ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ଯୋଜନାର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର


ବାତ୍ୟା ପ୍ରଭାବିତ ଅଞ୍ଚଳରେ ବୁଲି ଦେଖୁଛନ୍ତି ଧର୍ମେନ୍ଦ୍ର
ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଆକାଶମାର୍ଗରୁ ବାତ୍ୟା ଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଗତ୍‌ସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଞ୍ଚଳ ପରିଦର୍ଶନ ସହ କରିବା ସହ ସ୍ଥିତି ଅନୁଧ୍ୟାନ ଏବଂ ବିପନ୍ନଙ୍କ ସହ କଥା ହେବା ପରେ ଧର୍ମେନ୍ଦ୍ର ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଥମେ ଏହି ସବୁ ଅଞ୍ଚଳକୁ ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ଧାମରା ବନ୍ଦର ସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ପରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲା ଦୋସିଙ୍ଗା ଗ୍ରାମପଞ୍ଚାୟତର ସମିପାଟିଆ, ଓରାମାଳ, ଜାଗୁଳା ଗ୍ରାମପଞ୍ଚାୟତର ପାଇକ ସାହି ଏବଂ ଧାମରା ଗ୍ରାମପଞ୍ଚାୟତର ଝାଡ଼କାଟି ସମେତ ଅନେକ ଗାଁ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ପରିସ୍ଥିତି ସମ୍ପର୍କରେ ବୁଝିଥିଲେ। ଏହା ପରେ ଧର୍ମେନ୍ଦ୍ର କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ସିଧାସଳଖ ପ୍ରଭାବ ଭଦ୍ରକ ଜିଲ୍ଲା ଉପରେ ପଡ଼ିଥିଲା। ଦୁଇ ଦିନ ତଳେ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲି। ସୋମବାର ଦୋସିଙ୍ଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କରିଥିଲେ।

ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝିଥିଲେ। ଲୋକମାନେ ଏବେ ବି ପାଣିଘେରରେ ବନ୍ଦୀ ହୋଇ ବହୁତ ଦୁଃଖ କଷ୍ଟରେ ରହିଥିବା ବେଳେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି। ତେବେ ପ୍ରଭାବିତ ଗ୍ରାମାଞ୍ଚଳରେ ଅଧିକ କଲଭର୍ଟ୍ ତିଆରି କରାଗଲେ ପାଣିର ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଆଉ ପାଣି ଘେରରେ ରହିବେନି। ଏହି ଅଞ୍ଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ପ୍ରଭାବିତ ଅଞ୍ଚଳ ଗସ୍ତ ଅବସରରେ ଧର୍ମେନ୍ଦ୍ର ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷିବା ସହ ପଲିଥିନ, ରିଲିଫ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ସୂଚନାଯୋଗ୍ୟ, ସୋମବାର ଧର୍ମେନ୍ଦ୍ର ବାତ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ତ୍ରିକୋଣିଆ ଏବଂ ସାରଥା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବିପନ୍ନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ