କ୍ୟାବିନେଟ୍ ବୈଠକରେ ୩ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଖରିଫ୍ ଫସଲ ଏମଏସପି ବୃଦ୍ଧି


ଏକ ଧାନମଣ୍ଡିର ଦୃଶ୍ୟ
ନୂଆଦିଲ୍ଲୀ: ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୩ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥି ମଧ୍ୟରେ ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବଢ଼ାଯିବା ସହ ରେଳଯାତ୍ରୀଙ୍କ ସୁରକ୍ଷା ଓ ଉତ୍ତମ ଯୋଗାଯୋଗ ବ୍ୟବସ୍ଥାକୁ ସଶକ୍ତ କରିବା ସକାଶେ ରେଳବାଇକୁ ସ୍ପ୍ରେକ୍ଟ୍ରମ୍ ଆବଣ୍ଟନ ସପକ୍ଷରେ ନିଷ୍ପତ୍ତି ହୋଇଛି। ୨୦୨୧-୨୨ ସିଜନ୍ ପାଇଁ ଖରିଫ୍ ଫସଲ ଉପରେ କେନ୍ଦ୍ର ସରକାର ଏମଏସପିକୁ ବଢ଼ାଇ ଚାଷୀ ତା’ର ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଇପାରିବା ସୁନିଶ୍ଚିତ କରିଛନ୍ତି। ତୈଳବୀଜ ଉପରେ ସର୍ବାଧିକ ଏମଏସପି ଲାଗୁ କରାଯାଇଛି। ଏ ବାବଦରେ ଚାଷୀମାନଙ୍କୁ କ୍ବିଣ୍ଟାଲ୍ ପିଛା ୪୫୨ ଟଙ୍କା ପୂର୍ବାପେକ୍ଷା ଅଧିକ ମିଳିପାରିବ। ସେହିପରି ମୁଗ ଓ ହରଡ଼ ଡାଲି ଉପରେ କ୍ବିଣ୍ଟାଲ୍ ପିଛା ୩ ଶହ ଟଙ୍କା ଏମଏସପିକୁ ବଢ଼ାଯାଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି। ୨୦୨୧-୨୨ ସିଜନ୍ ସକାଶେ ଖରିଫ୍ ଫସଲର ଏମଏସପି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କମିଟି ପକ୍ଷରୁ ସୁପାରିସ୍ କରାଯାଇଥିଲା। ତୈଳବୀଜ, ମୁଗ ଓ ହରଡ଼ ଡାଲି ଉପରେ ଏମଏସପି ବଢ଼ାଯିବା ବ୍ୟତୀତ ବାଦାମ ତେଲ ଓ ରାଶି ତେଲ ଉପରେ ମଧ୍ୟ ଏମଏସପିକୁ କ୍ବିଣ୍ଟାଲ୍ ପିଛା ଯଥାକ୍ରମେ ୨୭୫ ଓ ୨୩୫ ଟଙ୍କା ବୃଦ୍ଧି କରାଯାଇଛି।

ଏହାଛଡ଼ା ସାଧାରଣ ମାନର ଧାନ ଉପରେ ଏମଏସପିକୁ କ୍ବିଣ୍ଟାଲ୍ ପିଛା ୧ ହଜାର ୮୬୮ରୁ ବଢ଼ାଯାଇ ୧ ହଜାର ୯୪୦ ଟଙ୍କା କରାଯାଇଛି। ଦେଶର ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ଦର ଦେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦ୍‌ଢ଼ କରିବା ସକାଶେ ଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଅନୁସାରେ, ଚାଷୀମାନେ ସେମାନଙ୍କ ଉତ୍ପାଦ ସାମଗ୍ରୀ ଉପରେ ପାଉଥିବା ଦରକୁ ପାଖାପାଖି ଦେଢ଼ ଗୁଣା ବଢ଼ାଯିବ ବୋଲି କୁହାଯାଇଥିଲା। ଚାଷୀମାନେ ଉତ୍ପାଦନ କରୁଥିବା ଖାଦ୍ୟଶସ୍ୟ ଉପରେ ସେମାନଙ୍କୁ ସର୍ବାଧିକ ୮୫ ପ୍ରତିଶତ ପର୍ଯ୍ୟନ୍ତ ଲାଭ ବାଜରା ଫସଲ ଉପରେ ମିଳିପାରିବ। ସେହିପରି ହରଡ଼ ଉପରେ ସେମାନଙ୍କୁ ୬୫ ପ୍ରତିଶତ ଓ ମୁଗ
ଫସଲ ଉପରେ ସେମାନଙ୍କୁ ୬୨ ପ୍ରତିଶତ ପର୍ଯ୍ୟନ୍ତ ଲାଭ ମିଳିପାରିବ। ଏହାଛଡ଼ା ଅନ୍ୟାନ୍ୟ ଫସଲ ଉପରେ ଚାଷୀମାନେ ଖର୍ଚ୍ଚ ତୁଳନାରେ ପାଖାପାଖି ୫୦ ପ୍ରତିଶତ ଅଧିକ ଲାଭବାନ ହୋଇପାରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି। ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ କେନ୍ଦ୍ର ସରକାର ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଯଥୋଚିତ ମୂଲ୍ୟ ଦେବା ସକାଶେ ବିଭିନ୍ନ ପ୍ରକାର ଆଇନ ଲାଗୁ କରିଛନ୍ତି। ସେହିପରି ଚାଷୀମାନେ ଯେପରି ଅତ୍ୟାଧୁନିକ ପଦ୍ଧତିରେ ଚାଷୀ ଉପରେ ଗୁରୁତ୍ବ ଦେବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। ଚାଷ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ମାଧ୍ୟମରେ ଚାହିଦା ଓ ଉତ୍ପାଦନ ମଧ୍ୟରେ ଏକ ଉପଯୁକ୍ତ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ