ଘରେ ରାସନ୍ ପହଞ୍ଚାଇବା ଯୋଜନାରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ: କେଜରିୱାଲ୍


ଅରବିନ୍ଦ କେଜରିୱାଲ୍ ଓ ନରେନ୍ଦ୍ର ମୋଦୀ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘରେ ଘରେ ରାସନ୍ ପହଞ୍ଚାଇବା ଯୋଜନା ଉପରେ କେନ୍ଦ୍ର ସରକାର ବ୍ରେକ୍ ଲଗାଇଥିବା ବେଳେ ଏବେ ଏହି ଯୋଜନାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସେ ରାଜି ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ କେନ୍ଦ୍ର ସରକାର ପୁନର୍ବାର ଦିଲ୍ଲୀରେ ପ୍ରତିଟି ହିତାଧିକାରୀଙ୍କ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଅନୁମତି ଦେବା ସକାଶେ କେଜରିୱାଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର କୌଣସି ପ୍ରକାର ପରିବର୍ତ୍ତନ ଚାହୁଁଥିଲେ, ତାହା ବି କରିବାକୁ ଦିଲ୍ଲୀ ସରକାର ରାଜି ଥିବା କେଜରିୱାଲ୍ କହିଛନ୍ତି। ସାମ୍ପ୍ରତିକ ସମୟରେ କୋଭିଡ୍ ସଂକ୍ରମଣ ଜାରି ରହିଥିବାରୁ ଘରେ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇବା ଯୋଜନା କେବଳ ଦିଲ୍ଲୀରେ ନୁହେଁ, ସମଗ୍ର ଦେଶରେ ଲାଗୁ ହେବା ଉଚିତ। ନଚେତ୍ ରାସନ୍ ସାମଗ୍ରୀ ବଣ୍ଟନ ଦୋକାନଗୁଡ଼ିକ ଆଗାମୀ ଦିନରେ କୋଭିଡ ସୁପର୍ ସ୍ପ୍ରେଡର୍ ପାଲଟିଯିବାର ଆଶଙ୍କା ରହିଛି ବୋଲି କେଜରିୱାଲ୍ ମତ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇବାକୁ ଯାଇ କେଜରିୱାଲ୍ କହିଛନ୍ତି ଯେ ବର୍ତ୍ତମାନ ସମୟରେ ପିଜା, ବର୍ଗର, ସ୍ମାର୍ଟଫୋନ୍ ଓ ପୋଷାକ ଆଦି ଘରେ ପହଞ୍ଚାଯାଇପାରୁଛି। ତେଣୁ ଏପରି ସ୍ଥିତିରେ ହିତାଧିକାରୀମାନଙ୍କୁ ରାସନ୍ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବାରେ ଅସୁବିଧା କ’ଣ ବୋଲି କେଜରିୱାଲ୍ ପ୍ରଶ୍ନ କରିଛନ୍ତି।

ଅବଶ୍ୟ କେନ୍ଦ୍ର ସରକାର ପୂର୍ବରୁ ଦିଲ୍ଲୀ ସରକାର ଲଗାଇଥିବା ଆରୋପକୁ ଖଣ୍ଡନ କରିବା ସହ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇବା ଯୋଜନାକୁ ବନ୍ଦ କରିବାରେ କେନ୍ଦ୍ର ସରକାରଙ୍କର କିଛି ବି ଭୂମିକା ନାହିଁ ବୋଲି କୁହାଯାଇଛି। କିନ୍ତୁ କେଜରିୱାଲ୍ ଏହି ଯୋଜନାକୁ ବନ୍ଦ କରିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏହାର କାରଣ ପଚାରିଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ଯୋଜନା ଦ୍ବାରା ଦିଲ୍ଲୀରେ ଚାଲିଥିବା ରାସନ୍ ମାଫିଆଙ୍କ ରାଜୁତିରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ରହିଥିଲା। ୧୭ ବର୍ଷ ତଳେ ସେ ଦିଲ୍ଲୀର ବସ୍ତି ଅଞ୍ଚଳରେ ସକ୍ରିୟ ଥିବା ବେଳେ ଏହିପରି ରାସନ୍ ମାଫିଆମାନଙ୍କ ସହତାଙ୍କର ମୁକାବିଲା ହୋଇଥିଲା ଓ ଏଥିସକାଶେ ତାଙ୍କୁ ଏକାଧିକ ବାର ଆକ୍ରମଣର ମଧ୍ୟ ଶିକାର ହେବାକୁ ପଡ଼ିଛି ବୋଲି କେଜରିୱାଲ୍ କହିଥିଲେ। ତେବେ ବର୍ତ୍ତମାନ କେଜରିୱାଲ ଲେଖିଥିବା ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି କ’ଣ ରହୁଛି, ତାହା ଦେଖିବାର କଥା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ