ନାରୀ

ସବଇନ୍ସପେକ୍ଟର ଆନି ଶିବା
ଯଦି ଜଣେ ମହିଳା ଘର ସମ୍ଭାଳି ପାରୁଛନ୍ତି, ତେବେ ଦେଶ ବି ସମ୍ଭାଳି ପାରିବେ। ଏମିତି କିଛି ଉଦାହରଣ ସୃଷ୍ଟି କରିଛନ୍ତି କେରଳର ୩୧ ବର୍ଷୀୟା ଆନି ଶିବା। କେବେ ଲେମ୍ବୁ ପାଣି ଓ ଆଇସକ୍ରିମ ବିକ୍ରି କରି ପେଟ ପୋଷୁଥିବା ଆନି ଏବେ ସବଇନ୍ସପେକ୍ଟର ହୋଇଯାଇଛନ୍ତି। ଆନି ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଲାଗି ବହୁ ପ୍ରତିବନ୍ଧକର ସାମ୍ନା କରିଛନ୍ତି। ଆନିଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେ ମାତ୍ର ୧୮ ବର୍ଷ ବୟସରେ ତାଙ୍କୁ ନିଜ ପିଲା ସହ ଘରୁ ବାହାର କରି ଦିଆଯାଇଥିଲା।
ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା
ଏହି ସଫଳତା ପାଇବା ପରେ ଆନି କହନ୍ତି ଯେ ସେ ସମସ୍ତ ବାଧାବିଘ୍ନ ପାର କରି ଏହି ଲକ୍ଷ୍ୟ ହାସଲ କରିଛନ୍ତି। ଅନ୍ୟ ମହିଳାମାନଙ୍କୁ ତାଙ୍କ ସଫଳତା ଦେଖି ପ୍ରେରଣା ମିଳୁଥିବାରୁ ତାଙ୍କୁ ବହୁତ ଖୁସି ଅନୁଭବ ହେଉଥିବା ଆନି କହିଛନ୍ତି।
ଦୁଇ ବର୍ଷରେ ଭାଙ୍ଗିଲା ବାହାଘର
ସବଇନ୍ସପେକ୍ଟର ହେବା ଆନି ଶିବାଙ୍କ ପାଇଁ ସହଜ ନ ଥିଲା। ଏହି ଯାତ୍ରା କରିବା ଲାଗି ଆନି ଅନେକ ପ୍ରତିବନ୍ଧକର ସାମ୍ନା କରିଥିଲେ। କାଞ୍ଚିରାମକୁଲମର କେଏନଏମ ସରକାରୀ କଲେଜରେ ଫାଷ୍ଟ ଇୟରରେ ପଢ଼ୁଥିବାବେଳେ ସେ ଜଣେ ପୁଅ ପ୍ରେମରେ ପଡ଼ିଥିଲେ। ତାଙ୍କୁ ବିବାହ କରିବା ଲାଗି ସେ ଘର ଲୋକଙ୍କ ଆଗରେ ଜଣାଇଥିଲେ। କିନ୍ତୁ ତାଙ୍କ ଘରଲୋକେ ରାଜି ହୋଇ ନ ଥିଲେ। ଶେଷରେ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ଆନି ବିବାହ କରିଥିଲେ। କିନ୍ତୁ ଦୁଇ ବର୍ଷ ମଧ୍ୟରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଆଉ ନିଜ ୬ ମାସର ପିଲା ସହିତ ଅଲଗା ରହୁଥିଲେ ଆନି।
ହେଲେ ପୋଲିସ ଅଧିକାରୀ
ଜୀବନ ସହିତ ସଂଘର୍ଷ କରୁଥିବା ଆନି ଜଣେ ବନ୍ଧୁଙ୍କ ପରାମର୍ଶରେ ୨୦୧୪ରେ ଏସଆଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ମହିଳା ପୋଲିସ ଅଧିକାରୀ ପଦ ପାଇଁ ସେ ପରୀକ୍ଷା ଦେଇଥିଲେ। ଶେଷରେ ପରିଶ୍ରମର ମୂଲ୍ୟ ମିଳିଥିଲା। ୨୦୧୬ରେ ସେ ଅଫିସର ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୯ରେ ଏସଆଇ ପରୀକ୍ଷାରେ ବି ସଫଳ ହୋଇଥିଲେ। ଏବେ ସେ ଭର୍କଲା ଗ୍ରାମୀଣ ପୋଲିସ ସବଡିଭିଜନର ସବଇନ୍ସପେକ୍ଟର ପଦରେ ଜଏନ କରିଛନ୍ତି।
ଚିନ୍ତାଧାରା ବଦଳାଇବା ଜରୁରୀ
ଆନି ନିଜର ଏହି ଯାତ୍ରା ସମ୍ପର୍କରେ କହନ୍ତି ଯେ ଯଦି ଜଣେ ମହିଳା ନିଜ ମନ ପସନ୍ଦର ସାଥୀଙ୍କୁ ଛାଡ଼ି ବାପଘରକୁ ଫେରୁଛନ୍ତି, ତେବେ ମାତା ପିତା ତାଙ୍କୁ ସ୍ବୀକାର କରିବା ଉଚିତ। କିନ୍ତୁ ଏମିତି କରିବାରେ ବି ସେମାନେ ସମାଜକୁ ଡରୁଛନ୍ତି। ଏହି ଚିନ୍ତାଧାରାକୁ ବଦଳାଇବା ଦରକାର ବୋଲି ଆନି କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ