ପୁଣି ଲକ୍ଷେରୁ କମ୍ ସଂକ୍ରମିତ, ୨୨୧୯ ମୃତ: ୫ ରାଜ୍ୟରୁ ୬୭.୦୪ ପ୍ରତିଶତ


ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ତାପମାତ୍ରା ଯାଞ୍ଚ୍ କରାଯାଉଛି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରୀ ଜାରି ରହିଥିବା ବେଳେ ଗତ ଦୁଇଦିନ ହେଲା ନୂଆ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି। ଅବଶ୍ୟ ଗତ ସୋମବାର ଦିନକ ଭିତରେ ୯୦ ହଜାର ତଳେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମଙ୍ଗଳବାର ଦିନକ ଭିତରେ ସାମାନ୍ୟ ଅଧିକ ଅର୍ଥାତ୍ ୯୨ ହଜାର ୫୯୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଗତ ମଙ୍ଗଳବାର ୨ ହଜାର ୨୧୯ ଜଣ ସଂକ୍ରମିତଙ୍କର ପ୍ରାଣହାନୀ ଘଟିଥିବା ବେଳେ ମୋଟ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ରେ ପହଞ୍ଚିଯାଇଛି। ସେହିପରି ନୂଆ ସଂକ୍ରମିତଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ ଭାରତରେ କୋଭିଡ୍ ଭୂତାଣୁ ଦ୍ବାରା ମୋଟ ୨ କୋଟି ୯୦ ଲକ୍ଷ ୮୯ ହଜାର ୬୯ ଜଣ ସଂକ୍ରମିତ ହୋଇସାରିଛନ୍ତି। ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ କେବଳ ୫ଟି ରାଜ୍ୟରୁ ୬୭.୦୪ ପ୍ରତିଶତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତାମିଲନାଡ଼ୁରେ ସର୍ବାଧିକ ୧୮ ହଜାର ୨୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ କେରଳରେ ଦ୍ବିତୀୟ ସର୍ବାଧିକ ୧୫ ହଜାର ୫୬୭, ମହାରାଷ୍ଟ୍ରରେ ୩ୟ ସର୍ବାଧିକ ୧୦ ହଜାର ୮୯୧, କର୍ଣ୍ଣାଟକରେ ଚତୁର୍ଥ ସର୍ବାଧିକ ୯ ହଜାର ୮୦୮ ଓ ଆନ୍ଧ୍ର ପ୍ରଦେଶରେ ପଞ୍ଚମ ସର୍ବାଧିକ ୭ ହଜାର ୭୯୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ୧୯.୪୬ ପ୍ରତିଶତ ତାମିଲନାଡ଼ୁରେଠାବ କରାଯାଇଛି। ତା’ଛଡ଼ା ଗତ ଦିନକ ଭିତରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୭୦୨ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ତାମିଲନାଡ଼ୁରେ ଦ୍ବିତୀୟ ସର୍ବାଧିକ ୪୦୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୪.୫୫ ପ୍ରତିଶତ ସୁସ୍ଥତା ଲାଭ କରିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣିଥରେ ସଂକ୍ରମିତଙ୍କ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଗତ ମଙ୍ଗଳବାର ଦିନକ ଭିତରେ ୧ ଲକ୍ଷ ୬୨ ହଜାର ୬୬୪ ଜଣ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ଅବା ସୁସ୍ଥତା ଲାଭ କରିଛନ୍ତି। ଫଳସ୍ବରୂପ ଦେଶରେ ମୋଟ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ରେ ପହଞ୍ଚିଯାଇଛି। ଏଥିସହ ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୪୧୫କୁ ଖସିଆସିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ୭୨ ହଜାର ୨୮୭ ଜଣ ଅଧିକ ସୁସ୍ଥତା ଲାଭ କରିଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟକରାଯାଇଛି। ତା’ଛଡ଼ା ଦେଶରେ ଜାରି ରହିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ଗତ ୨୪ ଘଣ୍ଟାରେ ୨୭ ଲକ୍ଷ ୭୬ ହଜାର ୯୬ ଜଣଙ୍କୁ ଟିକା ଦିଆଯାଇଛି। ତେଣୁ ଅଦ୍ୟାବଧି ମୋଟ ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇସାରିଛି। ଆହୁରି ଗତ ୨୪ ଘଣ୍ଟାରେ ୧୯ ଲକ୍ଷ ୮୫ ହଜାର ୯୬୭ ଜଣଙ୍କ ନମୁନା ପରୀକ୍ଷା ହେବା ଫଳରେ ମୋଟ ସଂଖ୍ୟା ୩୭ କୋଟି ୧ ଲକ୍ଷ ୯୩ ହଜାର ୫୬୩ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ