୫ଟି ବୃହତ ଶିଳ୍ପ ସଂସ୍ଥାର ହେବ ସମ୍ପ୍ରସାରଣ: ନିବେଶ ହେବ ୧. ୪୬ ଲକ୍ଷ କୋଟି


ବୈଠକରେ ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମାନେ
ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ରାଜ୍ୟରେ ପ୍ରତିଷ୍ଠା ହେବେ ଆଉ ୫ଟି ବଡ଼ ଶିଳ୍ପ। ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଯେଉଁଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୬ ହଜାର ୯୫୯ ଜଣ ନିଯୁକ୍ତି ପାଇବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରି କହିଛନ୍ତି ଯେ ଓଡ଼ିଶାର ଇସ୍ପାତ ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଏହି ପ୍ରକଳ୍ପଗୁଡ଼ିକ ବେଶ୍‌ ସହାୟକ ହେବ। ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ୍‌ ମହାମାରୀ ସତ୍ତ୍ବେ ରାଜ୍ୟ ୨.୯୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷିତ କରିପାରିଛି। ଆଜି ଅନୁମୋଦିତ ହୋଇଥିବା ଅତିରିକ୍ତ ପଞ୍ଜିନିବେଶକୁ ମିଶାଇ ଗତବର୍ଷଠାରୁ ଏ ପର୍ଯ୍ୟନ୍ତ ସମୁଦାୟ ୪.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍, ଯାଜପୁର କଳିଙ୍ଗନଗରରେ ଟାଟା ଷ୍ଟିଲ୍‌, ଅନୁଗୁଳରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ୱାର୍‌ ଏବଂ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ରୁଙ୍ଗଟା ମାଇନ୍ସର ସମ୍ପ୍ରସାରଣକୁ ମଞ୍ଜୁରୀ ମିଳିଛି। ଭୂଷଣ ପାଓ୍ବାର ଓ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଲିମିଟେଡ୍‌ ଇସ୍ପାତ ଉତ୍ପାଦନକୁ ୫ ଏମ୍‌ଟିପିଏରୁ ୧୫ ଏମ୍‌ଟିପିଏ ସଂପ୍ରାସାରଣ କରିବ। ଏଥିପାଇଁ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ୧୦ ହଜାର ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ। ସେହିଭଳି ଟାଟାଷ୍ଟିଲ୍‌ ଲିମିଟେଡ କ୍ରୁଡ ଷ୍ଟିଲ୍‌ ପ୍ରକଳ୍ପର ବି ସଂପ୍ରସାରଣ ହେବ। ଯାଜପୁର କଳିଙ୍ଗନଗରରେ ୪୭ ହଜାର ୫୯୯ କୋଟି ଟଙ୍କା ଖର୍ଚ୍ଚରେ ଏହା ସଂପ୍ରସାରିତ ହେବ। ଏଥିରେ ୪୬୨୫ ଜଣଙ୍କୁ ନିଯୁକ୍ତି ମିଳିବ। ତୃତୀୟ ବଡ଼ ପ୍ରକଳ୍ପ ହେଲା ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ। ଅନୁଗୁଳରେ ସମ୍ପ୍ରସାରିତ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ଖର୍ଚ ହେବ ୨୪ ହଜାର ୬୫୨ କୋଟି ଟଙ୍କା ଓ ହଜାରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ। ଏହାକୁ ମିଶାଇ ରାଜ୍ୟରେ ଜିନ୍ଦଲର ମୋଟ ନିବେଶ ୧ ଲକ୍ଷ ୬୭୦ କୋଟି ହେବ, ଯାହା ବିଶ୍ୱର ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନିବେଶ।

ଢେଙ୍କାନାଳରେ ରୁଙ୍ଗଟା ମାଇନ୍ସର କରାଯିବ ସଂପ୍ରସାରଣ। ବାର୍ଷିକ ଉତ୍ପାଦନ କ୍ଷମତା ୨.୮୫ରୁ ୭.୫୫ ଏମ୍‌ଏମ୍‌ଟିପିଏକୁ ବୃଦ୍ଧି କରାଯିବ। ୧୧ ହଜାର କୋଟି ନିବେଶ ହେବ ଏବଂ ୬,୨୦୦ ଲୋକଙ୍କୁ ମିଳିବ ନିଯୁକ୍ତି। ସେହିପରି କେନ୍ଦୁଝର ରୁଙ୍ଗଟା ମାଇନ୍ସର ଉତ୍ପାଦନ କ୍ଷମତା ବଢ଼ିବ। ୭ ହଜାର ୯୨୦ କୋଟି ନିବେଶ ହେବ, ୫୧୩୪ ଲୋକଙ୍କୁ ମିଳିବ ନିଯୁକ୍ତି। ଗତ ଆର୍ଥିକ ବର୍ଷରେ କୋରୋନା ଜାରି ଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍‌ ଅଫ୍‌ ଡୁଇଙ୍ଗ ଯୋଗୁ ୨ ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା। ଚଳିତ ବର୍ଷ ବି କରୋନା ମହାମାରୀ ଜାରି ଥିବା ସତ୍ତ୍ବେ ବଡ଼ ବଡ଼ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି। ଏହି ବୈଠକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି, ଗୃହ (ରାଜ୍ୟ) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ୟ ବୈଠକରେ ଯୋଗଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ