୨ ମାସରେ ସର୍ବନିମ୍ନ ସଂକ୍ରମଣ, ଲକ୍ଷେ ଆକ୍ରାନ୍ତ, ୨୪୨୭ ମୃତ


ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ କୋଭିଡ୍ ସଂକ୍ରମିତଙ୍କୁ ସ୍ବାସ୍ଥ୍ୟକର୍ମୀମାନେ ଷ୍ଟ୍ରେଚରରେ ବୋହି ନେଉଛନ୍ତି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସଂକ୍ରମଣ ମାତ୍ରା ହ୍ରାସ ପାଇଚାଲିଥିବା ବେଳେ ଗତ ରବିବାର ଦିନକ ଭିତରେ ଦୁଇ ମାସ ମଧ୍ୟରେ ସର୍ବନିମ୍ନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦିନକରେ ୧ ଲକ୍ଷ ୬୩୬ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ୨ ହଜାର ୪୨୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନାନୁସାରେ, ସଦ୍ୟ ନୂଆ ସଂକ୍ରମିତଙ୍କୁ ମିଶାଇ ଅଦ୍ୟାବଧି ମୋଟ ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ଜଣ ଏହି ଭୂତାଣୁ ସଂସ୍ପର୍ଶରେ ଆସିସାରିଛନ୍ତି। ସେହିପରି କୋଭିଡ୍ ସଂକ୍ରମଣ କାରଣରୁ ମୋଟ ମୃତ୍ୟୁସଂଖ୍ୟା ପାଖାପାଖି ସାଢ଼େ ୩ ଲକ୍ଷ ପାଖାପାଖି ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କ ସଂଖ୍ୟାରେ ୭୬ ହଜାର ୧୯୦ ହ୍ରାସ ଘଟିବା ଫଳରେ ଏବେ ଦେଶରେ ୧୪ ଲକ୍ଷ ୧ ହଜାର ୬୦୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଗତ ରବିବାର ଦିନକ ଭିତରେ ଦେଶରେ ୧ ଲକ୍ଷ ୭୪ ହଜାର ୩୯୯ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିବା ଫଳରେ ମୋଟ ସଂଖ୍ୟା ୨ କୋଟି ୭୧ ଲକ୍ଷ ୫୯ ହଜାର ୧୮୦ରେ ପହଞ୍ଚିଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ କ୍ରମାଗତ ୨୫ତମ ଦିନରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ପ୍ରତିଶତ ୯୩.୯୪ ରହିଛି। ଏବେ ସାପ୍ତାହିକ ପଜିଟିଭିଟି ହାର ୬.୨୧ ପ୍ରତିଶତ ରହିଛି।

ଏଥିସହ କ୍ରମାଗତ ଚତୁର୍ଦ୍ଦଶ ଦିନରେ ଦୈନିକ ପଜିଟିଭିଟି ହାର ୧୦ ପ୍ରତିଶତ ତଳେ ଅର୍ଥାତ୍ ୬.୩୫ ପ୍ରତିଶତ ରହିଛି। ସେହିପରି ଦେଶର ସର୍ବାଧିକ ପ୍ରଭାବିତ ୫ ରାଜ୍ୟ ମଧ୍ୟରେ ତାମିଲନାଡ଼ୁରେ ଶୀର୍ଷରେ ବଜାୟ ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୦ ହଜାର ୪୨୧ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦ୍ବିତୀୟ ସର୍ବାଧିକ କେରଳରେ ୧୪ ହଜାର ୬୭୨ ଜଣ, ମହାରାଷ୍ଟ୍ରରେ ୩ୟ ସର୍ବାଧିକ ୧୨ ହଜାର ୫୫୭ ଜଣ, କର୍ଣ୍ଣାଟକରେ ଚତୁର୍ଥ ସର୍ବାଧିକ ୧୨ ହଜାର ୨୦୯ ଜଣ ଓ ଆନ୍ଧ୍ର ପ୍ରଦେଶରେ ପଞ୍ଚମ ସର୍ବାଧିକ ୮ ହଜାର ୯୭୯ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି। ଏହି ୫ଟି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୮.୪ ପ୍ରତିଶତ ସଂକ୍ରମିତ ଠାବ ହୋଇଛନ୍ତି। ସେହିପରି ମୋଟ ସଂକ୍ରମଣରେ ତାମିଲନାଡ଼ୁର ଅବଦାନ ୨୦.୨୯ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୮୭ ହଜାର ୫୮୯ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ଫଳସ୍ବରୂପ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୩୬ କୋଟି ୬୩ ଲକ୍ଷ ୩୪ ହଜାର ୧୧୧ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ