ଟିକା ଅଭାବ: ଜୁନ୍‌ ୨ ରୁ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ବନ୍ଦ


ବିଏମ୍‌ସି ଅଞ୍ଚଳରେ ଚାଲିଛି ଟିକାକରଣ
ସମଗ୍ର ଦେଶରେ ଟିକା ଅଭାବ ଜନିତ ସମସ୍ୟା ଲାଗି ରହିଛି। ଟିକା ନ ଥିବାରୁ ୧୮ରୁ ୪୪ ବର୍ଷ ବର୍ଗର ଲୋକମାନଙ୍କୁ ଟିକା ଦିଆଯାଇ ପାରୁନାହିଁ। ସେହିପରି ଦ୍ବିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରି ରହିଛନ୍ତି ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକ। ଟିକା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଟିକାକରଣ ବାଧାପ୍ରାପ୍ତ ହୋଇଛି। ରାଜଧାନୀର ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଚାଲିଥିବା କେବଳ ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ତେଣୁ ଟିକା ନ ଥିବାରୁ ବୁଧବାର ପରଠାରୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଟିକା କରଣ ପ୍ରକ୍ରିୟାକୁ ବନ୍ଦ ରଖାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରରେ କୋରୋନା ସ୍ଥିତି ଜଟିଳ ରହିଥିବାବେଳେ ରାଜଧାନୀବାସୀଙ୍କ ପାଇଁ ଟିକା ଅଭାବ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ସ୍ଲଟ୍‌ ବୁକିଂ କରିଥିବା ଲୋକଙ୍କୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କେବଳ ସରକାରୀ ପିଏଚ୍‌ସିଗୁଡିକରେ ଟିକା ଦେବା ପାଇଁ ଅନୁମତି ମିଳିଛି। ଟିକା ଅଭାବ ଥିବାରୁ ବର୍ତ୍ତମାନ ପାଇଁ ଏହି ବର୍ଗର ଲୋକଙ୍କ ପାଇଁ ସ୍ଲଟ୍‌ ବୁକିଂ ମଧ୍ୟ ବନ୍ଦ ରହିଛି। ଟିକା ଆସିବା ପରେ ପୁଣିଥରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ସହ ପୂର୍ବପରି ବିଭିନ୍ନ ସ୍ଥାନରେ ଟିକାକରଣ କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ପ୍ରକ୍ରିୟା ପୂର୍ବ ଭଳି ଚାଲୁ ରହିବ ବୋଲି ସେ କହିଛନ୍ତି।

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ କୋଭିଶିଲଡ୍‌ ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରରେ କୋଭାକ୍ସିନ୍‌ ଦିଆଯାଉଛି। ଉଭୟ ୧୮ରୁ ୪୪ ବର୍ଷ ଓ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ଜାରି ରହିଛି। ସହରର ବସ୍ତିବାସିନ୍ଦା ଓ ଅନ୍ୟମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଟିକାଦାନର ବ୍ୟବସ୍ଥା ହୋଇଥିଲା। ଟୋକନ୍‌ ବ୍ୟବସ୍ଥା କରି ବିଭିନ୍ନ କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ୧୭ଟି ସ୍ଥାନରେ ଟିକାକରଣ କରାଯାଉଥିଲା। ତେବେ ଟିକାର ଅଭାବ ଦେଖାଦେଇଥିବାରୁ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ପାଇଁ ଏହି ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ। ଆସନ୍ତା ୩ ତାରିଖରେ ଓଡ଼ିଶାକୁ ୩ ଲକ୍ଷ ୫ ହଜାର ୪୬୦ କୋଭିସିଲ୍ଡ ଟିକା ଆସିବ। ଏହା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉର୍ଦ୍ଦିଷ୍ଟ। ସେହିପରି ଆସନ୍ତା ୬ ତାରିଖରେ ୪୦ ହଜାର କୋଭାକ୍ସିନ୍ ଟିକା ଓଡ଼ିଶାରେ ଆସି ପହଞ୍ଚିବ। ଏ ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାକୁ ଯୋଗାଇ ଦିଆଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ