ଜିତିଲା ମାନବିକତା: କୋରୋନା ମୁସଲିମ ରୋଗୀଙ୍କ ପାଇଁ କାଲିମା ପଢ଼ିଲେ ହିନ୍ଦୁ ଡାକ୍ତର


ଡା ରେଖା କୃଷ୍ଣା
କୋରୋନା କାଳରେ ଗୋଟିଏପଟେ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇ ଜୀବନ ହରାଉଥିବାବେଳେ ଅନ୍ୟପଟେ ଏହି ସଙ୍କଟ ସମୟରେ ଆମ ଦେଶର ଲୋକଙ୍କ ସେବା ମନୋଭାବର ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହାକୁ ସାରା ଜୀବନ ଲୋକେ ଭୁଲି ପାରିବେ ନାହିଁ। ଏଭଳି ଏକ ସଦ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ମହିଳା ଡାକ୍ତର। ଯିଏ କୋଭିଡ ସଂକ୍ରମିତ ମୁସଲମାନ ରୋଗୀଙ୍କ ପାଇଁ ଇସଲାମିକ ପ୍ରାର୍ଥନା କରିଛନ୍ତି।

କେରଳର ପଲକ୍କଡର ପଟ୍ଟାମ୍ବିର ଏକ ଘରୋଇ ହସ୍ପିଟାଲରେ ଗୁରୁତର କୋଭିଡ ପଜିଟିଭ ରୋଗୀଙ୍କ ପାଇଁ ଇସଲାମିକ ପ୍ରାର୍ଥନା କରିଥିବା ଡାକ୍ତରଙ୍କର ସବୁଆଡ଼େ ପ୍ରଶଂସା କରାଯାଉଛି। ଉକ୍ତ କୋଭିଡ ରୋଗୀ ଜଣକ ନିମୋନିଆରେ ପୀଡ଼ିତ ଥିଲେ। ଦୁଇ ସପ୍ତାହରୁ ଅଧିକ ଦିନ ଭେଣ୍ଟିଲେଟରରେ ଥିଲେ। କୋଭିଡ ସଂକ୍ରମିତ ହୋଇଥିବାରୁ ପରିବାର ଲୋକଙ୍କୁ ଆଇସିୟୁ ଭିତରକୁ ଯିବାର ଅନୁମତି ନ ଥିଲା।

ରୋଗୀର ଅବସ୍ଥା ଦେଖି ଡାକ୍ତର ପଢ଼ିଲେ କାଲିମା
ଏକ ଖବରକାଗଜ ରିପୋର୍ଟ ଅନୁସାରେ ସେଭାନ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟରତ ଡା.ରେଖା କୃଷ୍ଣା କହିଛନ୍ତି ଯେ ରୋଗୀର ଅବସ୍ଥା ବିଗିଡ଼ିବା ପରେ ତାଙ୍କୁ ୧୭ ମେ’ରେ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। କାରଣ ଡାକ୍ତରମାନେ ବୁଝି ସାରିଥିଲେ ରୋଗୀଙ୍କ ଅବସ୍ଥା ଗମ୍ଭୀର ରହିଛି ଓ ତାଙ୍କ ବଞ୍ଚିବାର ଆଶା କ୍ଷୀଣ। ଏହା ପରେ ସେମାନେ ରୋଗୀଙ୍କ ଘର ଲୋକଙ୍କୁ ତାଙ୍କ ସ୍ଥିତି ସମ୍ପର୍କରେ ଜଣାଇଥିଲେ। ରୋଗୀଙ୍କ ପାଖରେ ପହଞ୍ଚିବାବେଳେ ଡା.ରେଖା ଜାଣିପାରିଥିଲେ, ତାଙ୍କୁ କିଛି ସମସ୍ୟା ହେଉଛି। ପରେ ସେ ଧିରେ ଧିରେ ତାଙ୍କ କାନରେ କାଲିମା ଶୁଣାଇଥିଲେ। ଏହାପରେ ରୋଗୀ ଗଭୀର ନିଶ୍ବାସ ପ୍ରଶ୍ବାସ ନେବା ପରେ ଦୁନିଆକୁ ଅଲବିଦା କହିଥବା ଡା.ରେଖା କହିଛନ୍ତି।

କାଲିମାର ଅର୍ଥ ବି ବୁଝାଇଲେ
ଡା.ରେଖା ଆରବୀ ଭାଷା ଜାଣନ୍ତି। ସେ ଯେଉଁ କାଲିମା ପଢ଼ିଲେ ତାହାର ଅର୍ଥ ମଧ୍ୟ ବୁଝାଇଥିଲେ। ଡା.ରେଖା କହିଛନ୍ତି ଯେ ଏହାର ଅର୍ଥ ହେଉଛି ଆଲ୍ଲାଙ୍କ ବିନା ଅନ୍ୟ କୌଣସି ଭଗବାନ ନାହାନ୍ତି ଓ ମହମ୍ମଦ ତାଙ୍କର ପେଗାମ୍ବର। ଡା.ରେଖା କୋଭିଡ-୧୯ ସମୟର ତାଙ୍କର ଏହି ଅସାଧାରଣ ଅନୁଭବକୁ ଜଣେ ସାଥୀ ଡାକ୍ତରଙ୍କୁ ଜଣାଇଥିଲେ। ପରେ ସେ ସୋସାଲ ମିଡିଆରେ ଏକ ପୋଷ୍ଟ ବି ଲେଖିଥିଲେ। ଯାହା ଖୁବ ଭାଇରାଲ ହେଉଛି। ତେବେ ପ୍ରଶଂସା ସାଉଁଟିବାକୁ ସେ ଏପରି କରି ନାହାନ୍ତି। ସେ ଦୁବାଇରେ ଜନ୍ମ ହେବା ସହିତ ସେଠାରେ ବଡ଼ ହୋଇଛନ୍ତି। ତେଣୁ ସେ ଜାଣିଛନ୍ତି ମୁସଲମାନଙ୍କ ରୀତିନୀତି କ’ଣ ରହିଛି। ତେଣୁ ସେହି ମୁହୂର୍ତ୍ତରେ ଯାହା ତାଙ୍କୁ ଠିକ ଲାଗିଲା ସେ କରିଲେ। ଏହା ତାଙ୍କର କୌଣସି ଯୋଜନା ନ ଥିଲା ବୋଲି ଡା.ରେଖା କହିଛନ୍ତି।

ପ୍ରଶଂସା କଲେ ସୁନ୍ନି ବିଦ୍ବାନ
ଏହି ଖବର ଭାଇରାଲ ହେବା ପରେ ସୁନ୍ନି ବିଦ୍ବାନ ଅବଦୁଲ ହମିଦ ଫୈଜି ଅମ୍ବାଳାକକଦାଭୁ ସୋସାଲ ମିଡିଆରେ ଡାକ୍ତର ରେଖାଙ୍କ ପ୍ରଶଂସା କରିଛନ୍ତି। ଏହି ଖବର ତାଙ୍କ ହୃଦୟକୁ ଛୁଇଁ ଯାଇଛି ବୋଲି ସେ କହିଛନ୍ତି। ବିଶେଷକରି ଯେଉଁ ସମୟରେ ଧର୍ମ ପାଇଁ ସେମାନଙ୍କୁ ପିଟିପିଟି ହତ୍ୟା କରାଯାଉଛି,  ଡା.ରେଖା ଦେଶ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ