୭ ଇଂଲିଶ୍ କ୍ରିକେଟର୍‌ଙ୍କୁ କୋରୋନା, ପାକିସ୍ତାନ ସିରିଜ୍ ପାଇଁ ନୂଆ ଟିମ୍


ଇଂଲିଶ୍ କ୍ରିକେଟ୍ ଟିମ୍ (ଫାଇଲ୍ ଫଟୋ)
ଦୁଇ ଦିନ ପରେ ଇଂଲଣ୍ଡର ପାକିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଥିଲେ ହେଁ ବର୍ତ୍ତମାନ ଘରୋଇ ଦଳର ସିନିୟର୍ ଟିମ୍ ଏହି ସିରିଜରେ ଅଂଶଗ୍ରହଣ କରିପାରିବ ନାହିଁ। କାରଣ ଦଳର ୭ ଜଣ ଖେଳାଳି କୋରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବାରୁ ସବୁ ଖେଳାଳିଙ୍କୁ ସେଲ୍ଫ ଆଇସୋଲେସନରେ ରହିବାକୁ ପଡ଼ିଛି। ତେଣୁ ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଦଳ ଖୁବଶୀଘ୍ର ଚୟନ କରାଯିବ ବୋଲି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଇସିବି ଦେଇଥିବା ସୂଚନାନୁସାରେ, ପାକିସ୍ତାନ ବିପକ୍ଷ ରୟାଲ୍ ଲଣ୍ଡନ୍ ଦିନିକିଆ ଓ ଦ ଭିଟାଲିଟି ଟି-୨୦ ସିରିଜ୍ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଖେଳାଯିବ। ଦଳର ପ୍ରମୁଖ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଦଳକୁ ଫେରିବେ ଓ ତାଙ୍କ ନେତୃତ୍ବରେ ଏକ ନୂଆ ଦଳ ଖୁବଶୀଘ୍ର ଚୟନ କରାଯିବ। ଇଂଲଣ୍ଡ ଜନସ୍ବାସ୍ଥ୍ୟ ବିଭାଗ, ୱେଲ୍ସ ଜନସ୍ବାସ୍ଥ୍ୟ ବିଭାଗ ଓ ବ୍ରିଷ୍ଟଲ୍ ଜନସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସମସ୍ତ ସଂକ୍ରମିତଙ୍କ ସେଲ୍ଫ ଆଇସୋଲେସନ୍‌ରେ ଗତ ଜୁଲାଇ ୪ ତାରିଖଠାରୁ ରହିଛନ୍ତି। ସଂକ୍ରମିତ ଓ ଅନ୍ୟାନ୍ୟ ଖେଳାଳିମାନେ ଯୁକ୍ତରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ସମସ୍ତ କ୍ବାରେଣ୍ଟାଇନ ନିୟମ ଅନୁସରଣ କରୁଛନ୍ତି ବୋଲି ଇସିବି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ତେବେ ଇଂଲିଶ୍ ଖେଳାଳିମାନେ କିପରି ଭାବେ ସଂକ୍ରମିତ ହୋଇଛନ୍ତି, ସେନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଦେଶରେ ଡେଲଟା ଭାରିଆଣ୍ଟ୍ ବ୍ୟାପିବା ସହ ଖେଳାଳିମାନେ ବାୟୋ ସିକ୍ୟୋର୍ ପରିବେଶ ମଧ୍ୟରୁ ବାହାରକୁ ଆସିବା କାରଣ ବୋଲି କୁହାଯାଉଛି। ପ୍ରଭାବିତ ଖେଳାଳି ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ସୁସ୍ଥତା ଇସିବିର ପ୍ରାଥମିକତା ବୋଲି ଇସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହ୍ୟାରିସନ୍ କହିଛନ୍ତି। ତେବେ ଏହି ଘଟଣା ଜଣାପଡ଼ିବା ପରେ ପାକିସ୍ତାନ ବିପକ୍ଷ ସୀମିତ ଓଭର୍ ସିରିଜ୍ କିପରି ବାତିଲ୍ ନ ହୋଇ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ, ସେଥିସକାଶେ ଏକ ନୂଆ ଦଳ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂଆ ଦଳର ଖେଳାଳିମାନଙ୍କୁ ନେତ୍‌ତ୍ବ ଦେବାକୁ ରାଜି ଥିବାରୁ ଇସିବି ଷ୍ଟୋକ୍ସଙ୍କ ନିକଟରେ ଚିରଋଣୀ ହୋଇ ରହିବ। ଏହି ଖବରର ମଧ୍ୟ ପ୍ରଥମ ଶ୍ରେଣୀ କାଉଣ୍ଟି ଟିମ୍ ଉପରେ ପଡ଼ିବ। କିନ୍ତୁ କାଉଣ୍ଟି ଦଳଗୁଡ଼ିକ ସେମାନଙ୍କ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ସକାଶେ ସୁଯୋଗ ଦେବାରେ ସାମାନ୍ୟତମ ଅସହଯୋଗ କରିବେ ନାହିଁ। ତେଣୁ ସେମାନଙ୍କୁ ମଧ୍ୟ ଇସିବି ପକ୍ଷରୁ ଧନ୍ୟବାଦ ଦିଆଯାଉଛି। ଆହୁରି କୋରୋନା ସଂକ୍ରମଣଜନିତ ଦୁଃସ୍ଥିତିରେ ପ୍ରସାରକ ସ୍କାଇ ସ୍ପୋର୍ଟ୍ସ ଓ ପ୍ରାୟୋଜକ ରୟାଲ୍ ଲଣ୍ଡନ ମଧ୍ୟ ସବୁ ପ୍ରକାର ସମର୍ଥନ ଜାରି ରଖିଥିବାରୁ ସେମାନଙ୍କୁ ମଧ୍ୟ ହ୍ୟାରିସନ୍ ଧନ୍ୟବାଦ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ