ଅର୍କେଷ୍ଟ୍ରା ଡ୍ୟାନ୍ସରଙ୍କ ଲୁହଭରା କାହାଣୀ


ପଞ୍ଜୁରୀ ଭିତରେ ଅସହାୟ ଅର୍କେଷ୍ଟ୍ରା ଡ୍ୟାନ୍ସର (ଫାଇଲ ଫଟୋ)
ଛୋଟ ଏକ ରୁମ୍। ଜଣେ ସାମ୍ବାଦିକ ଜଣକ ପରେ ଜଣେ ମହିଳାଙ୍କୁ ଭିତରକୁ ଡାକି ତାଙ୍କ ସହ ଘଟିଥିବା ଘଟଣାର ରେକର୍ଡିଙ୍ଗ କରୁଥାନ୍ତି। ବାହାରେ କିଛି ମହିଳା ଅପେକ୍ଷା କରିଥିବା ବେଳେ କେତେକ ଘର ଭିତରେ ସାକ୍ଷାତକାର ଦେଉଥାନ୍ତି। ଅପେକ୍ଷା କରିଥିବା ମହିଳାମାନେ ଆଦୌ ବ୍ୟସ୍ତ ହେଉ ନ ଥାନ୍ତି। କାରଣ ସେମାନେ ଭାବି ନେଇଥାନ୍ତି ଯେ ସେମାନଙ୍କୁ ସେମାନଙ୍କ କାହାଣୀ ରେକର୍ଡ କରିବାକୁ ପଡିବ। ଯିଏ ସେମାନଙ୍କୁ ଏଠାକୁ ଆଣିଛନ୍ତି ସେ କହିଦେଇଥାନ୍ତି ଯେ ଏହା ସେମାନଙ୍କ ପାଇଁ ସହାୟକ ହୋଇପାରେ। ଜଣେ ସେମାନଙ୍କ କାହାଣୀ ପଢିବା କିମ୍ବା ଶୁଣିବା ଦ୍ୱାରା ସେମାନଙ୍କୁ ବଞ୍ଚାଇବାକୁ ଆଗକୁ ଆସିପାରେ। ତାଙ୍କ ପାଇଁ ଏହା ଆଶାର କିରଣ ପରି ଥିଲା।

୩୦ ବର୍ଷ ବୟସର ଜଣେ ମହିଳା ଏହି ଝିଅମାନଙ୍କ ପରିଚୟ ଦେବାକୁ ଯାଇ ଏମିତି ଆରମ୍ଭ କଲେ। ବିହାରର କେତେକ ଅଞ୍ଚଳରୁ ଆସିଥିବା ଏହି ଝିଅମାନେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକରେ ଆୟୋଜିତ ସ୍ୱତନ୍ତ୍ର ଅର୍କେଷ୍ଟ୍ରାରେ ନାଚ ଓ ଗୀତ ଗାଇବାରେ ଜୀବିକା କରିଛନ୍ତି। ସ୍ୱତନ୍ତ୍ର ବ୍ୟାଣ୍ଡରେ ନୃତ୍ୟ ପରିବେଷଣ କରିବା ନେଇ ଅନେକ ସମୟରେ ସେମାନଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ନୃତ୍ୟକୁ ମଜାଳିଆ କରିବାକୁ ଯାଇ ସେମାନେ ଖରାପ ନଜରର ଶିକାର ହୋଇଥାନ୍ତି। ଅନେକ ସମୟରେ ମଦ୍ୟପ ଦର୍ଶକମାନେ ସେମାନଙ୍କୁ ଜବରଦସ୍ତ ସ୍ପର୍ଶ କରନ୍ତି। ବାହୁ ବନ୍ଧନରେ ଆବଦ୍ଧ କରନ୍ତି ଏବଂ ବେଳେବେଳେ ବଳାତ୍କାର ମଧ୍ୟ କରାଯାଏ। ବିବାହରେ ଗୁଳି ଚଳାଇବା ଏକ ମାମୁଲି କଥା। ଯେଉଁ ନର୍ତ୍ତକୀମାନେ ଯୌନ ଇଙ୍ଗିତକୁ ବେଖାତିର କରନ୍ତି, ସେମାନଙ୍କୁ ଗୁଳିଚୋଟ ଖାଇବାକୁ ହୋଇଥାଏ। ଏମିତି ଏକ ଘଟଣା ଗତମାସରେ ଘଟିଥିଲା। ଜୁନ୍ ୨୪ରେ ନାଳନ୍ଦାରେ ଏପରି ଏକ ବିବାହ ସମାରୋହରେ ସ୍ବାତୀ ନାମ୍ନୀ ଜଣେ ଝିଅର ମୃତ୍ୟୁ ଗୁଳିଚୋଟରେ ହୋଇଥିଲା। ଗୁଳି ତାଙ୍କ ମୁଣ୍ଡରେ ପ୍ରବେଶ କରିଯାଇଥିଲା। ଅତି ପାଖରୁ ହୋଇଥିବା ଗୁଳିମାଡ଼ ଓ ଏଥିରେ ଅତ୍ୟଧିକ ରକ୍ତଶ୍ରାବ ସ୍ବାତୀଙ୍କ ଜୀବନ ବଞ୍ଚାଇ ପାରିଲା ନାହିଁ।

କୋରୋନା ଆଣିଲା ଡ୍ୟାନ୍ସରଙ୍କ ପାଇଁ କରୁଣ ସ୍ଥିତି
ଜଣେ ଝିଅ ସାମ୍ବାଦିକଙ୍କ ନିକଟରେ ନିଜର ଅସୁରକ୍ଷିତ କାହାଣୀ ବର୍ଣ୍ଣନା କରିବାକୁ ଯାଇ କୋରୋନା କାଳରେ ସେ ଓ ତାଙ୍କ ଭଳି ଡ୍ୟାନ୍ସ କରୁଥିବା ଝିଅମାନଙ୍କ ଜୀବନ କିଭଳି ଦୁର୍ବିସହ ହୋଇପଡିଛି ତାହା ଦର୍ଶାଇଥିଲେ। ଲକ ଡାଉନ ଲମ୍ବା ସମୟ ଧରି ରହିବାରୁ କାମ ପାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଘର ଭଡା ଦେବାକୁ ମଧ୍ୟ ଅଧିକାଂଶ ସକ୍ଷମ ହୋଇପାରି ନାହାନ୍ତି। ଅନେକ ଭଡାଘର ବଦଳାଇ ବସ୍ତି ଅଞ୍ଚଳକୁ ଆସିଥିବା ବେଳେ ଆଉ କେତେକ ନିଜର ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାକୁ ଦେହ ବ୍ୟବସାୟରେ ପ୍ରବେଶ କରିଛନ୍ତି। ଅର୍କେଷ୍ଟ୍ରା ବ୍ୟାଣ୍ଡରେ ଗୀତ ଗାଉଥିବା ରେଖା ବର୍ମା କହିଛନ୍ତି ଯେ ଦେହ ବ୍ୟବସାୟ ଯନ୍ତ୍ରଣାଦାୟକ, କିନ୍ତୁ ଆଉ କିଛି ବିକଳ୍ପ ଖୋଲା ନ ଥିବାରୁ ଏଭଳି କାମ କରିବାକୁ ଅନେକ ଡ୍ୟାନ୍ସର ବାଧ୍ୟ ହୋଇଛନ୍ତି। ରେଖା ହେଉଛନ୍ତି ଜାତୀୟ କଳାକାର ସଂଘର ସଭାପତି। ଅର୍କେଷ୍ଟ୍ରାରେ କାର୍ଯ୍ୟ କରୁଥିବା ଏହିପରି ପୁରୁଷ ଓ ମହିଳା କଳାକାରଙ୍କ ଅଧିକାର ପାଇଁ ସେ ୨୦୧୮ରେ ଏହି ସଂଗଠନ ଗଠନ କରିଥିଲେ। ଏହି ମହିଳାମାନଙ୍କ ମଧ୍ୟରୁ ଜଣେ ତାଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କଲାବେଳେ କାନ୍ଦିପକାଇଛନ୍ତି। ତାଙ୍କ ଆଖି ଲୁହରେ ଭିଜି ଯାଇଛି ଏବଂ କେଇ ବୁନ୍ଦା ଉଷ୍ମ ଲୁହ ତାଙ୍କ ଗାଲକୁ ଗଡ଼ିଯାଇଛି। ଲାଲ ଓ ହଳଦିଆ ରଙ୍ଗର ପୋଷାକ ପରିହିତା ଏହି ଯୁବତୀଙ୍କ ନାଁ ହେଉଛି ଦିବ୍ୟା। ଏହି ନାଁ କିନ୍ତୁ ଅସଲି ନୁହଁ। ସ୍ବର୍ଗତା ଅଭିନେତ୍ରୀ ଦିବ୍ୟାଙ୍କ ଜଣେ ବଡ଼ ଫ୍ୟାନ ହୋଇଥିବାରୁ ସେ ନିଜର ନାଁ ଏଭଳି ଭାବରେ ସାଥି କଳାକାରମାନଙ୍କ ଗହଣରେ ଦେଇ ପରିଚିତ ହୋଇଛନ୍ତି। ଦିବ୍ୟାଙ୍କ ବଡ଼ ବଡ଼ ଆଖି ଏବଂ ବାମ ହାତରେ ଏକ ତିତଲିର ଟାଟୁ ଅଛି। ଦିବ୍ୟାଙ୍କ ନାଁ ଦେଇ ସେ ତାଙ୍କ ପରି ହେବାକୁ ଚାହୁଁଥିଲେ। କିନ୍ତୁ ଏହା ଏତେ ସହଜ ହୋଇପାରି ନାହିଁ। ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ସ୍ଥାନ କିମ୍ବା ମଞ୍ଚରେ ଦିବ୍ୟା ନାଚନ୍ତି। ସେମାନଙ୍କୁ ମଦ୍ୟପ ପୁରୁଷମାନଙ୍କ ଗହଣରେ ନାଚିବାକୁ ହୋଇଥାଏ। ଏମାନେ ନାଚ ଚାଲିଥିବା ମଝିରେ ଝିଅ ମାନଙ୍କୁ କୁଣ୍ଢେଇ ଆଲିଙ୍ଗନ କରନ୍ତି। ପ୍ରତିବାଦ କଲେ ପଥର ଫିଙ୍ଗନ୍ତି ଓ ବନ୍ଧୁକ ଦେଖାନ୍ତି।

ସ୍ୱାମୀଙ୍କ ନିର୍ଯ୍ୟାତନା ଠାରୁ ମଞ୍ଚ ପର୍ଯ୍ୟନ୍ତ ଯାତ୍ରା
ଦିବ୍ୟା ବିହାରର ପୂର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ। ସେ କିଶୋରୀ ଥିବା ବେଳେ ତାଙ୍କ ପରିବାର କାମଧନ୍ଦା ସନ୍ଧାନରେ ପଞ୍ଜାବ ପଳାଇଥିଲେ। ସେ ୧୩ ବର୍ଷ ବୟସରେ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଆରମ୍ଭ କରିଥିଲେ। ସ୍ୱାମୀ ଜଣେ ଡ୍ରାଇଭର। ସେ ପ୍ରାୟତଃ ଦିବ୍ୟାଙ୍କୁ ମାଡ଼ ମାରିବା ସହ ଅତ୍ୟାଚାର କରୁଥିଲେ। ଦିନେ ଯେତେବେଳେ ସ୍ୱାମୀ ତାଙ୍କୁ ଘରୁ ବାହାରକୁ ଫିଙ୍ଗିଦେଲେ, ସେ ନିଜ ଝିଅକୁ ଧରି ରେଳ ଷ୍ଟେସନକୁ ଅଜଣା ଗନ୍ତବ୍ୟ ପାଇଁ ପହଞ୍ଚିଥିଲେ। କିଛି ସମୟ ପରେ ପାଟନା ପାଇଁ ଏକ ଟ୍ରେନ୍ ଧରିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ସହ ପରିଚିତ ହେଲେ। ସେ ତାଙ୍କୁ ଚାକିରି ଦେବ କହି ମିତାପୁରରେ ରହୁଥିବା ନିଜ ଗାର୍ଲ ଫ୍ରେଣ୍ଡ ରହୁଥିବା ଏକ ଫ୍ଲାଟରେ ନେଇ ରଖାଇଥିଲେ। ଷ୍ଟେଜ ଶୋ’ରେ ନାଚ କରି ରୋଜଗାର କରିବାର ଉପାୟ ଏଠାରୁ ଆରମ୍ଭ ହୋଇଥିଲା। ୧୭ ବର୍ଷ ଧରି ସ୍ୱାମୀଙ୍କ ଯାତନା ତାଙ୍କୁ ଷ୍ଟେଜ ଶୋ’ ପର୍ଯ୍ୟନ୍ତ ପହଞ୍ଚାଇଥିବା ସେ କହୁଥିବା ବେଳେ ଅତ୍ୟନ୍ତ ଭାବବିହ୍ବଳ ହୋଇଯାଇଥିଲେ। ଶେଷରେ ଦିବ୍ୟା ଡ୍ୟାନ୍ସ ଲାଇନରେ ଏହି ବର୍ଷ ଫେବ୍ରୁଆରୀରେ ଯୋଗଦାନ କରିଛନ୍ତି। ତାଙ୍କୁ ୨୮ ବର୍ଷ ବୟସ ଏବଂ ସେ ଜାଣନ୍ତି ଯେ ସେ ପହଞ୍ଚିବାକୁ ଚାହୁଁଥିବା ସ୍ଥାନ ଏହା ନୁହେଁ। କିନ୍ତୁ ମହାମାରୀ ଏବଂ ସେମାନଙ୍କ ପରିସ୍ଥିତି ଏଭଳି କରିବାକୁ ବାଧ୍ୟ ବାଧ୍ୟ କରିଛି। ଏହି ପରିସ୍ଥିତି ଗୁଡିକ ବର୍ଣ୍ଣନା କରିବା ସମୟରେ ଦିବ୍ୟା କାନ୍ଦନ୍ତି। ସେ କୁହନ୍ତି,ଏହି ବୃତ୍ତିରେ କୌଣସି ସମ୍ମାନ ନାହିଁ। ମୁଁ ଅନ୍ୟ କିଛି ହେବାକୁ ଚାହୁଁଥିଲି। କିନ୍ତୁ ଏଠାରେ ପହଞ୍ଚି ବର୍ତ୍ତମାନ ମୁଁ ଅଟକି ଯାଇଛି। ସେ କୁହନ୍ତି, ଆୟୋଜକ ମାନଙ୍କ ଇସାରାରେ ଆମକୁ ନାଚିବାକୁ ହୁଏ। ବେଳେବେଳେ ଲୁହା ପଞ୍ଜୁରୀ ଭିତରେ ନାଚିବାକୁ ହୁଏ। ନାଚୁଥିବା ବେଳେ ସେମାନେ ଭିଡିଓ ତିଆରି କରନ୍ତି। ବିବାହ ଶୋଭାଯାତ୍ରାରେ ଜବରଦସ୍ତ ପଛପଟୁ ଆସି ଭିଡି ଧରନ୍ତି। ସେମାନେ ଆମକୁ ଅପମାନିତ କରନ୍ତି। ଆମକୁ ଦୁର୍ବ୍ୟବହାର କରନ୍ତି।

କେଜ୍ ନୃତ୍ୟ ଏବଂ ଶାଗୁଣାମାନଙ୍କ ସମାବେଶ
ଝିଅମାନେ ନାଚିବା ପାଇଁ ଚକଲଗା ଟ୍ରଲିରେ ନିର୍ମିତ ହୋଇଥାଏ ପଞ୍ଜୁରୀ। ଏଥିପାଇଁ ଏପରି ବ୍ୟବସ୍ଥା କରାଯାଇଛି ଯେ ଦର୍ଶକମାନେ ମହିଳା ନୃତ୍ୟଶିଳ୍ପୀଙ୍କୁ ଯେପରି ସ୍ପର୍ଶ କରିପାରିବେ ନାହିଁ। ଅର୍କେଷ୍ଟ୍ରା ବ୍ୟାଣ୍ଡର ଆୟୋଜକମାନେ କହନ୍ତି ଯେ ଏହା ଏହି ମହିଳାମାନଙ୍କ ସୁରକ୍ଷା ପାଇଁ କରାଯାଇଛି। କିନ୍ତୁ ଏହିପରି ପଞ୍ଜୁରୀ ଭିତରେ ନାଚିବା ଏହି ମହିଳାମାନଙ୍କ ପାଇଁ ସେମାନଙ୍କ ଗୋପନୀୟତାରେ ବାଧା ସୃଷ୍ଟି କରୁଥିବା ପରି ମନେହୁଏ। ଦିବ୍ୟା କୁହନ୍ତି ପଞ୍ଜୁରୀ ସବୁବେଳେ ପଞ୍ଜୁରୀ। ବାହାରେ ଦର୍ଶକରୂପୀ ଶାଗୁଣା ଓ ଭିତରେ ଆମକୁ ଅତି ଛୋଟ ଛୋଟ କପଡା ପିନ୍ଧି ନାଚିବାକୁ ହୁଏ। ଜୁନ୍ ମାସର ଗୋଟିଏ ରାତିରେ ଚକମକ ପୋଷାକ ପିନ୍ଧିଥିବା ତିନି ଝିଅ ଏହିପରି ଏକ କେଜରେ ନାଚୁଥିଲେ। କେତେକ ଲୋକ ସେମାନଙ୍କୁ ଘେରି ରହି ମୋବାଇଲରେ ଭିଡିଓ ତିଆରି କରିବା ଆରମ୍ଭ କରିଦେଇଥିଲେ। ଟ୍ରଲି ନିଜ ଚକ ଉପରେ ବିବାହ ସ୍ଥାନ ଆଡକୁ ଯାଉଥିଲା। ସେଠାରେ ପହଞ୍ଚିବାବେଳକୁ ଟ୍ରଲି ଅନେକ ଥର ଅଟକି ଯାଇଥିଲା। ଏକ ଭୋଜପୁରୀ ଗୀତ ଉଚ୍ଚ ସ୍ୱରରେ ବାଜୁଥିଲା। ପଞ୍ଜୁରୀରେ ଥିବା ଝିଅମାନେ ରୁପେଲି ପକ୍ଷୀ ପରି ଦେଖାଯାଉଥିଲେ। ହଠାତ ଜଣେ ଦର୍ଶକ ଏକ ଲୁହା ଶାବଳ ନେଇ ପଞ୍ଜୁରୀରେ ନାଚୁଥିବା ଝିଅର ଛାତିରେ ଖେଞ୍ଚି ଦେଇଥିଲା। ଝିଅର ଚିତ୍କାର ଦର୍ଶକଙ୍କୁ ଆମୋଦିତ କରୁଥିଲା। ବିଗତ କିଛି ବର୍ଷ ଧରି ବିହାରର ବିବାହ ଉତ୍ସବ ଗୁଡ଼ିକରେ ଏଭଳି ପଞ୍ଜୁରୀନୃତ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଝିଅକୁ ୪୦୦୦ ଟଙ୍କା ଦେଇ କେଇଘଣ୍ଟା ପଞ୍ଜୁରୀ ଭିତରେ ବାନ୍ଧି ରଖି ନଗ୍ନ ନାଚ ଦେଖିବା ସଭ୍ୟ ସମାଜ ଏବେ ବି ବରଦାସ୍ତ କରିଚାଲିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ