ପୀଡ଼ିତଙ୍କୁ ବଡ଼ ଆଶ୍ବାସନା: ଅନାଥ ଶିଶୁଙ୍କ ପାଇଁ କେନ୍ଦ୍ରୀୟ ସହାୟତା ପ୍ୟାକେଜ


ଅନାଥ ଶିଶୁଙ୍କ ପାଇଁ ପ୍ୟାକେଜ ଘୋଷଣା କରୁଛନ୍ତି ମୋଦୀ
ଶିଶୁମାନେ ଦେଶର ଭବିଷ୍ୟତ ଏବଂ ଦେଶ ଶିଶୁମାନଙ୍କୁ ସହାୟତା ପାଇଁ ସବୁକିଛି କରିବ। ଫଳରେ ସେମାନଙ୍କର ଯଥୋଚିତ ବିକାଶ ହୋଇପାରିବ ଏବଂ ସେମାନେ ଆଗକୁ ବଢ଼ି ଦେଶର ସୁନାଗରିକ ହୋଇପାରିବେ। କରୋନାରେ ଅନାଥ ହୋଇଯାଇଥିବା ଶିଶୁଙ୍କ ପାଇଁ କେନ୍ଦ୍ରୀୟ ସହାୟତା ଘୋଷଣା କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କରୋନା ମହାମାରୀ ଅନେକ ଶିଶୁଙ୍କୁ ବେସାହାରା କରିଦେଇଛି। କିଏ ପିତାଙ୍କୁ ତ କିଏ ମାତାଙ୍କୁ ହରାଇଛି। ୨୦୦୦ରୁ ଅଧିକ ସଂଖ୍ୟକ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ତେବେ ଏଭଳି ଅନାଥ ଶିଶୁଙ୍କ ସଂଖ୍ୟା ୫୭୨ ଥିବା କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ କହୁଛି। ଯେଉଁଠି ଜଣେ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯିବ ଓ ଯେଉଁ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ପରିବାରଟି ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଯାଇଥିବ, ସେଠାରେ ଏହି କେନ୍ଦ୍ରୀୟ ସହାୟତା ରାଶି ସୁନିଶ୍ଚିତ କରାଯିବ ବୋଲି ଶନିବାର ଘୋଷଣା କରାଯାଇଛି। ଯେଉଁ ଶିଶୁମାନେ ଅନାଥ ହୋଇଯାଇଛନ୍ତି ସେମାନଙ୍କୁ ସରକାର ପୂରା ସହଯୋଗ କରିବେ।

ଶନିବାର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସହାୟତା ମଧ୍ୟରୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ବୀମା, ମାସିକ ଭତ୍ତା ଏବଂ ୨୩ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ସହାୟତା ଭଳି ପଦକ୍ଷେପ ଗୁଡ଼ିକ ରହିଛି। ଉଚ୍ଚଶିକ୍ଷା ପାଇଁ ବିନା ସୁଧରେ ଋଣ ପ୍ରଦାନ ମଧ୍ୟ ରହିଛି। ନରେନ୍ଦ୍ର ମୋଦୀଙ୍କ ନେତ୍‌ତ୍ବାଧୀନ ସରକାରକୁ ରବିବାର ୭ ବର୍ଷ ପୂରୁଥିବା ବେଳେ ଏହାର କିଛି ଘଣ୍ଟାର ଅବ୍ୟବହିତ ପୂର୍ବରୁ ଏଭଳି ଘୋଷଣା ଏକ ସମ୍ବେଦନଶୀଳ ନେତ୍‌ତ୍ବର ପରିଚାୟକ ବୋଲି କୁହାଯାଇଛି।

ଘୋଷଣା ଅନୁଯାୟୀ ପିଏମ କେୟାର୍ସ ଫଣ୍ଡରୁ ଏକ ସ୍ବତନ୍ତ୍ର ଯୋଜନା ଅନୁଯାୟୀ ପ୍ରତ୍ୟେକ ଅନାଥ ଶିଶୁଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା କରାଯିବ। ଯେତେବେଳେ ଶିଶୁଟି ୧୮ ବର୍ଷରେ ପହଞ୍ଚିବ ସେହି ପାଣ୍ଠିରୁ ପାଞ୍ଚ ବର୍ଷ ଯାଏ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ତୁଲାଇବାରେ ସକ୍ଷମ ହେବ। ୨୩ ବର୍ଷ ବୟସ ହେବା ପରେ ଏକକାଳୀନ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରେ ପିଲାଟି ସ୍ବାବଲମ୍ବୀ ହେବା ପାଇଁ ବାଟ ପାଇପାରିବ।

ପଢ଼ା ଖର୍ଚ୍ଚ ତୁଲାଇବେ ସରକାର
୧୦ ବର୍ଷରୁ କମ ବୟସର ଅନାଥ ଶିଶୁଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ବିଦ୍ୟାଳୟରେ ନାମ ଲେଖାଯିବ। ଘରୋଇ ବିଦ୍ୟାଳୟରେ ନାମ ଲେଖାଇଲେ ଏଥିପାଇଁ ମାସିକ ଦେୟ ପିଏମ କେୟାର୍ସରୁ ଦିଆଯିବ। ଏହା ସହିତ ପିଲାର ପୋଷାକ, ବହି,ଖାତା ବାବଦ ର୍ଖ୍ଚ ଦିଆଯିବ। ୧୧ରୁ ୧୮ ବର୍ଷ ବୟସର ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଆବାସିକ ବିଦ୍ୟାଳୟ ଥା ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଆଦିରେ ନାମ ଲେଖାଇ ଦିଆଯିବ। ଯଦି ଏହି ପିଲାମାନେ ସେମାନଙ୍କର ଅନ୍ୟ କୌଣସି ଅଭିଭାବକଙ୍କ ତତ୍ତ୍ବାବଧାନରେ ପଢ଼ିବାକୁ ଚାହାନ୍ତି, ତେବେ ସେମାନଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ବିଦ୍ୟାଳୟରେ ନାମ ଲେଖାଇ ଦିଆଯିବ। ଏହି ବର୍ଗର ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ଋଣ ବାବଦ ସୁଧ ପିଏମ କେୟାର୍ସରୁ ବହନ କରାଯିବ। ପ୍ରତି ପିଲାଙ୍କୁ ୧୮ ବର୍ଷରୁ ୨୩ ବର୍ଷ ଯାଏ ମାସିକ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିବ।

ପାଞ୍ଚ ଲକ୍ଷର ସ୍ବାସ୍ଥ୍ୟ ବୀମା
ଏହି ଶିଶୁମମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଆଚ୍ଛାଦିତ ବ୍ୟବସ୍ଥା କରାଯିବ। ବୀମାର ପ୍ରିମିୟମ ରାଶି ୧୮ ବର୍ଷ ବୟସ ଯାଏ ପିଏମ କେୟାର୍ସ ପାଣ୍ଠିରୁ ଭରଣା କରାଯିବ। ଶିଶୁଟି ୧୮ ବର୍ଷ ବୟସର ଯୁବକ ହୋଇଯିବା ପରେ ନିଜ ବୀମା ପ୍ରିମିୟମ ନିଜେ ବହନ କରିବେ।

ସ୍ପଷ୍ଟ ହେଉ ଅନାଥର ପରିଭାଷା
କରୋନା ଅନେକ ପରିବାରରେ ହାହାକାର ରଚିଛି। ଆଗରୁ ପିତାମାତା ହରାଇ ସମ୍ପର୍କୀୟଙ୍କ ଘରେ ପାଳିତ ହେଉଥିବା ଶିଶୁ ସମ୍ପର୍କୀୟଙ୍କୁ ହରାଇଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅନେକ ଶିଶୁ ନିଜ ରୋଜଗାରକ୍ଷମ ପିତାଙ୍କୁ ହରାଇଥିବା ବେଳେ ଗ୍‌ହିଣୀ ମା’ ନିର୍ବାକ ପାଲଟିଛନ୍ତି। ଏଭଳି କ୍ଷେତ୍ରରେ ବେସାହାରା ଶିଶୁକୁ ସହାୟତା ମିଳିବ କି ନାହିଁ ସ୍ପଷ୍ଟ ହୋଇ ନାହିଁ। ଯେଉଁଠି ମାତା ଗ୍‌ହିଣୀ ଓ ପିତା ରୋଜଗାରକ୍ଷମ ଥାଇ କୋଭିଡରେ ମ୍‌ତ୍ୟୁବରଣ କରିଛନ୍ତି, ସେ କ୍ଷେତ୍ରରେ ସରକାର ଶିଶୁଟିର ସ୍ବାସ୍ଥ୍ୟବୀମା, ପଢ଼ାଖର୍ଚ୍ଚ ଓ ଭତ୍ତା ବ୍ୟବସ୍ଥା ପାଇଁ ନିଶ୍ଚିତତା କରନ୍ତୁ ବୋଲି ଦାବି ହେଉଛି। ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଅନାଥ ଶିଶୁମାନଙ୍କ ପାଇଁ ବିଭିନ୍ନ ସହାୟତା ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଅଣବିଜେପି ଶାସିତ ରାଜ୍ୟରେ ଏଭଳି ଘୋଷଣାକୁ ଅପେକ୍ଷା କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ