ବ୍ଲାକ ଫଙ୍ଗସର ଭୟାବହତା ନେଇ ଗୁଜରାଟ ମହିଳାଙ୍କ କାହାଣୀ

୪ ଥର ସର୍ଜରୀ ପରେ ବି ରହିଛି ଦମ୍ଭ

ବ୍ଲାକ ଫଙ୍ଗସ ସଂକ୍ରମିତ ମହିଳା
ସଦ୍ୟପ୍ରାପ୍ତ ଏକ ସୂଚନା ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୧୨ ହଜାରରୁ ଅଧିକ ମ୍ୟୁକର ମାୟୋକୋସିସ ଓ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ସମ୍ନାକୁ ଆସିଛି। ଏକ ଆକଳନ ଅନୁଯାୟୀ ଏହି ରୋଗର ଶିକାର ହେଉଥିବା ଲୋକଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ପ୍ରାଣହାନି ଘଟିଥାଏ। ଯେଉଁମାନେ ବଞ୍ଚିଯାନ୍ତି ଅନେକ୍ଷକ୍ଷେତ୍ରରେ ସେମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଆଖିକୁ ବାହାର କରିବାକୁ ପଡ଼େ। ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସପନ ଶାହଙ୍କ କହିବା କଥା ହେଉଛି ଅହମଦାବାଦରେ ରହୁଥିବା ଦୀପିକା ବେନ ମୁକେଶ ଭାଇ ଶାହଙ୍କ ପ୍ରସଙ୍ଗ ଗୁଜରାଟରେ ରିପୋର୍ଟ ହୋଇଥିବା ବ୍ଲାକ ଫଙ୍ଗସର ଆରମ୍ଭ ବେଳର ଘଟଣା ମଧ୍ୟରୁ ଗୋଟିଏ। ସେ କହିଥିଲେ, ମୁଁ ସେପ୍ଟେମ୍ବର ମାସରେ ମଧ୍ୟ ବ୍ଲାକ ଫଙ୍ଗସ ସଂକ୍ରମିତ ରୋଗୀଙ୍କୁ ଦେଖିଥିଲି। କିନ୍ତୁ ସେ ଅପରେସନ ପାଇଁ ରାଜି ନ ଥିଲେ। ଗତବର୍ଷ ଅକ୍ଟୋବରରେ କୋଭିଡରେ ସଂକ୍ରମିତ ହୋଇଥିବା ଦୀପିକା ବେନଙ୍କ ବର୍ତ୍ତମାନ ସୁଦ୍ଧା ୪ ଥର ସର୍ଜରୀ ହୋଇସାରିଛି। ଆଖି, ନାକ ଓ ମୁହଁରେ କରାଯାଇଥିବା ଅସ୍ତ୍ରୋପଚାର ତାଙ୍କୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛି। ତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାହାଣ ଆଖିକୁ ବାହାର କରି ଦିଆଯାଇଛି। ପାଟିରୁ ସବୁ ଦାନ୍ତ ବାହାର କରିଦେବାକୁ ପଡ଼ିଛି। ମୁଣ୍ଡର ନିମ୍ନଭାଗରେ ଏକ ଅସ୍ଥିକୁ ହଟାଇବାକୁ ପଡ଼ିଛି। କାହିଁକି ନା ସେଠାରେ ମଧ୍ୟ ବ୍ଲାକ ଫଙ୍ଗସ ପହଞ୍ଚିଯାଇଥିଲା।

ଆଖିରେ ୬୦ ସର୍ଜରୀ
ଅକ୍ଟୋବର ଠାରୁ ମେ ମାସ ଶେଷ ଯାଏ ଡାକ୍ତର ଶାହା ଆଖି ବାହାର କରିବାରେ ୬୦ରୁ ଅଧିକ ସର୍ଜରୀ କରିସାରିଛନ୍ତି। ନେଭମ୍ବର ୧୪ରେ ଦୀପିକା ଡାକ୍ତର ଶାହଙ୍କ ସହିତ ଭେଟିବା ବେଳେ ତାଙ୍କ ଡାହାଣ ଆଖିୁ ସଫା ଦେଖାଯାଉ ନ ଥିବା ଅଭିଯୋଗ କରିଥିଲେ। ସେହି ସମୟରେ ଦୀପିକାଙ୍କ କୋଭିଡ ଚିକିତ୍ସା ଚାଲିଥିଲା ଏବଂ ଷ୍ଟେରଏଡ ଦିଆଯାଉଥିଲା। ଯେତେବେଳେ ଦୀପିକାଙ୍କୁ ମୋ ପାଖକୁ ଅଣାଗଲା ସେତେବେଳେ ତାଙ୍କ ସ୍ଥିତି ସଂଗୀନ ଥିଲା ଓ ମୁଁ ତାଙ୍କ ଆଖିକୁ ତୁରନ୍ତ ଅପରେସନ କରି ଅପସାରଣ କରିବା ପାଇଁ ପରାମର୍ଶ ଦେଇଥିଲି ବୋଲି ଶାହା ମିଡିଆକୁ କହିଛନ୍ତି।

କ’ଣ କହନ୍ତି ଦୀପିକା
ମୋ ନାମ ଦୀପିକା ବେନ। ମୋ ବୟସ ୪୨। ମୋ ପରିବାରରେ ମୋ ସ୍ବାମୀ ଓ ମୋର ଦୁଇ ସନ୍ତାନ। ଗୋଟିଏ ପୁଅ, ଗୋଟିଏ ଝିଅ। ଆମେ ଅହମଦାବାଦର ପାଲଡିରେ ରହୁ। ଗତବର୍ଷ ଦୀପାବଳି ପୂର୍ବରୁ ଅକ୍ଟୋବରରେ ମୋତେ କୋରୋନା ହୋଇଥିଲା। ରୋଗ ପୂର୍ବରୁ ମୋ ଓଜନ ୮୨ କିଲୋ ଥିଲା। ପରେ ହ୍ରାସ ପାଇ ୫୦ରେ ପହଞ୍ଚିଗଲା। ଏହାପରେ ମୋତେ ବ୍ଲାକ ଫଙ୍ଗସ ଆକ୍ରମଣ କରିଥିଲା। ଆଖିରେ ସମସ୍ୟା ଆରମ୍ଭ ହୋଇଗଲା। ମୋତେ କିଛି ସଂକ୍ରମଣ ହୋଇଥିବା ଭଳି ଲାଗିଲା। ଆଖି ଆଉ ଖୋଲିଲାନି। ଏହି ରୋଗ ବ୍ଲାକ ଫଙ୍ଗସ ବୋଲି ଜଣା ନ ଥିଲା। ଆଗରୁ ମୋର ଡାଏବେଟିସ ନ ଥିଲା। କିନ୍ତୁ କୋରୋନା ପରେ ସୁଗାର ସ୍ତର ବଢ଼ି ୫୫୦ରେ ପହଞ୍ଚିଗଲା। ଡାକ୍ତର ଯେତେବେଳେ କହିଲେ ଆଖି ବାହାର କରାଯିବ, ମୋର ଚିନ୍ତା ବଢ଼ିଗଲା। ଜୀବନ ବଞ୍ଚାଇବା ପାଇଁ ଆଖି ବାହାର କରାଗଲା। ପରେ ପରେ ଗୋଟିଏ ପରେ ଗୋଟିଏ କରି ସବୁ ଦାନ୍ତ ଖସିଗଲା। ଫଙ୍ଗସ ନାକରେ ବି ପଶିଯିବାରୁ ନାକରେ ଅପରେସନ କରାଗଲା। ଦାନ୍ତ ଓ ଆଖିର ଯନ୍ତ୍ରଣାରେ ରାତି ରାତି ଅନିଦ୍ରା ରହିଲି। ତରଳ ପଦାର୍ଥ ଥିଲା ମୋର ମୁଖ୍ୟଖାଦ୍ୟ। ଜୁସ, ପଇଡ଼ ପାଣି ପିଇବାକୁ ମିଳୁଥିଲା। ଆଠ ନଅ ମାସ ପରେ ଫଙ୍ଗସ ମୁଣ୍ଡକୁ ପ୍ରବେଶ କରିଗଲା। ଏପ୍ରିଲରେ ପୁଣିଥରେ ଅପରେସନ ହେଲା। ମୋତେ ସୁସ୍ଥ କରିବା ପାଇଁ ଏକ ଡାକ୍ତରୀ ଟିମ ଗଢ଼ାଯାଇଥିଲା।

୫୦ ଲକ୍ଷ ଖର୍ଚ୍ଚ
ବ୍ଲାକ ଫଙ୍ଗସ ଠିକ କରିବା ପାଇଁ ମୋତେ ଯେଉଁ ଇଞ୍ଜେକସନ ଦିଆଯାଉଥିଲା, ତାହା ବହୁତ ମହଙ୍ଗା ଥିଲା। ପ୍ରତ୍ୟେକଟିର ଦାମ ୮ ହଜାର ଟଙ୍କା ଥିଲା। ଗୋଟିଏ ଗୋଟିଏ ଦିନରେ ଏଭଳି ୬ଟି ଇଞ୍ଜେକସନ ଲାଗୁଥିଲା। ଯାହାର ମୂଲ୍ୟ ୪୮ ହଜାର ଟଙ୍କା ଥିଲା। ମୋ ସ୍ବାମୀ ପିଭିସି ପାଇପର ଜଣେ ବ୍ୟବସାୟୀ। ଏବେ ମୁଁ ସୁସ୍ଥ। ଡାକ୍ତର କହିଛନ୍ତି ଖରାକୁ ବାହାରିବା ମନା। ମୋ ନାକ ଓ ଆଖି ମଧ୍ୟରେ ଥିବା ଶିରାକୁ କାଟି ବାହାର କରିଦିଆଯାଇଛି। ଖାଇବା ଓ ନିଃଶ୍ବାସନେବାରେ ଏବେ ବି କଷ୍ଟ ହେଉଛି। ଡାକ୍ତର କହିଛନ୍ତି କଟାଯାଇଥିବା ଶିରାଟି ଆପେ ଆପେ ଯୋଡ଼ି ହୋଇଯିବ। କିନ୍ତୁ ଏଥିପାଇଁ ସମୟ ଲାଗିବ। ଏବେ ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦେଛି ଯେ ମୋ ପିଲାଙ୍କ ପାଇଁ ମୋତେ ବଞ୍ଚାଇ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ