ପୁଣି ଲକ୍ଷେରୁ କମ୍ ସଂକ୍ରମିତ, ବିହାରରେ ମୃତ୍ୟୁସଂଖ୍ୟା ସଂଶୋଧନ ପରେ ରେକର୍ଡ ମୃତ


ମୃତ କୋଭିଡ୍ ସଂକ୍ରମିତଙ୍କ ଦାହ ସଂସ୍କାର ସମୟର ଦୃଶ୍ୟ
ନୂଆଦିଲ୍ଲୀ: ଭାରତରେ ଦୈନିକ ଲକ୍ଷେରୁ ସଂକ୍ରମଣ ଧାରା ଜାରି ରହିଛି। ବୁଧବାର ଦିନକ ଭିତରେ ଦେଶର ବିଭିନ୍ନ ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବମୋଟ ୯୪ ହଜାର ୫୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଆଜି ପର୍ଯ୍ୟନ୍ତ ଏହି ଭୂତାଣୁ ଦ୍ବାରା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧ ଜଣ ସଂକ୍ରମିତ ଠାବ ହୋଇସାରିଛନ୍ତି। ତେବେ ଗତ କିଛି ଦିନ ହେଲା ମୃତ୍ୟୁସଂଖ୍ୟା ୩ ହଜାର ତଳେ ରହିଥିବା ବେଳେ ବୁଧବାର ଦିନକ ଭିତରେ ପାଖାପାଖି ତିନି ଗୁଣ ଅଧିକ ସଂକ୍ରମିତଙ୍କର ପ୍ରାଣହାନୀ ଘଟିଛି। ଗତ ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିବା ଫଳରେ ମୋଟ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬ରେ ପହଞ୍ଚିଯାଇଛି। ଆହୁରି ଅଦ୍ୟାବଧି ସର୍ବମୋଟ ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ଜଣ ସଂକ୍ରମିତ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ଲାଭ କରିସାରିଛନ୍ତି। ଏଥି ମଧ୍ୟରୁ ଗତ ଦିନକ ଭିତରେ ୧ ଲକ୍ଷ ୫୧ ହଜାର ୩୬୭ ଜଣ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ଅବା ସୁସ୍ଥତା ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ସୂଚନାନୁସାରେ, ଏବେ ଦେଶରେ ୧୧ ଲକ୍ଷ ୬୭ ହଜାର ୯୫୨ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ତା’ଛଡ଼ା ଦେଶରେ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ଗୁରୁବାର ପ୍ରାତଃ ୮ଟା ସୁଦ୍ଧା ମୋଟ ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଜଣଙ୍କୁ ଏହି ଟିକା ଦିଆଯାଇସାରିଛି।

ସେହିପରି ଦେଶରେ ଗତ ଜୁନ୍ ୯ ତାରିଖରେ ୨୦ ଲକ୍ଷ ୪ ହଜାର ୬୯୦ ଜଣଙ୍କ ନମୁନା ପରୀକ୍ଷା ହେବା ଫଳରେ ଦେଶରେ ଆଜି ପର୍ଯ୍ୟନ୍ତ ସମୁଦାୟ ୩୭ କୋଟି ୨୧ ଲକ୍ଷ ୯୮ ହଜାର ୨୫୩ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ କୁହାଯାଇଛି। ତେବେ ଭାରତରେ ଦିନକ ଭିତରେ ୬ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କର ମୃତ୍ୟୁ ପାଇଁ ମୁଖ୍ୟତଃ ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ତଥ୍ୟ ସଂଶୋଧନ କରାଯିବା ଦାୟୀ ବୋଲି କୁହାଯାଇଛି। ବିହାରରେ ଦିନକ ଭିତରେ ୩ ହଜାର ୯୫୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିବା ପରେ ଦେଶରେ କୋରୋନା ମହାମାରୀ ବ୍ୟାପିବା ପରଠାରୁ ପ୍ରଥମ ଥର ପାଇଁ ୬ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କର ପ୍ରାଣହାନୀ ଘଟିଛି, ଯାହାକି ଏକ ରେକର୍ଡ। ତେବେ ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ୩୮ଟି ଜିଲ୍ଲାରେ ଦିନକ ଭିତରେ ଉପରୋକ୍ତ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ ବିଭିନ୍ନ ଦିନରେ ଘଟିଛି, ସେନେଇ କିଛି ବି ସ୍ପଷ୍ଟ ଭାବେ କୁହାଯାଇନାହିଁ। ଦିନକରେ ଦେଶରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ କେବଳ ୭୨ ପ୍ରତିଶତ ବିହାରର ବୋଲି ଜଣାପଡ଼ିଛି। ଗତ ଏପ୍ରିଲ୍-ମେ’ରେ ବିହାରରେ ଘଟିଥିବା ମୃତ୍ୟୁ ସଂଖ୍ୟା ଉପରେ ସନ୍ଦେହ ହେବାରୁ ଏହାର ଅଡିଟ୍ ସକାଶେ ପାଟନା ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଫଳସ୍ବରୂପ ବିହାର ସରକାର ମୃତ୍ୟୁସଂଖ୍ୟାରେ ସଂଶୋଧନ କରିଛନ୍ତି। ଏଥିସହ ବିହାରରେ ମୋଟ କୋଭିଡ୍ ସଂକ୍ରମିତଙ୍କ ମଧ୍ୟରୁ ୯ ହଜାର ୪୨୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ