୬୬ ଦିନ ପରେ ଲକ୍ଷେ ତଳକୁ ଖସିଲା ସଂକ୍ରମଣ, ସାଢ଼େ ୩ ଲକ୍ଷ ଟପିଲା ମୃତ୍ୟୁ


କୋଭିଡ୍ ଟିକା ନେଉଛନ୍ତି ଜଣେ ବୟସ୍କା ମହିଳା
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରୀ ବେଶ୍ ତ୍ବରିତ ବେଗରେ ହ୍ରାସ ପାଇଚାଲିଛି। ଫଳସ୍ବରୂପ ସୋମବାର ଦିନକ ଭିତରେ ଦେଶରେ ଲକ୍ଷେ ତଳେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦିନକ ଭିତରେ ୮୬ ହଜାର ୪୯୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ୬୬ ଦିନରେ ଏହା ସର୍ବନିମ୍ନ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଦିନକ ଭିତରେ ୨ ହଜାର ୧୨୩ ଜଣ ସଂକ୍ରମିତଙ୍କର କୋଭିଡ୍ ସଂକ୍ରମଣ କାରଣରୁ ମୃତ୍ୟୁ ହେବା ଫଳରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ସାଢ଼େ ୩ ଲକ୍ଷ ଅତିକ୍ରମ କରିଛି। ଏଥିସହ ଗତ ୪୭ ଦିନ ମଧ୍ୟରେ ସୋମବାର ସର୍ବନିମ୍ନ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦେଶରେ କୋଭିଡ୍ ଭୂତାଣୁ ସର୍ବମୋଟ ୩ ଲକ୍ଷ ୫୧ ହଜାର ୩୦୯ ଜଣଙ୍କ ଜୀବନ ନେଇସାରିଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଛଡ଼ା ଦେଶରେ ସାପ୍ତାହିକ ପଜିଟିଭିଟି ହାର ୫.୯୪ ପ୍ରତିଶତ ରହିଥିବା ବେଳେ ଦୈନିକ ହାର ୪.୬୨ ପ୍ରତିଶତ ରହିଛି। ସଦ୍ୟ ନୂଆ ସଂକ୍ରମିତଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ ମୋଟ ୨ କୋଟି ୮୯ ଲକ୍ଷ ୯୬ ହଜାର ୪୭୩ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୨ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିସାରିଛନ୍ତି। ଫଳସ୍ବରୂପ ବର୍ତ୍ତମାନ ୧୩ ଲକ୍ଷ ୩ ହଜାର ୭୦୨ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୮୨ ହଜାର ୨୮୨ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥତା ହାର ମଧ୍ୟ ୯୪.୨୯ ପ୍ରତିଶତକୁ ବଢ଼ିଥିବା ମନ୍ତ୍ରାଳୟ ଦେଇଥିବା ତଥ୍ୟରୁ ଜଣାପଡ଼ିଛି।

ସେହିପରି ଦୈନିକ ପଜିଟିଭିଟି ହାର କ୍ରମାଗତ ପଞ୍ଚଦଶ ଦିନରେ ୧୦ ପ୍ରତିଶତ ତଳେ ଅର୍ଥାତ୍ ୪.୬୨ ପ୍ରତିଶତକୁ ହ୍ରାସ ପାଇଛି। ଏହାଛଡ଼ା ଦେଶରେ ନମୁନା ପରୀକ୍ଷା ପରିମାଣ କ୍ରମାଗତ ଭାବେ ବଢ଼ିଚାଲିଥିବା ବେଳେ ମୋଟ ୩୬ କୋଟି ୮୨ ଲକ୍ଷ ୭ ହଜାର ୫୯୬ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ଦେଶରେ ପାଖାପାଖି ୬ ମାସ ହେଲା ଜାରି ରହିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ଅଦ୍ୟାବଧି ୨୩ କୋଟି ୬୧ ଲକ୍ଷ ୯୮ ହଜାର ୭୨୬ ଜଣଙ୍କୁ ଏହି ଟିକା ଦିଆଯାଇସାରିଛି। ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୩୫୧ ଜଣ ତାମିଲନାଡ଼ୁରେ ହୋଇଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୩୪୦ ଜଣ ଲେଖାଏଁ, ୨୧୧ ଜଣ କେରଳର ଓ ୧୦୩ ଜଣ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନରୁ ଜଣାପଡ଼ିଛି। ଏଥିସହ ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୪୭୦ ଜଣଙ୍କର କୋଭିଡ୍ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇସାରିଛି। ଦ୍ବିତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି, ଯେଉଁଠି ଏହି ସଂଖ୍ୟା ୩୧ ହଜାର ୯୨୦, ତାମିଲନାଡ଼ୁରେ ୨୭ ହଜାର ୩୫୬, ଦିଲ୍ଲୀରେ ୨୪ ହଜାର ୬୨୭, ଉତ୍ତର ପ୍ରଦେଶରେ ୨୧ ହଜାର ୧୩୩, ପଶ୍ଚିମବଙ୍ଗରେ ୧୬ ହଜାର ୩୬୨, ପଞ୍ଜାବରେ ୧୫ ହଜାର ୬୧୦ ଓ ଛତିଶଗଡ଼ରେ ୧୨ ହଜାର ୨୪୩ ରହିଛି। ତେବେ କୋଭିଡ୍ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କଠାରେ ଅନ୍ୟାନ୍ୟ ରୋଗ ରହିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ