ଇଂଲଣ୍ଡ ୨୭୫ ରନରେ ଅଲଆଉଟ୍: ନ୍ୟୁଜିଲାଣ୍ଡ୍ ୧୬୫ ରନ୍‌ରେ ଆଗୁଆ


ଶତକୀୟ ଇନିଂସ ଖେଳିଥିବା ବର୍ନସ ଅଫ୍ ସାଇଡ୍‌ରେ ଏକ ଶଟ୍ ଖେଳୁଛନ୍ତି
ଲଣ୍ଡନ: ଚଳିତ ଲର୍ଡ୍ସ ଟେଷ୍ଟ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୧୬୫ ରନ୍‌ରେ ଆଗୁଆ ରହିଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଶନିବାର ନ୍ୟୁଜିଲାଣ୍ଡ୍ ତା’ର ଦ୍ବିତୀୟ ଇନିଂସରେ ୨ଟି ୱିକେଟ୍ ହରାଇ ୬୨ ରନ୍ କରିଥିବା ବେଳେ ଓପନର ଟମ୍ ଲାଥାମ୍ ୩୦ ଓ ନାଇଟ୍ ୱାଚମ୍ୟାନ୍ ଭାବେ ବ୍ୟାଟିଂ କରିବାକୁ ଆସିଥିବା ନିଲ୍ ୱାଗନର୍ ୨ ରନ୍ କରି ଅପରାଜିତ ଅଛନ୍ତି। ଇଂଲଣ୍ଡ ପକ୍ଷରୁ ଦୁଇଟିଯାକ ୱିକେଟ୍ ଡେବ୍ୟୁଟାଣ୍ଟ୍ ପେସର୍ ଓଲି ରବିନସନ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୨୭୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଓପନର ରୋରି ବର୍ନସ୍ ୧୩୨ ରନର ଜବରଦସ୍ତ ଇନିଂସ ଖେଳିଥିଲେ। କିନ୍ତୁ ଅନ୍ୟ କେହି ବ୍ୟାଟ୍ସମ୍ୟାନ୍ ବିଶେଷ ସହଯୋଗ କରି ନ ଥିଲେ। ଚତୁର୍ଥ ଦିନର ଖେଳ ଆରମ୍ଭ ହେବା ମାତ୍ରେ ପ୍ରଥମ ବଲରେ ନ୍ୟୁଜିଲାଣ୍ଡ୍ ପେସର୍ କାଇଲ୍ ଜେମିସନ୍ ୪୨ ରନ୍ କରି ଅପରାଜିତ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଆଉଟ୍ କରିଥିଲେ। ପରେ ଓଲି ପୋପ୍ ୫ଟି ଚୌକା ସହ ୨୨ ରନ୍ ଏବଂ ପରେ ରବିନସନ୍ ୫ଟି ଚୌକା ସହ ୪୨ ରନ୍ କରିଥିଲେ। ରବିନସନ୍ ଓ ବର୍ନସ୍ ସପ୍ତମ ୱିକେଟରେ ୬୩ ରନ୍ କରିବା ଫଳରେ ଦଳ ୨ ଶହ ଅତିକ୍ରମ କରିଥିଲା।

ବର୍ନସ୍ ୧୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୩୨ ରନ୍ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ଟେଷ୍ଟ୍ କ୍ୟାରିୟରରେ ଏହା ତାଙ୍କର ଦ୍ବିତୀୟ ଶତକ ହୋଇଥିବା ବେଳେ ମାତ୍ର ଦୁଇ ରନ୍ ପାଇଁ ନିଜର ଶ୍ରେଷ୍ଠ ଇନିଂସରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଆଉଟ୍ କରି ଟିମ୍ ସାଉଦି ସମୁଦାୟ ୬ଟି ୱିକେଟ୍ ନେଇ ଦଳକୁ ପ୍ରଥମ ଇନିଂସ ଭିତ୍ତିରେ ୧୦୩ ରନର ଅଗ୍ରଣୀ ଦେବାରେ ମୁଖ୍ୟ ଭୂମିକା ନେଇଥିଲେ। ଏହାଛଡ଼ା ଜେମିସନ୍ ୩ଟି ଏବଂ ଅନ୍ୟ ୱିକେଟଟି ୱାଗନର୍ ନେଇଥିଲେ। ନ୍ୟୁଜିଲାଣ୍ଡ ଚତୁର୍ଥ ଦିନରେ ସମୁଦାୟ ୩୦ ଓଭର୍ ଖେଳି ୬୨ ରନ୍ କରିଛି। ପ୍ରଥମ ୱିକେଟ୍ ଭାବେ ପ୍ରଥମ ଇନିଂସରେ ଦ୍ବିଶତକୀୟ ରେକର୍ଡ ଇନିଂସ ଖେଳିଥିବା ଡେଭନ୍ କୋନୱେ ୨ଟି ଚୌକା ଜରିଆରେ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ କେନ୍ ୱିଲିୟମସନ୍ ୧୯ଟି ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ରବିବାର ମ୍ୟାଚର ଶେଷ ଦିନ ଥିବାରୁ ଏହା ବିନା ଫଳାଫଳରେ ଶେଷ ହେବାର ସମ୍ଭାବନା ରହିଛି। ସିରିଜରେ ସମୁଦାୟ ଦୁଇଟି ଟେଷ୍ଟ୍ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟଟି ଆସନ୍ତା ୧୦ ତାରିଖରେ ବର୍ମିଂହାମର ଏଜବାଷ୍ଟନ୍ଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ