ସୁନ୍ଦରଗଡ଼ରେ ୨୦ ହଜାର ଟଙ୍କିଆ କୁକୁଡ଼ା


ସୁନ୍ଦରଗଡ଼ର ଯୁବକ ମୁସ୍ତାକ ପାଳିଥିବା ବିରଳ ପ୍ରଜାତିର କୁକୁଡ଼ା
ସୂଚନା ଏବେ ସୀମିତ ହୋଇ ନାହିଁ। ଗୋଟିଏ ଭଲ ଖବର ଖୁବ କମ ସମୟ ମଧ୍ୟରେ ଗୋଟିଏ କୋଣରୁ ଆଉ ଏକ କୋଣ ଯାଏ ପ୍ରସାରିତ ହୋଇଯାଉଛି। ଏହାର ଫାଇଦା ଏବେ ମିଳିଛି ମଧ୍ୟ ପ୍ରଦେଶ ରାଜ୍ୟ ଜବଲପୁରର ଜଣେ ଆମ୍ବ ଚାଷୀଙ୍କ କ୍ଷେତ୍ରରେ। ସୋସାଲ ମିଡ଼ିଆରୁ ଗୋଟିଏ ଜାପାନୀ ପ୍ରଜାତିର ଆମ୍ବ ମିଆଜାକି କେଜି ପ୍ରତି ଅଢେଇ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଶୁଣିବା ପରେ ସେ ଏଭଳି ପ୍ରଜାତିର ଚାରା ଆଣି ରୋପଣ କରିଥିଲେ। ଏବେ ସୁନେଲି ରଙ୍ଗରେ ତାଙ୍କ ଆମ୍ବ ବଗିଚା ପୂରିଯାଇଛି। କିନ୍ତୁ ଚାଷୀ ଜଣକ କେଜି ପ୍ରତି ଅଢେଇ ଲକ୍ଷ ବଦଳରେ ୨୭ ହଜାର ଟଙ୍କାରେ ବିକ୍ରି କରିଦେବାକୁ ଅଫର ପାଇଛନ୍ତି। ଏଭଳି ସବୁଠୁ ଅଧିକ ଦାମ ଥିବା ମିଆଜାକି ପ୍ରଜାତିର ଆମ୍ବ ଏବେ ରାଉରକେଲାର ଜଣେ ରେଲୱେ କର୍ମଚାରୀ ନିଜ ବାଡ଼ିରେ ଲଗାଇଛନ୍ତି। ସେଥିରୁ ଦୁଇ ଚାରିଟା ଆମ୍ବ ଏବେ ଉଦିତ ସୂର୍ଯ୍ୟଙ୍କ ଭଳି ଲାଲ ରଙ୍ଗରେ ଅତ୍ୟନ୍ତ ଲୋଭନୀୟ ହୋଇଛି। ଏଭଳି ଦାମୀ ଆମ୍ବ ପରେ ଏବେ ସୁନ୍ଦରଗଡ଼ ଜିଲାରେ ମିଳୁଥିବା ୨୦ ହଜାର ଟଙ୍କିଆ କୁକୁଡ଼ା ସଭିଙ୍କ ଦ୍‌ଷ୍ଟି ଆକର୍ଷଣ କରିଛି। ସୀମାନ୍ତ ଅଞ୍ଚଳରେ ଏଭଳି ନୂଆ ନୂଆ ଚାଷ, ପ୍ରଯୁକ୍ତି ଓ ଅନ୍ୟାନ୍ୟ ଆର୍ଥିକ ଗତିବିଧି ଲୋକଙ୍କୁ ଫାଇଦା ଦେଉଥିବା ଦେଖିବାକୁ ମିଳୁଛି।

ସବୁଠୁ ଦାମୀ କୁକୁଡ଼ା ଚାଷ
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକସ୍ଥିତ ଛୋଟ ଏକ ଗାଁ ସୋରଡା। ସେଠାରେ ଏବେ ପ୍ରତିଦିନ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡରୁ ଆସିଥିବା ବେପାରୀଙ୍କ ଭିଡ଼ ଜମୁଛି। କାରଣ ହେଉଛି ୮ ହଜାରରୁ ୨୦ ହଜାର ଟଙ୍କା ମୂଲ୍ୟର କୁକୁଡ଼ା। ଏଭଳି ପ୍ରଜାତିର କୁକୁଡ଼ା ବିଭିନ୍ନ କାରଣ ପାଇଁ ଚାହିଦା ଥିବାରୁ ଉପଭୋକ୍ତା ଓ ବେପାରୀଙ୍କ ନଜର ଏହି ଗାଁରେ ଥିବା କୁକୁଡ଼ାଙ୍କ ଉପରେ ରହିଛି। ଦେଶ ବିଦେଶର ନାନା ପ୍ରଜାତିର କୁକୁଡାଙ୍କୁ ନେଇ ସେଠାରେ ଏକ ଫାର୍ମ କରିଛନ୍ତି ମୁସ୍ତାକ୍‌ ଅନ୍‌ସାରୀ ନାମକ ଜଣେ ବ୍ୟକ୍ତି। ସେ ଏକ ଫାର୍ମ ପ୍ରସ୍ତୁତ କରି ସେଠାରେ କେତେକ ମନୋନୀତ ପ୍ରଜାତିର କୁକୁଡ଼ା ପାଳିଛନ୍ତି। ଏହି ପ୍ରଜାତି ଗୁଡିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉନ୍ନତ ଓ ଯେଉଁ କୁକୁଡ଼ାର ମାଂସ ସ୍ବାଦିଷ୍ଟ ତଥା ଯେଉଁ କୁକୁଡ଼ା ଲଢେଇ କରିବାରେ ପାରଙ୍ଗମ, ସେସବୁ ପ୍ରଜାତିର କୁକୁଡ଼ା ପାଳିଛନ୍ତି ମୁସ୍ତାକ। ମୁସ୍ତାକଙ୍କ ଫାର୍ମରେ ଦେଶ ବିଦେଶର ନାନା ପ୍ରଜାତିର କୁକୁଡା ରହିଛନ୍ତି । ଥାଇଲାଣ୍ଡର ବ୍ଲାକ୍‌ଜେଟ୍‌ ପ୍ରଜାତିର କୁକୁଡ଼ା ତାଙ୍କ ଫାର୍ମର ସବୁଠୁ ଅଧିକ ଦାମୀ କୁକୁଡ଼ା ବୋଲି ସେ କହନ୍ତି। ଏଥିସହ ତାଙ୍କ ଫାର୍ମରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅସିଲ ସହ ପରୋଡ୍‌ବିକ୍‌, ହାଇ ପ୍ଲାୟେର, ସିମ୍ଭି, କଡକନାଥ ଓ ଟେମ୍ପର ଟେଲ୍‌ ଇତ୍ୟାଦି ବିରଳ ଓ ମୂଲ୍ୟବାନ ପ୍ରଜାତିର କୁକୁଡ଼ା ଅଛନ୍ତି। ତେବେ ଏମାନଙ୍କ ଭିତରେ ସବୁଠୁ ଅଧିକ ଦର ହେଉଛି ବ୍ଲାକ୍‌ଜେଟ୍‌ ପ୍ରଜାତିର। ଏହାର ସାଢ଼େ ତିନି କେଜି ଓଜନର କୁକୁଡ଼ା ବିକ୍ରି ହେଉଛି ୯ ହଜାର ଟଙ୍କାରେ। ୫ରୁ ୬ କେଜି ଓଜନର କୁକୁଡା ୧୫ରୁ ୨୦ ହଜାର ଟଙ୍କାରେ। ତେବେ ଦାମ୍‌ ଅଧିକ ରହିଲେ ମଧ୍ୟ ଏହାର ଢ଼େର ଚାହିଦା ରହିଛି। ବ୍ଲାକ୍‌ଜେଟ୍‌ କୁକୁଡ଼ାର ମାଂସ କଡ଼କନାଥ ପ୍ରଜାତି ଭଳି ସଂପୂର୍ଣ୍ଣ କଳା। ଏଥିରେ ଅନେକ ଔଷଧୀୟ ଗୁଣ ଥିବା ବିଶ୍ବାସ କରାଯାଏ। ପୂର୍ବେ ଥାଇଲାଣ୍ଡ ରାଜବଂଶର ଲୋକେ ଏହାର ମାଂସ ଖାଉଥିଲେ ବୋଲି କୁହାଯାଏ।

କଳା ରକ୍ତ ଯୁକ୍ତ କୁକୁଡ଼ା
ମୁସ୍ତାକଙ୍କଏହି ଫାର୍ମରେ ରହିଛି କଡକନାଥ ପ୍ରଜାତିର କୁକୁଡ଼ା। ଏହି କୁକୁଡ଼ାର ବହୁଳ ଚାଷ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ହୋଇଥାଏ। ଏହାର ଜିଆଇ ଟ୍ୟାଗକୁ ନେଇ କିଛି ବର୍ଷ ତଳେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଚାଲିଥିଲା। କଳାମାଂସ ଓ ରକ୍ତରେ ଔଷଧୀୟ ଗୁଣ ଭରପୂର ଥିବାରୁ ଏହି କୁକୁଡ଼ାର କେଜି ପ୍ରତି ଦାମ ଅଢେଇ ହଜାର ଟଙ୍କାରୁ ଅଧିକ। କୋରୋନା ପରେ ଦେଖାଯାଉଥିବା ବିଭିନ୍ନ ଜଟିଳ ରୋଗକୁ ଭଲ କରିବାରେ କଡକନାଥ କୁକୁଡ଼ାର ଏକ ବଡ଼ ଭୂମିକା ରହିଛି ବୋଲି ବିଶେଷଜ୍ଞମାନେ କହିବା ପରେ ଏହାର ଚାହିଦା ରାତାରାତି ବଢିଛି। ମଧ୍ୟ ପ୍ରଦେଶର ଝାବୁଆରେ ଥିବା କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)କୁ କୋଭିଡ ପରବର୍ତ୍ତୀ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ‘କଡକନାଥ ଥେରାପି’ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ବରିଷ୍ଠ ବୈଜ୍ଞାନିକ ତଥା କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ଆଇସିଏମଆର ମହାନିର୍ଦେଶକଙ୍କୁ ଲେଖିଥିବା ଏକ ପତ୍ରରେ ଦର୍ଶାଇଛନ୍ତି ଯେ କଡକନାଥ (କଳା କୁକୁଡ଼ାର ଏକ ବିରଳ ପ୍ରଜାତି)ର ମାଂସ, ଅଣ୍ଡା ଏବଂ ସୁପ୍, କୋଭିଡ ପରବର୍ତ୍ତୀ ପୁନରୁଦ୍ଧାରରେ ଜଣେ ରୋଗୀଙ୍କୁ ଆବଶ୍ୟକୀୟ ପୁଷ୍ଟିସାର ଯୋଗାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ