‘ଜ୍ବାର ଭଟ୍ଟା’ରୁ ‘କିଲା’: ଦିଲ୍ ଜିତିଥିଲେ ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର


ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାରଙ୍କ ବିଭିନ୍ନ ଅବତାରର କୋଲାଜ୍ (ଫାଇଲ୍ ଫଟୋ)
ଗତ ସପ୍ତାହରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାର ଇହଧାମ ତ୍ୟାଗ କରିଛନ୍ତି। ପତ୍ନୀ ସାୟରା ବାନୋଙ୍କୁ ଏକାକୀ କରି ଏହି ପ୍ରତିଭାଶାଳୀ କଳାକାର ଅଫେରା ପଥର ପଥିକ ସାଜିଛନ୍ତି। ୯୮ ବର୍ଷ ବୟସରେ ସେ ତାଙ୍କ ପତ୍ନୀ ଓ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଶୋକ ସାଗରରେ ଭସାଇ ଦେଇ ହିନ୍ଦୁଜା ହସ୍ପିଟାଲରେ ଆରପାରିକୁ ଚାଲିଯାଇଛନ୍ତି। ତେବେ ଦୀର୍ଘ ୫ ଦଶନ୍ଧି ଧରି ବଲିଉଡରେ ସକ୍ରିୟ ଥିବା ଏହି କଳାକାର ଜଣକ ତାଙ୍କର ଅଭୂତପୂର୍ବ ଅଭିନୟ ଜରିଆରେ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜୁତି କରିପାରିଥିଲେ। ମାତ୍ର ୨୨ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ‘ଜ୍ବାର ଭଟ୍ଟା’ ମାଧ୍ୟମରେ ପାଦ ଥାପିଥିବା ଦିଲୀପଙ୍କ ପ୍ରକୃତ ନାମ ୟୁସୁଫ୍ ପଛରେ ରହିଯାଇଥିଲା। କାରଣ ତାଙ୍କର ଅନସ୍କ୍ରିନ୍ ନାମ ଦିଲୀପ କୁମାର ରହିଥିଲା ଓ ସେଇଦିନଠାରୁ ସେ ଏହି ନାମରେ ହିଁ ପରିଚିତ ହୋଇଥିଲେ। ୧୯୯୮ରେ ‘କିଲା’ ଫିଲ୍ମରେ ଅଭିନୟ କରିବା ପରେ ସେ ବଲିଉଡଠାରୁ ଦୂରେଇ ଯାଇଥିଲେ। ପତ୍ନୀ ଶାୟରାଙ୍କ ସହ ସୁଖମୟ ଜୀବନ ଅତିବାହିତ କରିଥିବା ଦିଲୀପ ସନ୍ତାନ ସୁଖରୁ ବଞ୍ଚିତ ଥିଲେ। କିନ୍ତୁ ଚଳଚ୍ଚିତ୍ରରେ ଦୀର୍ଘ ୫୪ ବର୍ଷ ଧରି ରାଜ୍ କରିବା ଅବସରରେ ନାୟକଠାରୁ ଆରମ୍ଭ କରି ଚରିତ୍ର ଅଭିନେତା, ସବୁ କ୍ଷେତ୍ରରେ ଅଜସ୍ର ଓ ଅଭୁଲା ସଫଳତା ପାଇଥିଲେ। ଏହି ମହାନାୟକଙ୍କ ସମ୍ପର୍କରେ ଆଲୋଚନା କରିବା।

ୟୁସୁଫ୍ ବନିଲେ ଦିଲୀପ, ‘ଅନ୍ଦାଜ’ରୁ ସଫଳତାର ଧାରା
କ୍ୟାରିଅର୍ ପ୍ରାରମ୍ଭରେ ଏକାଧିକ ଫ୍ଲପ୍ ଫିଲ୍ମ ଦେଇଥିଲେ ହେଁ ଦିଲୀପ ୧୯୪୭ରେ ମୁକ୍ତିଲାଭ କରିଥିବା ‘ଜୁଗନୁ’ ମାଧ୍ୟମରେ ସମସ୍ତଙ୍କ ଦିଲରେ ରାଜୁତି କରିବା ଆରମ୍ଭ କରିଦେଇଥିଲେ। ନୂର ଜହାଁଙ୍କ ସହ ଦିଲୀପ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ବକ୍ସ ଅଫିସରେ ଏହା ତାଙ୍କର ପ୍ରଥମ ହିଟ୍ ଫିଲ୍ମ ଥିଲା। ପରବର୍ଷ ୧୯୪୮ରେ ଶହୀଦ ଓ ମେଲା ମୁକ୍ତିଲାଭ କରିଥିଲା। ଉଭୟ ଫିଲ୍ମକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ ଓ ଦିଲୀପଙ୍କଠାରେ ଲାଗିଥିଲା ଜଣେ ସଫଳ ଅଭିନେତାର ମୋହର। ଶୋ’ ମ୍ୟାନ୍ ଭାବେ ପରିଚିତ ରାଜ କପୁର ଓ ନର୍ଗିସ୍‌ଙ୍କ ସହ ଦିଲୀପଙ୍କ ତ୍ରିକୋଣୀୟ ପ୍ରେମ କାହାଣୀଭିତ୍ତିକ ଚଳଚ୍ଚିତ୍ର ‘ଅନ୍ଦାଜ’ବକ୍ସ ଅଫିସରେ ଅଜସ୍ର ସଫଳତା ପାଇଥିଲା। ଏପରିକି ବକ୍ସ ଅଫିସରେ ଏହା ନୂଆ ରେକର୍ଡ ମଧ୍ୟ କରିଥିଲା। ଅବଶ୍ୟ ଉକ୍ତ ବର୍ଷ ମୁକ୍ତିଲାଭ କରିଥିବା ରାଜ କପୁରଙ୍କ ବରସାତ୍ ଏହି ରେକର୍ଡକୁ ଭାଙ୍ଗିଦେଇଥିଲା। ଉକ୍ତ ବର୍ଷ ଦିଲୀପ ତାଙ୍କର ଆଉ ଏକ ସଫଳ ଫିଲ୍ମ ଦେଇଥିଲେ, ଯାହାର ନାମ ଥିଲା ଶବନମ୍।

୫୦ ଦଶକରେ ଦିଲୀପଙ୍କ ହିଟ୍ ଫିଲ୍ମର ବନ୍ୟା
୪୦ ଦଶକରେ ହାତଗଣତି ସଫଳ ଫିଲ୍ମ ଦେଇଥିବା ଦିଲୀପ ପରବର୍ତ୍ତୀ ଦଶନ୍ଧିରେ ହିଟ୍ ଚଳଚ୍ଚିତ୍ରର ବନ୍ୟା ବୁହାଇଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଦଶନ୍ଧିରେ ତାଙ୍କର ୧୫ରୁ ଊର୍ଦ୍ଧ୍ବ  ଫିଲ୍ମ ବକ୍ସ ଅଫିସରେ ହିଟ୍ ହେବା ସହ ବେଶ୍ ମୋଟା ଅଙ୍କର ଅର୍ଥ ଆୟ କରିଥିଲା। ସେଥି ମଧ୍ୟରେ ଜୋଗନ୍, ବାବୁଲ୍, ହଲଚଲ, ଦୀଦାର, ତରାନା, ଦାଗ, ସଙ୍ଗଦିଲ, ଶିକସ୍ତ, ଅମର, ଉଡନ୍ ଖଟୋଲା, ଇନସାନିୟତ୍, ଦେବଦାସ, ନୟା ଦୌର୍, ୟହୁଦୀ, ମଧୁମତି ଓ ପୈଗାମ୍ ଆଦି ଅନ୍ୟତମ। ପରେ ମେହବୁବ୍ ଖାନଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆନ୍’ ପ୍ରଥମ ଚଳଚ୍ଚିତ୍ର ଭାବେ ଟେକନିକଲରରେ ଶୁଟ୍ ହୋଇଥିଲା। ଏହି ଫିଲ୍ମର ପ୍ରିମିୟର୍ ଲଣ୍ଡନରେ ହେବା ସହ ୟୁରୋପର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଉଭୟ ଭାରତ ଓ ବିଦେଶରେ ସବୁଠାରୁ ସଫଳ ଚଳଚ୍ଚିତ୍ର ରହିଥିଲା। ଏଥିସହ ଉକ୍ତ ବର୍ଷ ସେ ଆଜାଦ୍ ଓ କୋହିନୂରରେ ଯଥାକ୍ରମେ ଚୋର ଓ ରାଜା ଚରିତ୍ରରେ ଅଭିନୟ କରି ତାଙ୍କ ଅଭିନୟ ଚାତୁରୀର ଏକ ନୂଆ ଦିଗ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ଅବଗତ କରାଇଥିଲେ। ସେ ‘ଦାଗ୍’ ପାଇଁ ପ୍ରଥମ ଅଭିନେତା ଭାବେ ଫିଲ୍ମଫେୟାର୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଏହାପରେ ସେ ଆହୁରି ୭ ଥର ଏହି ଆୱାର୍ଡ ପାଇ ଇଣ୍ଡଷ୍ଟ୍ରୀରେ ରେକର୍ଡ କରିଥିଲେ। ପରେ ଶାହରୁଖ୍ ଖାନ୍ ତାଙ୍କ ସମକକ୍ଷ ହୋଇଥିଲେ। ୫୦ ଦଶକରେ ଦିଲୀପ ପ୍ରଥମ ଅଭିନେତା, ଯିଏକି ପାରିଶ୍ରମିକ ବାବଦରେ ଫିଲ୍ମ ପିଛା ଲକ୍ଷେ ଟଙ୍କା ଦାବି କରୁଥିଲେ। ସେ ବୈଜୟନ୍ତୀମାଳା, ମଧୁବାଲା, ନର୍ଗିସ୍, ନିମ୍ମି, ମୀନା କୁମାରୀ ଓ କାମିନୀ କୌଶଲଙ୍କ ସହ ଅନେକ ହିଟ୍ ଫିଲ୍ମ ଦେଇଥିଲେ।

ଐତିହାସିକ ପରିଚୟ ଦେଇଥିଲା ‘ସଲିମ୍’ ଚରିତ୍ର
୧୯୬୦ରେ ମୁକ୍ତିଲାଭ କରିଥିବା ବଲିଉଡର ଆଉ ଏକ ଐତିହାସିକ ଚଳଚ୍ଚିତ୍ର ମୁଗଲ୍-ଏ-ଆଜମ୍। କେ.ଆସିଫଙ୍କ ଏହି ଚଳଚ୍ଚିତ୍ରରେ ଦରବାରରେ ନୃତ୍ୟ ପରିବେଷଣ କରୁଥିବା ଜଣେ ଝିଅ ପ୍ରେମରେ ପଡ଼ି ସଲିମ୍ ପିତା ଆକବରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିବା ଚଳଚ୍ଚିତ୍ରର ସବୁଠାରୁ ବଡ଼ ସଫଳ ପ୍ଲଟ୍ ରହିଥିଲା। ପାଖାପାଖି ୧୧ ବର୍ଷ ଧରି ଦିଲୀପ-ମଧୁବାଲା ଯୋଡ଼ିସମ୍ପନ୍ନ ଏହି ଚଳଚ୍ଚିତ୍ର ସବୁଠାରୁ ସଫଳ ଫିଲ୍ମ ରହିଥିଲା। ପରେ ୧୯୭୧ରେ ରାଜେଶ ଖାନ୍ନାଙ୍କ ‘ହାଥୀ ମେରେ ସାଥୀ’ ଓ ୧୯୭୫ରେ ଅମିତାଭ ବଚ୍ଚନ-ଧର୍ମେନ୍ଦ୍ରଙ୍କ ଅଭିନୀତ ‘ଶୋଲେ’ ଏହି ରେକର୍ଡକୁ ଭାଙ୍ଗିଥିଲେ। ୬୦ ଦଶକରେ ମୁଗଲ୍-ଏ-ଆଜମ୍ ୨୦୧୦ ମସିହାର ମୁଦ୍ରାସ୍ଫୀତି ହାର ଅନୁସାରେ ପାଖାପାଖି ହଜାରେ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ କରିଥିଲା। ଏହି ଫିଲ୍ମର ସଫଳତାରୁ ଫାଇଦା ନେବା ସକାଶେ ୨୦୦୪ରେ ଏହାକୁ ରଙ୍ଗିନ ଚଳଚ୍ଚିତ୍ର ଭାବେ ମଧ୍ୟ ସିନେମା ହଲରେ ରିଲିଜ୍ କରାଯାଇଥିଲା। ତେବେ ଏହି ଫିଲ୍ମ ପରେ ଦିଲୀପଙ୍କୁ ପ୍ରଯୋଜକ ହେବାର ନିଶା ଘାରିଥିଲା। ୧୯୬୧ରେ ରିଲିଜ୍ ହୋଇଥିବା ‘ଗଙ୍ଗା ଯମୁନା’ରେ ବୈଜୟନ୍ତୀମାଲା ତାଙ୍କ ହିରୋଇନ୍ ଥିବା ବେଳେ ଭାଇ ନାସିର୍ ଖାନ୍ ମଧ୍ୟ ଅଭିନୟ କରିଥିଲେ। ତେବେ ଏଥିରେ ଦିଲୀପ ପ୍ରଥମ ଓ ଶେଷ ଥର ପାଇଁ ପ୍ରଯୋଜନା କରିଥିଲେ। ଏହି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏକାଧିକ ଆୱାର୍ଡ ପାଇଥିଲା।

୭୦ ଦଶକରେ ବିଫଳ ରହିଥିଲେ ହେଁ ୮୦ରେ ପୁଣି ଫେରିଥିଲେ
ଦିଲୀପଙ୍କ କ୍ୟାରିଅର୍ ୭୦ ଦଶକରେ ଦାସ୍ତାନ୍, ଗୋପୀ, ସଗିନା, ବୈରାଗ ପରି ବିଫଳ ଫିଲ୍ମ କାରଣରୁ ସାମାନ୍ୟ ପ୍ରଭାବିତ ହୋଇଥିଲା। କିନ୍ତୁ ୮୦ ଦଶକରେ ସେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ ବର୍ଷ ମଲ୍ଟି ଷ୍ଟାରର୍ ଫିଲ୍ମ କ୍ରାନ୍ତି ତାଙ୍କୁ ଇଣ୍ଡଷ୍ଟ୍ରୀରେ ପୁଣିଥରେ ପ୍ରତିଷ୍ଠା ଦେଇଥିଲା। ୧୯୮୨ରେ ସୁଭାଷ ଘାଇଙ୍କ  ‘ବିଧାତା’, ରମେଶ ସିପ୍ପିଙ୍କ ‘ଶକ୍ତି’ ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇଥିଲା। ଅମିତାଭଙ୍କ ସହ ‘ଶକ୍ତି’ ଚଳଚ୍ଚିତ୍ରରେ ତାଙ୍କର ଉତ୍କର୍ଷ ଅଭିନୟ ପାଇଁ ଦିଲୀପ ଅଷ୍ଟମ ଥର ପାଇଁ ଫିଲ୍ମଫେୟାର୍ ପୁରସ୍କାର ପାଇଥିଲେ। ଏହାଛଡ଼ା ୧୯୮୪ରେ ୟଶ ଚୋପ୍ରାଙ୍କ ‘ମଶାଲ’ ଫିଲ୍ମ ଯଦିଓ ସେତେଟା ସଫଳତା ପାଇ ନ ଥିଲା, କିନ୍ତୁ ଦିଲୀପଙ୍କ ରୋଲକୁ ସମସ୍ତେ ପ୍ରଶଂସା କରିଥିଲେ। ଋଷି କପୁରଙ୍କ ସହ ଦୁନିୟା ଓ ଜିତେନ୍ଦ୍ରଙ୍କ ସହ ଧରମ ଅଧିକାରୀରେ ମଧ୍ୟ ଉକ୍ତ ବର୍ଷ ଦିଲୀପ ଅଭିନୟ କରିଥିଲେ। ସେହିପରି ସୁଭାଷ ଘାଇଙ୍କ ଜବରଦସ୍ତ ହିଟ୍ ସିନେମା ‘କର୍ମା’ର ସଫଳତାର ଶ୍ରେୟ ମୁଖ୍ୟତଃ ଦିଲୀପଙ୍କୁ ଦିଆଯାଇଥିଲା।

ସେ ପ୍ରଥମ ଥର ପାଇଁ ନୂତନଙ୍କ ବିପକ୍ଷରେ ଅଭିନୟ କରିବା ସହ ୧୯୮୯ରେ ପୁନର୍ବାର ‘କାନୁନ୍ ଅପନା ଅପନା’ରେ ରିପିଟ୍ କରିଥିଲେ। ୧୯୯୧ରେ ରାଜକୁମାରଙ୍କ ସହ ‘ସୌଦାଗର’ରେ ଦିଲୀପ ଅଭିନୟ କରିଥିବା ବେଳେ ସୁଭାଷଙ୍କ ସହ ଏହା ତାଙ୍କର ୩ୟ ତଥା ଶେଷ ଫିଲ୍ମ ଥିଲା। ୧୯୫୯ର ପୈଗାମ୍ ପରେ ଏହା ରାଜକୁମାରଙ୍କ ସହ ମଧ୍ୟ ତାଙ୍କର ଦ୍ବିତୀୟ ଫିଲ୍ମ ଥିଲା। ସୌଦାଗର ମଧ୍ୟ ବକ୍ସ ଅଫିସରେ ଦିଲୀପଙ୍କ ଶେଷ ସଫଳ ଫିଲ୍ମ ରହିଥିଲା। ୧୯୯୪ରେ ବଲିଉଡ୍ ପ୍ରତି ଅବଦାନ ପାଇଁ ଦିଲୀପ ଫିଲ୍ମଫେୟାର୍ ଲାଇଫଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ ପାଇଥିଲେ। ୧୯୯୮ରେ ଦିଲୀପଙ୍କ ଶେଷ ଫିଲ୍ମ ଭାବେ ‘କିଲା’ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ଡବଲ୍ ରୋଲ୍ କରିଥିଲେ। କିନ୍ତୁ ଏହା ବକ୍ସ ଅଫିସରେ ବିଫଳ ରହିଥିଲା। ଏଥିସହ ବିଫଳ ଫିଲ୍ମରୁ ଆରମ୍ଭ ଓ ଶେଷ ହୋଇଥିଲେ ମଧ୍ୟ ଦିଲୀପଙ୍କ କ୍ୟାରିଅର୍ ସଫଳତାର ଚରମ ସୀମାରେ ପହଞ୍ଚିପାରିଥିଲା। ତାଙ୍କ ପରଲୋକରେ ଏକ ଯୁଗର ଅବସାନ ହେଲା ବୋଲି କୁହାଯାଇପାରେ।

ରାଜ୍ୟସଭା ଯାଇଥିଲେ, ମଧୁବାଲା ଓ ନର୍ଗିସଙ୍କୁ ଭଲ ପାଉଥିଲେ
ଫିଲ୍ମ ଦୁନିଆର ବେତାଜ ବାଦଶାହ ଭାବେ ପରିଚିତ ହୋଇଥିବା ଦିଲୀପ ତାଙ୍କର ଟ୍ରାଜେଡି ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବା ପରେ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ। ସେ ୨୦୦୦ ମସିହାରେ କଂଗ୍ରେସ ତରଫରୁ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାରେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ସାଂସଦ ପାଣ୍ଠିର ସଦୁପଯୋଗ କରିଥିଲେ। ସେହିପରି ବ୍ୟକ୍ତିଗତ ଜୀବନରେ ତରାନା ଫିଲ୍ମ ପରେ ଦିଲୀପ ମଧୁବାଲାଙ୍କ ପ୍ରେମରେ ପଡ଼ିଥିଲେ। ପାଖାପାଖି ୭ ବର୍ଷ ଧରି ଉଭୟଙ୍କ ମଦ୍ୟରେ ପ୍ରେମ ସମ୍ପର୍କ ଜାରି ରହିବା ପରେ ‘ନୟା ଦୌର’କୁ ନେଇ ହୋଇଥିବା କେସରେ ମଧୁବାଲା ଓ ତାଙ୍କ ପିତାଙ୍କ ବିରୋଧରେ ଦିଲୀପ ସାକ୍ଷୀ ଦେବାରୁ ଉଭୟଙ୍କ ସମ୍ପର୍କରେ ଡୋରି ବନ୍ଧା ହୋଇଥିଲା। ପରେ ନର୍ଗିସଙ୍କୁ ମଧ୍ୟ ସେ ଭଲ ପାଉଥିବା ନେଇ ବିଭିନ୍ନ ମାଗାଜିନରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ତାଙ୍କଠାରୁ ପାଖାପାଖି ୨୨ ବର୍ଷ ସାନ ଶାୟରାଙ୍କୁ ୧୯୬୬ ମସିହାରେ ବିବାହ କରିଥିଲେ। ପରେ ହାଇଦ୍ରାବାଦର ସାମାଜିକ କର୍ମୀ ଅସମା ସାହିବାଙ୍କୁ ଦିଲୀପ ଦ୍ବିତୀୟ ବିବାହ କରିଥିଲେ ମଧ୍ୟ ୧୯୮୩ରେ ଏହି ସମ୍ପର୍କରେ ଯବନିକା ପଡ଼ିଥିଲା। ଅଭିନେତା ଓ ସଫଳ ବ୍ୟକ୍ତିବିଶେଷ ଭାବେ ସେ ଏକମାତ୍ର ଭାରତୀୟ ଭାବେ ପାକିସ୍ତାନର ଶ୍ରେଷ୍ଠ ନାଗରିକ ସମ୍ମାନ ନିଶାନ୍-ଏ-ଇମତିଆଜ୍ ସମ୍ମାନ ପାଇଥିଲେ। ଏହାଛଡ଼ା ବିଭିନ୍ନ ରାଜ୍ୟ ସରକାର, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲେ। ତେଣୁ ଦିଲୀପ ଜଣେ କଳାକାର ଭିତରେ ସୀମିତ ନ ଥିଲେ, ସେ ନିଜେ ଏକ ପ୍ରତିଷ୍ଠାନ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ