ପିଣ୍ଡରେ ଫୁଙ୍କୁଛି ପ୍ରାଣ: ମହାମାରୀ ମାଡ଼ରେ ବି ବଞ୍ଚିଛି ମାନବିକତା


ଅମ୍ରିତଙ୍କୁ ବଞ୍ଚାଇବା ପାଇଁ ସାଙ୍ଗମାନେ ଦେଲେ ୭୦ ଲକ୍ଷ ଟଙ୍କା
କୋଭିଡ ମହାମାରୀ ସାରା ବିଶ୍ୱରେ ସୃଷ୍ଟି କରିଛି ଆତଙ୍କ। ସଂକ୍ରମିତ ଖବର ଶୁଣିବା ମାତ୍ରେ ସମ୍ପର୍କୀୟମାନେ ଦୂରେଇ ଯାଉଥିବା ବେଳେ ମୃତକମାନେ ପାଉନାହାନ୍ତି ଶେଷ ସମ୍ମାନ। ମାନବ ଜାତିର ଏଭଳି ସଙ୍କଟଜନକ ସମୟରେ ଦେବଦୂତ ପରି ଅନେକ ବ୍ୟକ୍ତି ଓ ସଂଗଠନ ଆଗକୁ ଆସି ନିଜର କିଛି ଅଲିଭା ସ୍ବାକ୍ଷର ଛାଡିଯାଉଛନ୍ତି। ଏଭଳି ପ୍ରେରଣାଦାୟୀ ଖବର ଗୁଡିକ ବାବଦରେ ଆମେ ଆମର ପାଠକଙ୍କୁ ନିୟମିତ ଭାବେ ସୂଚିତ କରାଉଥିବା ବେଳେ ଏବେ ଏଭଳି କିଛି ଅନୁରୂପ ଭଲ ଖବରକୁ ନେଇ ଆଜିର ଆମର ଏ ଉପସ୍ଥାପନା।

ଭୁବନେଶ୍ୱରରେ ଅମୃତ ଧାରା
କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍‌ଥ୍ ଆଣ୍ଡ୍ ୱେଲ୍‌ନେସ୍ ଗ୍ରୁପ୍ ପକ୍ଷରୁ ‘ଅମୃତ ଧାରା’ ନାମରେ ଏକ ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ବିଏମ୍‌ସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ଆଶ୍ରୟସ୍ଥଳ ପଟିଆ ବିଗ ବଜାରସ୍ଥିତ ତ୍ରିଷ୍ଣା ବାଙ୍କେଟ ଠାରେ ଆରମ୍ଭ ହୋଇଛି। ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍‌ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟା (ରକ୍ତରେ ଅମ୍ଳଜାନର ଅଭାବ)ରୁ ବଞ୍ଚାଯାଇ ପାରିବ। ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନ ହେଲେ ମଧ୍ୟ ଡାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ। ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକସ୍ଥଳେ ମନସ୍ତାତ୍ତ୍ବିକ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଏହି ସେଣ୍ଟର୍ ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ୱର ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି। ରାଜ୍ୟରେ ଦ୍ୱିତୀୟ ଲହର କମି ଆସୁଥିବା ବେଳେ ତୃତୀୟ ଲହରର ସମ୍ଭାବନା ଆକଳନ କରାଯାଇଛି। ଏହି ଦୃଷ୍ଟିରୁ ରାଜଧାନୀରେ ଏଭଳି ଏକ ସେବା ନିଶ୍ଚିତ ଭାବେ ଜୀବନ ରକ୍ଷା ଦିଗରେ ସହାୟକ ହୋଇପାରିବ।

ଶ୍ରମିକଙ୍କୁ ସାହାଯ୍ୟ କରୁଛି ସ୍ମାଇଲ ଅନଲକ
ବିଭିନ୍ନ କାରଣରୁ ପ୍ରବାସରେ ଫସି ରହିଛନ୍ତି ବହୁ ଅଣସଂଗଠିତ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରି ଓଡ଼ିଶାକୁ ଫେରାଇ ଆଣିବା ପାଇଁ ସ୍ମାଇଲ ଅନଲକ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ହ୍ୟାଣ୍ଡ ଅଫ୍ ହୋପ୍’ କାର୍ଯ୍ୟକ୍ରମ। ଯାଜପୁର ଜିଲ୍ଲାର ଜଣେ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟି ଏଭଳି ଅଭିଯାନ ଜରିଆରେ ଅନେକ ଶ୍ରମିକଙ୍କ ପରିବାରକୁ ସଜାଡ଼ିଛନ୍ତି। ନିକଟରେ ହୃଦାନନ୍ଦଙ୍କ ନେତୃତ୍ୱରେ ସଂଗଠନ ଦୁଇଜଣ ଶ୍ରମିକଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ, ବାରଙ୍ଗ ଅଞ୍ଚଳର ବିନୋଦ ବେଉରା ଓ ଯାଜପୁର ଜିଲ୍ଲା ସୁକିନ୍ଦାର ଦୀପକ। ମଧ୍ୟପ୍ରଦେଶର ଇନ୍ଦୋରରୁ ବିନୋଦଙ୍କୁ ଓ ଦୀପକଙ୍କୁ ଗୁଜରାଟର ସୁରତରୁ ଉଦ୍ଧାର କରାଯାଇଛି। ପରିବାରରେ ଅସନ୍ତୋଷ ହେତୁ ବିନୋଦ ୧୫ ବର୍ଷ ପୂର୍ବେ ଘର ଛାଡ଼ି ମୁମ୍ବାଇରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ପରେ ସେ କାମ ଆଶାରେ ସୁରତ ଚାଲି ଯାଇଥିଲେ। ସେଠାରେ ତାଙ୍କୁ କାମ ମିଳିଥିଲା ସତ ତା ସହ ମିଳିଥିଲା ଅକଥନୀୟ ଅତ୍ୟାଚାର। ଘରକୁ ଆସିବାକୁ ମଧ୍ୟ ତାଙ୍କୁ ଦିଆଯାଇ ନ ଥିଲା। ଫଳରେ ସେ ନିଜ ବାପା ଏବଂ ଦାଦାଙ୍କୁ ମଧ୍ୟ ଶେଷଥର ପାଇଁ ଦେଖିବାକୁ ଆସି ପାରି ନ ଥିଲେ। ବିନୋଦଙ୍କ ବଡ଼ ଭାଇ ଏବେ ଲିଭର ରୋଗରେ ଆକ୍ରାନ୍ତ। ୯୦ ପ୍ରତିଶତ ଲିଭର ନଷ୍ଟ ହୋଇଯାଇ ଥିବାରୁ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇ ବିନୋଦ ଘରକୁ ଫେରିବା ପାଇଁ ଚାହିଥିଲେ। ଘରଲୋକ ମଧ୍ୟ ତାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସ୍ମାଇଲ ଅନଲକ୍‌ର ପ୍ରତିଷ୍ଠାତା ଯୁବ ଇଞ୍ଜିନିୟର ହୃଦାନନ୍ଦ ପୃଷ୍ଟିଙ୍କ ସହ ଯୋଗାଯୋଗ କରିଥିଲେ। ହୃଦାନନ୍ଦ ସୁରତ ପ୍ରଶାସନ ସହ କଥା ହୋଇ ବିନୋଦଙ୍କ ଫେରିବା ବ୍ୟବସ୍ଥା କରିଥିଲେ। ପ୍ରାୟ ୭ ଦିନର ମିସନ ପରେ ବିନୋଦ ଘରକୁ ଫେରିଥିଲେ। ସେହିପରି ଦୀପକ ଇନ୍ଦୋରରେ ଜଣେ ଅପରେଟର ଭାବେ କାମ କରନ୍ତି। ଦୀର୍ଘ ଦେଢ଼ ବର୍ଷ ହେବ ସେ ମଧ୍ୟ ଘରକୁ ଫେରି ପାରି ନ ଥିଲେ। ସ୍ମାଇଲ ଅନଲକ୍‌ ସଂସ୍ଥାର ‘ହ୍ୟାଣ୍ଡ ଅଫ୍ ହୋପ୍‌’ ଜରିଆରେ ଯୋଗାଯୋଗ କରିବା ଦ୍ବାରା ଦୀପକଙ୍କୁ ଉଦ୍ଧାର କରାଯାଇଥିବା କହିଛନ୍ତି ହୃଦାନନ୍ଦ। ହୃଦାନନ୍ଦ କହିଛନ୍ତି ଯେ ଯେଉଁ ପ୍ରବାସୀ ଓଡ଼ିଆମାନେ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ସେମାନେ ଫୋନ ନଂ. ୮୨୪୯୪୬୨୬୬୭ରେ ଯୋଗାଯୋଗ କଲେ ସେମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ।

ଜୀବନ ବଞ୍ଚାଇବାକୁ ଆଗେଇ ଆସିଲେ ସାଙ୍ଗ: ଯୋଗାଇ ଦେଲେ ୭୦ ଲକ୍ଷ
କୋରୋନାରେ ପୀଡ଼ିତ ହୋଇ ମାସେ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବ୍ରହ୍ମପୁର ବାସୁଦେବ ନଗରର ଇଞ୍ଜିନିୟର ଅମ୍ରିତ ପ୍ରଧାନ। ଏମିତି ଏକ ସଙ୍କଟ ସମୟରେ ଅମ୍ରିତ ଏକା ନାହାନ୍ତି। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ସାଙ୍ଗସାଥୀ, ଭଉଣୀ ମନୀଷା ଓ ବନ୍ଧୁବାନ୍ଧବ। ଚିକିତ୍ସା ପାଇଁ ପ୍ର‌ାୟ କୋଟିଏ ଟଙ୍କାର ଆବଶ୍ୟକତା ଥିବା ବେଳେ ଏଯାଏ ସମସ୍ତେ ମିଶି ସଂଗ୍ରହ କରିଛନ୍ତି ୭୦ ଲକ୍ଷ ଟଙ୍କା। ଆଉ ଗୁରୁବାର ଦିନ ଉନ୍ନତ ଚିକିତ୍ସା ପାଇଁ ଅମ୍ରିତ୍‌ଙ୍କୁ ଏୟାର୍ ଆମ୍ବୁଲାନ୍‌ସ ଯୋଗେ ଭୁବନେଶ୍ବର ଏମ୍‌ସରୁ ଚେନ୍ନାଇ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇ ଆପୋଲୋ ହସ୍ପିଟାଲର ଏକ ୬ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଏଠାରୁ ସାଙ୍ଗରେ ନେଇ ଯାଇଛନ୍ତି।

ଗତ ଏପ୍ରିଲ ମାସରେ ଅମ୍ରିତଙ୍କ ବାପାମା’ କୋରୋନା ଆକ୍ରାନ୍ତ ହେବାରୁ ସେମାନଙ୍କୁ ଚିକିତ୍ସା ଲାଗି ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ‌ଅମ୍ରିତ ସେମାନଙ୍କ ଯତ୍ନ ନେଉଥିବା ବେଳେ କୋରୋନାରେ ସଂକ୍ରମିତ ହୋଇଥିଲେ। ସେ ବ୍ରହ୍ମପୁରସ୍ଥିତ ନିଜ ଘରେ ରହି ଚିକିତ୍ସିତ ‌ହେଉଥିଲେ। ତେବେ କୋରୋନାରୁ ତାଙ୍କ ବାପାମା’ ସୁସ୍ଥ ହୋଇଗଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେ’ ୨ ତାରିଖରେ ତାଙ୍କୁ ଏମ୍‌ସ ଅଣାଯାଇଥିଲା ଏବଂ ମେ’ ୧୨ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରୀକ୍ଷାରୁ ତାଙ୍କ ଫୁସଫୁସ୍‌ ବହୁ ପରିମାଣରେ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। କ୍ରମେ ସେ ସେପ୍ଟିସେମିଆରେ ପୀଡ଼ିତ ଥିବା ମଧ୍ୟ ଜଣାପଡ଼ିଥିଲା। ତେଣୁ ତାଙ୍କୁ ଆଇସିୟୁ ସହ ଏକ୍‌ମୋ ମେସିନ୍ ଦ୍ବାରା ଚିକିତ୍ସା କରିବା ଦରକାର ବୋଲି ଡାକ୍ତରମାନେ କହିଥିଲେ। ଏହା ଜାଣିବା ପରେ ଭଉଣୀ ମନୀଷା ଚେନ୍ନାଇ ଆପୋଲୋ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ଏଭଳି ଚିକିତ୍ସା ଲାଗି କୋଟିଏ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଜାଣିବା ପରେ ବି ସେ ଆଶା ଛାଡ଼ି ନଥିଲେ। ମୋବାଇଲ୍‌ ଫୋନ୍‌ରେ ସେ ନିଜର ଓ ଅମ୍ରିତଙ୍କ ସାଙ୍ଗମାନଙ୍କୁ ଯୋଡ଼ି ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ। ଅମ୍ରିତର ଚିକିତ୍ସା ପାଇଁ ମିଲାପ ଫଣ୍ଡ‌ରେଜର୍‌ରେ ପ୍ରାୟ ୭୦ ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା ବେଳେ ଆହୁରି ଅର୍ଥର ଦରକାର ଅଛି। ତେଣୁ ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ ନମ୍ବର ୭୭୧୦୦୨୮୦୧୫ରେ ଯୋଗାଯୋଗ କରିବା ପାଇଁ ମନୀଷା ଅନୁରୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ