ପୁଣି ବଢ଼ିଲା ତୈଳ ଦର: ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୧୦୧.୨୫


ପ୍ରତୀକାତ୍ମକ ଫଟୋ
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର। ନିୟମିତ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଚାଲିବା ଫଳରେ ଏହା ଦିନକୁ ଦିନ ଗ୍ରାହକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି। ଫଳସ୍ବରୂପ ଦେଶର କେତେକ ସ୍ଥାନରେ ପେଟ୍ରୋଲ୍ ଲିଟର ପିଛା ଶହେରୁ ଅଧିକ ହୋଇଛି। ନିକଟରେ ତୈଳ ଦର ବଢ଼ିବା ଫଳରେ ବାଣିଜ୍ୟନଗରୀ ମୁମ୍ବାଇରେ ପ୍ରଥମ ଥର ପାଇଁ ପେଟ୍ରୋଲ୍ ଦର ଶହେ ଟଙ୍କା ଅତିକ୍ରମ କରିଥିଲା। ଏବେ ରବିବାର ପୁଣିଥରେ ଦର ବଢ଼ିବାରୁ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୧୦୧ ଟଙ୍କା ୨୫ ପଇସା ଗ୍ରାହକଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୯୩ ଟଙ୍କା ୩୦ ପଇସା ରହିଥିବା ବେଳେ ଦୁଇ ଦିନ ତଳେ ମୁମ୍ବାଇରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଯଥାକ୍ରମେ ୧୦୧ ଟଙ୍କା ୯୮ ପଇସା ଓ ୯୨ ଟଙ୍କା ୯୯ ପଇସା ଥିଲା। ଗତ ମେ’ ୨୯ ତାରିଖରେ ପ୍ରଥମ ଥର ପାଇଁ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ଶହେ ଟଙ୍କାକୁ ଅତିକ୍ରମ କରିଥିଲା। ସେହିପରି ସଦ୍ୟ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୯୫ ଟଙ୍କା ୩ ପଇସାରେ ପହଞ୍ଚିଯାଇଛି।

ସେହିପରି ରାଜଧାନୀ ଦିଲ୍ଲୀରେ ଡିଜେଲ୍ ଦର ଲିଟର ପିଛା ୮୫ ଟଙ୍କା ୯୫ ପଇସାରେ ପହଞ୍ଚିଛି।  ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ୍ ଲିଟରପିଛା ୯୪ ଟଙ୍କା ୭୬ ପଇସା ରହିଥିଲା ଓ ଡିଜେଲ୍ ଦର ୮୫ ଟଙକ୍ା ୬୬ ପଇସା ରହିଥିଲା। ମୁମ୍ବାଇ ବ୍ୟତୀତ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଲେହ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଞ୍ଚଳରେ ମଧ୍ୟ ପେଟ୍ରୋଲ୍ ଦର ଶହେ ଟଙ୍କା ଉପରେ ପହଞ୍ଚିଯାଇଛି। ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ପେଟ୍ରୋଲ୍ ଲିଟର ପିଛା ଦର ୧୦୩ ଟଙ୍କା ୧୭ ପଇସାରେ ପହଞ୍ଚିଯାଇଥିବା ବେଳେ ସେଠାରେ ଡିଜେଲ୍ ଦର ୯୪ ଟଙ୍କା ୫୦ ପଇସାରେ ପହଞ୍ଚିଛି। ସେହିପରି ରାଜସ୍ଥାନ ରାଜଧାନୀ ଜୟପୁରରେ ଗୋଟିଏ ଲିଟର ପେଟ୍ରୋଲ୍ ଭରିବାକୁ ଗ୍ରାହକଙ୍କୁ ୧୦୧ ଟଙ୍କା ୫୯ ପଇସାରେ ପହଞ୍ଚିଯାଇଥିବା ଜଣାପଡ଼ିଛି। ସେହିପରି ଦେଶରେ ସର୍ବପ୍ରଥମେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ୍ ଦର ଲିଟର ପିଛା ଶହେ ଟଙ୍କା ଟପିଥିବା ବେଳେ ସେଠାରେ ଏବେ ନୂଆ ଦର ୧୦୫ ଟଙ୍କା ୩୩ ପଇସାରେ ପହଞ୍ଚିଛି। ପେଟ୍ରୋଲ୍ ଦର ଏହିପରି ଭାବେ ବଢ଼ିବା ଜାରି ରହିଲେ ଖୁବଶୀଘ୍ର ଏହି ଜିଲ୍ଲାରେ ଲିଟର ୧୧୦ ଟଙ୍କା ଟପିଯିବାର ସମ୍ଭାବନା ମଧ୍ୟ ରହିଛି। ଆହୁରି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ ତେଲେଙ୍ଗାନାର ଆଦିଲାବାଦରେ ମଧ୍ୟ ପେଟ୍ରୋଲ୍ ଦର ଲିଟର ପିଛା ଶହେ ଟଙ୍କା ଟପିଯାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଅଧିକ ଭାଟ୍ ଲାଗୁ ହୋଇଥିବାରୁ ଏଠାରେ ତୈଳ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ