ଥା ବି କରିଥିଲେ। ରେବତୀଙ୍କ ଆଈ ଏକ ଛୋଟ ଗାଁରେ ରହି ବି ତାଙ୍କୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଥିବା ଦେଖି ଏଭଳି ଲୋକଙ୍କୁ ସାହାଯ୍ୟ କରିବା ଓ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାକୁ ସେ ଭାବିଥିଲେ ବୋଲି କାନନ କହିଛନ୍ତି।

ରେବତୀଙ୍କ ଆଈ ତାଙ୍କୁ ଦୌଡ଼ିବା ପାଇଁ ପ୍ରୋତ୍ସାହିତ କରୁଥିବା ଦେଖି ତାଙ୍କ ଗାଁର ଲୋକେ ଟାହି ଟାପରା କରୁଥିଲେ। କିନ୍ତୁ ଏଭଳି ଛୋଟ ଚିନ୍ତାଧାରାକୁ ସେ କାନରେ ପୂରାଇ ନ ଥିଲେ। ରେବତୀଙ୍କୁ ଦୌଡ଼ିବା ଲାଗି ସେ ଲଗାତର ଅନୁପ୍ରାଣିତ କରିବାରେ ଲାଗିଲେ। ରେବତୀଙ୍କ ସାଙ୍ଗସାଥୀ ବି ତାଙ୍କୁ ଆର୍ଥିକ ସହଯୋଗ କରୁଥିଲେ। ଅନେକ ବର୍ଷ ସଂଘର୍ଷ କରିବା ପରେ ତାଙ୍କୁ ଦକ୍ଷିଣ ରେଳବାଇରେ ଚାକିରି ମିଳିଥିଲା। ରେବତୀ ମାତ୍ର ୫୩.୫୫ ସେକେଣ୍ଡରେ ୪୦୦ ମିଟର ଦୌଡ଼ ପୂରା କରିଛନ୍ତି। ପରେ ସେ ୪ ଗୁଣା ୪୦୦ ମିଟର ମହିଳା ରିଲେ ବର୍ଗରେ ଟୋକିଓ ଅଲିମ୍ପିକ ପାଇଁ ଚୟନ ହୋଇଛନ୍ତି। ୨୩ ବର୍ଷୀୟା ରେବତୀ ଟ୍ରାଏଲ ଦେବାକୁ ଆସିଥିବା ଧାବିକାଙ୍କ ମଧ୍ୟରେ ସବୁଠାରୁ କ୍ଷୀପ୍ର ଗତିରେ ଦୌଡ଼ୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ