ଅଢ଼େଇ ଲକ୍ଷ ଟଙ୍କିଆ ଆମ୍ବ


ରାଉରକେଲାର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲଳିତା ପଣ୍ଡାଙ୍କ ବାଡ଼ିରେ ଫଳିଥିବା ଜାପାନୀ ମିୟାଜାକି ଆମ୍ବ
ଆମ୍ବକୁ ଫଳର ରାଜା ବୋଲି କୁହାଯାଏ ଏବଂ ଭାରତରେ ଏହା ଜାତୀୟ ଫଳର ମାନ୍ୟତା ମଧ୍ୟ ପାଇଛି। ସାରା ପୃଥିବୀରେ ସବୁଠୁ ଅଧିକ ଆମ୍ବ ଭାରତରେ ଚାଷ କରାଯାଉଥିବା ବେଳେ ଆମ୍ବର ଅନେକ ପ୍ରଜାତି ରହିଛି। ଆମ୍ରପଲ୍ଲୀ, ଆଖୁରସ, ଦଶହରୀ, ନୀଲମ୍, ତୋଟାପୁରୀ, ବାଇଗଣପଲ୍ଲୀ, ମଲ୍ଲୀକା, ଲେଙ୍ଗେଡ଼ା, ତୋଟାପଲ୍ଲୀ, ଗିରିଡ଼ି, ଲଙ୍ଗଳକଣ୍ଟି ଇତ୍ୟାଦି ଆମ୍ବ ରହିଥିବା ବେଳେ ବିଶ୍ବର ସବୁଠୁ ମହଙ୍ଗା ଆମ୍ବ ଜାପାନରେ ମିଳିଥାଏ। ଏହି ଆମ୍ବର ମୂଲ୍ୟ ଏତେ ଯେ ଏହାକୁ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଏହାର ଦାମ୍‌ କେଜି ପିଛା ୨ ଲକ୍ଷ ୭୦ ହଜାର ଟଙ୍କା ହୋଇଥିବା ବେଳେ ଗୋଟିଏ ଆମ୍ବର ଦାମ୍‌ ପ୍ରାୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହୋଇଥାଏ। ତାଇୟୋ ନୋ ତମାଗୋ (ଏଗ୍‌ ଅଫ୍‌ ଦ ସନ୍‌) ନାମକ ଏହି ଆମ୍ବ ଜାପାନର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ମିଳୁଥିବା ବେଳେ ଏହାକୁ ଜାପାନୀ ମିୟାଜାକି ବୋଲି କୁହାଯାଏ। ତେବେ ଏହି ମହଙ୍ଗା ଜାପାନୀ ମିୟାଜାକି ଆମ୍ବ ଏବେ ଭାରତରେ ଚାଷ ହେଉଥିବା ବେଳେ ସର୍ବୋପରି ଓଡ଼ିଶାରେ ମଧ୍ୟ ଏହି ଆମ୍ବ ଫଳିଥିବା ଜଣାପଡ଼ିଛି।

ଲଲିତା ଫଳାଇଛନ୍ତି ଅଢ଼େଇ ଲକ୍ଷ ଟଙ୍କିଆ ଆମ୍ବ
ରାଉରକେଲା ସହରରେ ଫଳିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଆମ୍ବ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲଳିତା ପଣ୍ଡା ତାଙ୍କ ବଗିଚାରେ ଫଳାଇଛନ୍ତି ଏହି ଆମ୍ବ। ତାଙ୍କ ବାଡ଼ିରେ ୨ଟି  ମିୟାଜାକି ଆମ୍ବ ଗଛ ରହିଥିବା ବେଳେ ଏ ବର୍ଷ ଫଳିଛି ୪ଟି ଆମ୍ବ। କୋଲକାତାର ଏକ ନର୍ସରୀରୁ ୪ ବର୍ଷ ପୂର୍ବେ ଚାରା ଆଣି ବାଡ଼ିରେ ଲଗାଇଥିଲେ ଲଳିତା। ଏବେ ଆମ୍ବ ଫଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଲଳିତା। ୭୬ ଵର୍ଷୀୟା ପ୍ରକୃତିପ୍ରେମୀ ଲଳିତା କେବଳ ଆମ୍ବ ନୁହେଁ, ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଗଛ ଲଗାଇଛନ୍ତି ତାଙ୍କ ବାଡ଼ିରେ। ତାଙ୍କ ବାଡ଼ିରେ ପ୍ରସିଦ୍ଧ ରାଜା ଆମ୍ବ ଫଳୁଥିବା ବେଳେ ରହିଛି ଥାଇଲାଣ୍ଡର ବ୍ଲାକ୍‌ଷ୍ଟୋନ୍‌ ଆମ୍ବ ଗଛ। ଏଥିସହ ଦେଶ ବିଦେଶର ୪୦ ପ୍ରକାର ବିଭିନ୍ନ ଫୁଲ ଓ ଫଳରେ ଭରି ରହିଛି ତାଙ୍କ ବଗିଚା। ତା’ ସହିତ ଲଭ ବାର୍ଡ, ବଜ୍ରି ଚଢ଼େଇ ଭଳି ଚଢ଼େଇ ମଧ୍ୟ ଘରର ଶୋଭା ବଢ଼ାଉଛନ୍ତି। ସେ ଦେଶୀ ଓ ବିଦେଶୀ କୁକୁଡ଼ା ମଧ୍ୟ ରଖିଛନ୍ତି। ତାଙ୍କ ଘରେ ଆକ୍ୱାରିୟମରେ ମଧ୍ୟ ଭଳିକି ଭଳି ମାଛ ରହିଛି। ମାଛ ମଧ୍ୟରେ ରହିଛି ଏଲିଗେଟ୍‌ର ଗ୍ରାପ୍‌ ଓ ଫ୍ଲାୱାର୍‌ ହର୍ଣ୍ଣ। କୁକୁର, ଠେକୁଆ ଭଳି ପଶୁ ମଧ୍ୟ ଅଛନ୍ତି ତାଙ୍କ ଘରେ। ତେବେ ତାଙ୍କ ବଗିଚାର ମୁଖ୍ୟ ଆକର୍ଷଣ ହେଉଛି ବିଶ୍ବର ସବୁଠାରୁ ମୂଲ୍ୟବାନ ମିଆଜାକି ଆମ୍ବ। ଲଳିତାଙ୍କୁ ବଗିଚା କାମରେ ସାହାଯ୍ୟ କରୁଛନ୍ତି ତାଙ୍କ ପୁଅ ବିକାଶ ରଞ୍ଜନ ପଣ୍ଡା।

ଆମ୍ବ ଜଗିଛନ୍ତି ସୁରକ୍ଷାକର୍ମୀ ଓ କୁକୁର
ଗହଣା, ଟଙ୍କା ପଇସା ଆଦିର କଡ଼ା ସୁରକ୍ଷା ସମ୍ପର୍କରେ ଶୁଣିଥିବେ। ବ୍ୟାଙ୍କ୍‌ ବା ଏଟିଏମ୍ ଆଗରେ ଗାର୍ଡ ଜଗିବା ଦେଖିଥିବେ। କିନ୍ତୁ ଆମ୍ବ ଜଗିବା ପାଇଁ ସିକ୍ୟୁରିଟି ଗାର୍ଡ଼ ଏବଂ କୁକୁର ନିୟୋଜିତ ହୋଇଥିବା କେବେ ଶୁଣିଛନ୍ତି କି? ତେବେ ବିଶ୍ବର ମହଙ୍ଗା ଜାପାନୀ ମିୟାଜାକି ଆମ୍ବକୁ ଜଗିବାକୁ ନିୟୋଜିତ ହୋଇଛନ୍ତି  ୪ ଜଣ ସୁରକ୍ଷାକର୍ମୀ ଏବଂ ୬ଟି କୁକୁର। ମଧ୍ୟ ପ୍ରଦେଶର ଜବଲପୁରରେ ବାସ କରୁଥିବା ଚାଷୀ ଦମ୍ପତି ସଙ୍କଳ୍ପ ପରିହାର ଏବଂ ରାନୀ ପରିହାରଙ୍କ ବଗିଚାରେ ଏହି ଆମ୍ବ ଫଳିଛି। ୨ଟି ଗଛରେ ଫଳିଥିବା ଥିବା ୭ଟି ଆମ୍ବ ପାଇଁ ନିୟୋଜିତ ହୋଇଛନ୍ତି ସୁରକ୍ଷାକର୍ମୀ। ଏଭଳି ମହଙ୍ଗା ଆମ୍ବର ଚାଷ କରିବା ପ୍ରକୃତରେ କୌଣସି ଚ୍ୟାଲେଞ୍ଜଠାରୁ କମ ନୁହେଁ। ରାନୀଙ୍କ ଆମ୍ବତୋଟା ଉପରେ ସବୁବେଳେ ଚୋରଙ୍କ ନଜର ରହିଥାଏ। ଗତବର୍ଷ ଏହି ଆମ୍ବ ଚୋରି ହୋଇଯାଇଥିବା ବେଳେ ଚଳିତ ବର୍ଷ କିନ୍ତୁ କଡ଼ା ସୁରକ୍ଷାରେ ଆମ୍ବକୁ ରଖାଯାଇଥିବା ରାନୀ କହିଛନ୍ତି। ସଙ୍କଳ୍ପ ପ୍ରଥମେ ଆମ୍ବ ପ୍ରଜାତିର ନାମ ଜାଣି ନ ଥିବାରୁ ଗତବର୍ଷ ଏହାର ନାମ ତାଙ୍କ ମା’ଙ୍କ ନାମ ଅନୁସାରେ ଦାମିନୀ ରଖିଥିଲେ। ତେବେ ପରେ ଆମ୍ବର ପ୍ରକୃତ ନାମ ସମ୍ପର୍କରେ ସେ ଜାଣିଥିବା କହିଛନ୍ତି। ବର୍ତ୍ତମାନ ସମୟରେ ଗୁଜରାଟର ଜଣେ ବ୍ୟବସାୟୀ ଏହି ଆମ୍ବ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଗୋଟିଏ ଆମ୍ବର ଦାମ୍‌ ୨୧ ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ପ୍ରତିବର୍ଷ ନିଲାମ କରାଯାଏ
ଏହା ବଜାରରେ ଥିବା ଫଳ ଦୋକାନରେ ମିଳେ ନାହିଁ। ପ୍ରତିବର୍ଷ ଏହି ମହଙ୍ଗା ଆମ୍ବ ନିଲାମ ହୋଇଥାଏ। ଯେଉଁଥିରେ ଏହାର ଦାମ୍‌ ଆକାଶଛୁଆଁ ହୋଇଯାଏ। ଏହି ଆମ୍ବର ଚାଷ ଅନ୍ୟ ସବୁ ପ୍ରଜାତି ତୁଳନାରେ ଯଥେଷ୍ଟ ଭିନ୍ନ। ଜାପାନରେ ଏହି ପ୍ରଜାତିର ଆମ୍ବକୁ ଉଷ୍ଣ ଓ ଆଦ୍ର ପରିବେଶରେ ଏବଂ ମଧ୍ୟମ ତାପମାତ୍ରା ଥିବା ପରିବେଶରେ ଚାଷ କରାଯାଇଥାଏ। ଅତ୍ୟନ୍ତ ଯତ୍ନର ସହିତ ଚାଷ କରାଯାଉଥିବାରୁ ଏହାର ଦାମ୍‌ ବହୁତ ବେଶି ହୋଇଥାଏ। ୨୦୧୭ରେ ଏହି ଆମ୍ବର ଏକ ଯୋଡ଼ା ନିଲାମ କରାଯାଇଥିଲା। ୨୦୧୭ରେ ହୋଇଥିବା ନିଲାମରେ ୭୦୦ ଗ୍ରାମର ଆମ୍ବର ଆମ୍ବର ମୂଲ୍ୟ ୨ ଲକ୍ଷ ୭୨ ହଜାରରେ ପହଞ୍ଚିଥିଲା। ଅର୍ଥାତ ୧ କିଲୋ ଆମ୍ବର ଦାମ ୩ ଲକ୍ଷରୁ ଅଧିକ। ତେବେ ଏହି ଆମ୍ବର ମୂଲ୍ୟ ଏତେ ହେବାର କାରଣ ଚାଷ ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ।

ନିଆରା ଏହି ଆମ୍ବ
ସାଧାରଣ ଆମ୍ବଠାରୁ ନିଆରା ଜାପାନୀ ମିୟାଜାକି। ଜାପାନ ଦେଶର ଏକ ସହର ନାଁ ଅନୁସାରେ ଏହି ଆମ୍ବର ନାଁ ରହିଛି। ଜାପାନରେ ଏହା ଗ୍ରୀଷ୍ମ ଏବଂ ଶୀତ ୠତୁରେ ଫଳିଥାଏ। ସାଧାରଣ ଆମ୍ବର ରଙ୍ଗ ହଳଦିଆ, ଶାଗୁଆ ବା ସାମାନ୍ୟ ଲାଲ ରଙ୍ଗର ହୋଇଥିବାବେଳେ ଏହି ମିୟାଜାକି ଆମ୍ବର ରଙ୍ଗ ସମ୍ପୂର୍ଣ୍ଣ ଭାବେ ଲାଲ। ମିୟାଜାକି ଆମ୍ବର ସ୍ବାଦ ଯେମିତି, ବାସ୍ନା ମଧ୍ୟ ଢ଼େର ଅଧିକ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌, ମିନେରାଲ୍‌ ଓ ଫୋଲିକ୍‌ ଏସିଡ୍‌ ଥିବା କୁହାଯାଉଛି। ଗୋଟିଏ ଆମ୍ବର ଓଜନ ପ୍ରାୟ ୪୦୦ ଗ୍ରାମ ହୋଇଥିବା ବେଳେ ଏଥିରେ ୧୫ ପ୍ରତିଶତ ସୁଗାର ରହିଥାଏ। ଆମ୍ବ ଫଳିବା ମାତ୍ରେ ଗଛରେ ଏକ ଜାଲି କପଡ଼ାରେ ବନ୍ଧା ହୁଏ। ଯେପରି ଆମ୍ବରେ ସୂର୍ଯ୍ୟ କିରଣ ପଡ଼ିପାରିବ। ପାଚିବା ପରେ ଆମ୍ବ ଜାଲିରେ ହିଁ ଛିଣ୍ଡି ରହିଥାଏ। ତାପରେ ତାକୁ କାଢ଼ି ବିକ୍ରି କରାଯାଏ। ବର୍ତ୍ତମାନ ସମୟରେ କେବଳ ଭାରତରେ ନୁହେଁ, ବରଂ ସାରା ବିଶ୍ୱରେ ବିଶେଷ କରି ଜାପାନରେ ଏହାର ଚାହିଦା ଅଧିକ ରହିଛି। କେବଳ ଚାହିଦା ଅଧିକ ନୁହେଁ, ବରଂ ତାହାର ଦାମ୍‌ ମଧ୍ୟ ଅଧିକ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ