ଫ୍ରେଞ୍ଚ୍ ଓପନ୍: ମହିଳା କ୍ବାର୍ଟରରେ ସ୍ବିଆଟେକ୍, ପୁରୁଷରେ ନାଡାଲ୍ ଓ ଜୋକୋଭିଚ୍


ନାଡାଲ୍, ଜୋକୋଭିଚ୍ ଓ ସ୍ବିଆଟେକ୍ (ଫାଇଲ୍ ଫଟୋ)
ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ମହିଳା ସିଙ୍ଗଲ୍ସ କ୍ବାର୍ଟର୍ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର ଅଷ୍ଟମ ସିଡ୍ ଖେଳାଳି ଇଗା ସ୍ବିଆଟେକ୍। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ରାଉଣ୍ଡ୍ ମୁକାବିଲାରେ ସ୍ବିଆଟେକ୍ ପ୍ରତିଦ୍ବନ୍ଦ୍ବୀ ୟୁକ୍ରେନର ଅଣସିଡେଡ୍ ଖେଳାଳି ମାର୍ଟା କୋଷ୍ଟୟୁକ୍‌ଙ୍କୁ ୬-୩, ୬-୪ ସିଧାସଳଖ ସେଟରେ ପରାସ୍ତ କରି ଏଠାରେ ଟାଇଟଲ୍ ବଜାୟ ରଖିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ୨୦ ବର୍ଷୀୟା ସ୍ବିଆଟେକ୍ ବର୍ତ୍ତମାନ ଏକମାତ୍ର ଶୀର୍ଷ ୧୦ ଖେଳାଳି ଭାବେ ତିଷ୍ଠି ରହିଛନ୍ତି। ପ୍ରତିଯୋଗିତାରେ ପୂର୍ବରୁ ଜାପାନର ଟପ୍ ସିଡ୍ ଖେଳାଳି ନାଓମୀ ଓସାକାଙ୍କ ସମେତ ଏକାଧିକ ସିଡେଡ୍ ପ୍ରତିଯୋଗୀ ବିଦାୟ ନେଇସାରିଛନ୍ତି। ତେଣୁ ଏଠାରେ କ୍ରମାଗତ ଭାବେ ଦ୍ବିତୀୟ ଟାଇଟଲ୍ ହାସଲ କରିବା ସକାଶେ ଫେବରିଟ୍ ବୋଲି ବିବେଚନା କରାଯାଉଛି। ଏହା ପୂର୍ବରୁ ସୋମବାର ଆମେରିକାର ୧୭ ବର୍ଷୀୟା କୋକୋ ଗଫ୍ ୬-୩, ୬-୧ ସେଟ୍ରେ ୨୫ତମ ସିଡ୍ ଖେଳାଳି ଟ୍ୟୁନିସିଆର ଓନ୍ସ ଜାବିରଙ୍କୁ ୬-୩,୦-୬,୬-୧ରେ ପରାସ୍ତ କରି କ୍ବାର୍ଟର୍ ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିସାରିଛନ୍ତି। ତା’ଛଡ଼ା ଆମେରିକାର ଚତୁର୍ଥ ସିଡ୍ ସୋଫିଆ କେନିନଙ୍କୁ ୬-୧, ୬-୩ରେ ହରାଇ ଗ୍ରୀସର ସପ୍ତଦଶ ସିଡ୍ ମାରିଆ ସାକାରି ଏବଂ ଆମେରିକାର ସ୍ଲୋନ୍ ଷ୍ଟିଫେନ୍ସଙ୍କୁ ୬-୨, ୬-୦ରେ ହରାଇ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ମଧ୍ୟ କ୍ବାର୍ଟରକୁ ଉନ୍ନୀତ ହୋଇସାରିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ସୋମବାର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଇଟାଲୀର ୧୯ ବର୍ଷୀୟା ଲୋରେଞ୍ଜୋ ମୁସେଟି ପଞ୍ଚମ ସେଟ ଚାଲିଥିବା ବେଳେ ଆଉ ଖେଳି ନ ପାରିବାରୁ ଜୋକୋଭିଚ୍ ପଞ୍ଚଦଶ ଥର ପାଇଁ କ୍ବାର୍ଟର୍ ଫାଇନାଲରେ ପହଞ୍ଚିଛନ୍ତି। ଉକ୍ତ ମ୍ୟାଚଟିରେ ଜୋକୋଭିଚ୍ ୬-୭(୭/୯),୬-୭(୨/୭),୬-୧,୬-୦,୪-୦ରେ ଆଗୁଆ ଥିବା ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଆହୁରି ୩ୟ ସିଡ୍ ସ୍ପେନର ରାଫେଲ୍ ନାଡାଲ୍ ତାଙ୍କ ଇଟାଲୀୟ ପ୍ରତିଯୋଗୀ ଜାନିକ୍ ସିନରଙ୍କୁ ୭-୫, ୬-୩, ୬-୦ ସେଟରେ ପରାସ୍ତ କରିଥିବା ବେଳେ ଷଷ୍ଠ ସିଡ୍ ଗ୍ରୀକର ଆଲେକଜାଣ୍ଡର୍ ଜ୍ବେରେଭ୍ ଜାପାନର କେଇ ନିଶିକୋରିଙ୍କୁ ୬-୪, ୬-୧, ୬-୧ରେ ପରାସ୍ତ କରି କ୍ବାର୍ଟର୍ ଫାଇନାଲରେ ପହଞ୍ଚିସାରିଛନ୍ତି। କ୍ବାର୍ଟର୍ ପର୍ଯ୍ୟାୟରେ ଜ୍ବେରେଭ୍ ସ୍ପେନର ଆଲେଜାଣ୍ଡ୍ରୋ ଡେଭିଡୋଭିଚ୍ ଫୋକିନାଙ୍କୁ, ଷ୍ଟେଫାନୋସ୍ ସିଟସିପାସ୍ ରୁଷିଆର ଡାନିଲ୍ ମେଡଭେଡେଭଙ୍କୁ, ଜୋକୋଭିଚ୍ ଇଟାଲୀର ମାଟିଓ ବାରେଟିନି ଏବଂ ଶେଷ କ୍ବାର୍ଟରରେ ନାଡାଲ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମାନଙ୍କୁ ଭେଟିବେ। ସେହିପରି ମହିଳା ସିଙ୍ଗଲ୍ସ କ୍ବାର୍ଟରରେ ଟି. ଜିଡାନସେକ୍ ସ୍ପେନର ବାଦୋସା ଗିବର୍ଟଙ୍କୁ, ଏଲେନା ରିବାକିନା ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ, ଗଫ୍ କ୍ରେଜିକୋଭାଙ୍କୁ ଏବଂ ସ୍ବିଆଟେକ୍ ସାକାରିଙ୍କୁ ଭେଟିବେ। ତେବେ ଭାରତର ଡବଲ୍ସ ସ୍ପେଶାଲିଷ୍ଟ୍ ରୋହନ୍ ବୋପାନ୍ନା ତାଙ୍କ କ୍ରୋଏସିଆ ଯୋଡ଼ି ଫ୍ରାଙ୍କୋ ସ୍କୁଗରଙ୍କ ସହ କ୍ବାର୍ଟରରେ ପ୍ରବେଶ କରିଥିଲେ ମଧ୍ୟ ଏହି ରାଉଣ୍ଡରେ ଯୋଡ଼ିକୁ ସ୍ପେନୀୟ ଯୋଡ଼ି ପି. ମାର୍ଟିନେଜ୍-ପି. ଆନ୍ଦୁଜାରଙ୍କଠାରୁ ୭-୫, ୬-୩ରେ ପରାସ୍ତ ହେବା ଫଳରେ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ