ଗୁରୁତର କୋରୋନା ରୋଗୀଙ୍କ ପାଇଁ ଏକମୋ ଚିକିତ୍ସା


ଏକମୋ ଚିକିତ୍ସାରେ ନିର୍ଭରଥିବା ରମେଶଙ୍କ ପରିବାର
ରାଜ୍ୟରେ ସଙ୍କଟଜନକ ଅବସ୍ଥାରେ ଏକାଧିକ କୋରୋନା ରୋଗୀଙ୍କୁ ଏକମୋ ଚିକିତ୍ସା ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ଆଦି ଯିବାକୁ ପଡ଼ୁଛି। ଏହାକୁ ରୋକିବା ପାଇଁ ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ କି ସାଧନ ବ୍ୟକ୍ତି ନାହାନ୍ତି। ରାଜ୍ୟରେ କେବଳ ଦୁଇଟି ଘରୋଇ ଡାକ୍ତରଖାନାରେ ଏଭଳି ମେସିନ ଥିବା ବେଳେ ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ବଡ଼ ମେଡିକାଲରେ ଏକମୋ ମେସିନ ନାହିଁ। ଢେଙ୍କାନାଳ ଜିଲା ଗନ୍ଦିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ପୁଅ ପାଇଁ ଏଭଳି ଚିକିତ୍ସାର ଆବଶ୍ୟକତା ଥିବା ଦର୍ଶାଇ ଆକୁଳ ନିବେଦନ କରିଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ତାଙ୍କୁ ଏକମୋ ଚିକିତ୍ସା ମିଳିପାରି ନ ଥିଲା। ଶେଷରେ ତାଙ୍କ ପୁଅର ମ୍‌ତ୍ୟୁ ଘଟିଲା। ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଯୁବ ଇଞ୍ଜିନିୟର ଅମ୍ରିତଙ୍କୁ ଏଭଳି ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା। ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କୁ ଏମ୍ସରେ ଏଭଳି ଚିକିତ୍ସା ମିଳିପାରି ନ ଥିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ଏକମୋ ଚିକିତ୍ସା ଆରମ୍ଭ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଶନିବାର ଡାକ୍ତରମାନେ ତାଙ୍କର ଟ୍ରାକୋଷ୍ଟୋନ ଅପରେସନ କରିଛନ୍ତି। ଗଳା ନିକଟରେ ଏକ ରନ୍ଧ୍ର କରାଯାଇ ଏକ ପାଇପ ଜରିଆରେ ଫୁସଫୁସକୁ ଅକ୍ସିଜେନ ଯୋଗାଣ କରାଯାଇଛି। ଅମ୍ରିତ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଏକମୋ ମେସିନ ଉପରେ ନିର୍ଭରଶୀଳ ଅଛନ୍ତି। ମିଲାପ ଫଣ୍ଡ ରେଜର ସହାୟତାରେ ୭୦ ଲକ୍ଷ ଟଙ୍କା ଯୋଗାଡ଼ ହୋଇଛି। ଦେଢ଼ କୋଟି ଖର୍ଚ୍ଚର ଆକଳନ କରିଛନ୍ତି ବିଶେଷଜ୍ଞ। ତେବେ ଅମ୍ରିତଙ୍କୁ ଭୁବନେଶ୍ବରରୁ ଚେନ୍ନାଇ ନେବାରେ ୨୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏହି ଚିକିତ୍ସାରେ ଦିନକୁ ଅତିକମରେ ୨ ଲକ୍ଷ ଖର୍ଚ୍ଚ ହେଉଥିବାରୁ ସାଧାରଣ ପରିବାରର ଗୁରୁତର ରୋଗୀ ଏହି ଚିକିତ୍ସା ଗ୍ରହଣ ପାଇଁ ଅନୁକମ୍ପା ଓ ଅନୁଦାନ ଉପରେ ନିର୍ଭର କରିବା ବ୍ୟତୀତ ଅନ୍ୟକିଛି ବିକଳ୍ପ ହିଁ ନାହିଁ।

ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ରମେଶ ସାହୁ କୋଭିଡରେ ଗୁରୁତର ସଂକ୍ରମିତ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିଜର ଜମିବାଡ଼ି ବିକ୍ରି କରି ସେ ୫୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ରମେଶଙ୍କ ପତ୍ନୀ ସ୍ମିତା ବିମଲନ ନାୟାରଙ୍କ ଅନୁଯାୟୀ ଏବେ ରମେଶଙ୍କ ଏକମୋ ଚିକିତ୍ସା ଚାଲିଛି। ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ସରିଲାଣି। ବଦାନ୍ୟ ବ୍ୟକ୍ତିମାନଙ୍କ ସୁଦୟା ହେଲେ ମୋ ସ୍ବାମୀ ବଞ୍ଚିପାରିବେ ବୋଲି ସେ କହିଛନ୍ତି। କୋଲକାତାର ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ରମେଶ ଏକମୋ ଚିକିତ୍ସାରେ ୨୧ ଦିନ ଯାଏ ରହିବେ। ଏଥିପାଇଁ ଦୈନିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରମେଶ ମହାରାଷ୍ଟ୍ରରେ କାମ କରୁଥଲେ। ତାଙ୍କର ଏକ ୮ ବର୍ଷର ଝିଅ ରହିଛି। ରମେଶଙ୍କ ବାପା କୋରୋନାରେ ପୀଡ଼ିତ ଥିଲେ। ତାଙ୍କର ସେବା କରୁଥିଲେ ପୁଅ ରମେଶ। ପିତାଙ୍କ ମ୍‌ତ୍ୟୁ ପରେ ପରେ ରମେଶ ମେ ୧୧ରେ ଗୁରୁତର ସଂକ୍ରମିତ ହୋଇପଡ଼ିଥିଲେ। ପ୍ରଥମେ ଭଞ୍ଜନଗର, ତା ପରେ ସମ ହସ୍ପିଟାଲ ଓ ପରେ କେୟାର ଓ ଏବେ ଆମ୍ରିରେ ତାଙ୍କର ଚିକିତ୍ସା ଚାଲିଛି।

ରମେଶ ଅମ୍ରିତଙ୍କ ଜୀବନ ଏବେ ବଦାନ୍ୟ ବ୍ୟକ୍ତିଙ୍କ ଅନୁକମ୍ପା ଓ ସହାୟତା ଉପରେ ନିର୍ଭର କରୁଛି। କିନ୍ତୁ ସମସ୍ତେ ଏଭଳି ପାଣ୍ଠି ଯୋଗାଡ଼ ପାଇଁ ସକ୍ଷମ ହୋଇପାରିବେ ନାହିଁ। ସରକାରୀ ବଡ଼ ଡାକ୍ତରଖାନା ଗୁଡ଼ିକରେ ଏଭଳି ଚିକିତ୍ସା ପଦ୍ଧତି ତୁରନ୍ତ ଆରମ୍ଭ ହେବା ଉଚିତ। କେବଳ ମେସିନ କିଣି ଭଣ୍ଡାରଘରର ସ୍ଥାନ ପୂରଣ ନ କରି ଆବଶ୍ୟକ ମାନବସମ୍ବଳ ନିୟୋଜିତ କରି ଚିକିତ୍ସା ସେବା ଯୋଗାଇ ଦେଲେ ଗୁରୁତର ରୋଗୀ ଆଉ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ