ମୋଦୀ ସରକାରଙ୍କ ୭ ବର୍ଷ ପୂର୍ତ୍ତି: ‘ସେବା ପାଇଁ ସମର୍ପିତ ଦିବସ’ ଭାବେ ପାଳିଲା ବିଜେପି


ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
ଆଜିକୁ ୭ ବର୍ଷ ତଳେ ୨୦୧୪ ମସିହା ଆଜିର ଦିନରେ ଦେଶର ପ୍ରଧାନ ସେବକ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦୀ। ସେବା ହିଁ ସଂଗଠନକୁ ମୁଳମନ୍ତ୍ର କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଦିନରୁ ସେବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅକ୍ଳାନ୍ତ ପରିଶ୍ରମ, ଦୃଢ ନିଷ୍ପତ୍ତି ଏବଂ ଦୃଢ ସଙ୍କଳ୍ପ କାରଣରୁ ଭାରତ ଆଜି ସମଗ୍ର ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବା ସହ ଦେଶ ବିଦେଶରେ ବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଆଣି ଦେଇଛନ୍ତି। ଏହି ୭ ବର୍ଷର ଶାସନ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ବିଭିନ୍ନ ଜନ ଓ ଗରୀବକଲ୍ୟାଣକୁ ସଫଳତାର ସହ କାର୍ଯ୍ୟାନ୍ବୟନ କରି ଦେଶବାସୀଙ୍କ ଆସ୍ଥା ଭାଜନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ୟ ପାଳିର ୨ ବର୍ଷ ପୂର୍ତ୍ତି ତଥା ୭ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନକୁ ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ସେବା ଦିବସ ଭାବେ ପାଳନ କରୁଛି। କୋରୋନା ସଂକ୍ରମଣଜନିତ ଲକ୍‌ଡାଉନ/ ଶଟ୍‌ଡାଉନ୍‌ କାରଣରୁ ସେବା ଦିବସକୁ ରବିବାର ଓ ସୋମବାର ୨ ଦିନ ଧରି ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶକ୍ରମେ ଆଜି ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତା ସେବା କାର୍ଯ୍ୟ ଓ ରକ୍ତଦାନ କରିଛନ୍ତି। ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତାମାନେ କୋଭିଡ୍‌ ଗାଇଡଲାଇନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରି ରାଜ୍ୟର ସମସ୍ତ ପଞ୍ଚାୟତ ଏବଂ ସହରାଞ୍ଚଳର ସମସ୍ତ ୱାର୍ଡରେ ସେବା ଦିବସ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିଜେପି କର୍ମୀମାନେ ନିଜ ନିଜ ଅଞ୍ଚଳରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଅକ୍ସିମିଟର, ଥର୍ମାଲ ଗନ୍, ପିପିଇ କିଟ୍, କାଢା ପାନୀୟ, ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କାରଣରୁ ଖାଦ୍ୟାଭାବର ଶିକାର ହେଉଥିବା ବୁଲା ପଶୁଙ୍କୁ କର୍ମୀମାନେ ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ବିଜେପି କର୍ମୀମାନେ ନିଜ ନିଜ ଅଞ୍ଚଳରେ କୋଭିଡ୍ ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରାଇବା ସହ ଥର୍ମାଲ ଗନ୍ ଓ ଅକ୍ସିମିଟର ଜରିଆରେ ସ୍ଥାନୀୟବାସିନ୍ଦାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ।

ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ବ୍ଲଡ୍ ବ୍ୟାଙ୍କ୍‌ ସହାୟତାରେ ପାର୍ଟିର ସମସ୍ତ ମୋର୍ଚ୍ଚାର ସହାୟତାରେ କର୍ମୀମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି। ଆଜି ନୟାଗଡ଼, ବଲାଙ୍ଗିର, ରାଉରକେଲା, ସୁନ୍ଦରଗଡ଼, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ଆଦି ଜିଲ୍ଲାରେ କର୍ମୀଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ପୁରୁଣା ଭୁବନେଶ୍ୱରସ୍ଥିତ ସୁନ୍ଦରପଦାଠାରେ ସ୍ଥାନୀୟ ବାସିନ୍ଦାଙ୍କୁ ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଣ୍ଟନ କରି କୋଭିଡ୍ ସଂକ୍ରମଣ ବିଷୟରେ ସଚେତନା କରିଥିଲେ। କୋରୋନା ସଙ୍କଟ ସମୟରେ ଭାରତୀୟ ଜନତା ପାର୍ଟି ନିଜ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି କର୍ମୀଙ୍କ ଜରିଆରେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛି ବୋଲି ମହାନ୍ତି କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ପାର୍ଟିର ସମସ୍ତ ନେତୃବୃନ୍ଦ ଏବଂ କର୍ମୀମାନେ ନିଜ ନିଜ ଅଞ୍ଚଳରେ ରହି କୋଭିଡ୍ ଗାଇଲାଇନକୁ ପାଳନ କରି ସ୍ଥାନୀୟବାସିନ୍ଦାଙ୍କ ଗ୍ରହଣରେ ଶୁଣିଥିଲେ। ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମ ସୋମବାର ମଧ୍ୟ ଜାରି ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ