ୟୁପିରେ ଅଭାବନୀୟ ଦୃଶ୍ୟ: ନଦୀକୁ ଶବ ଫିଙ୍ଗିଲେ ପିପିଇ କିଟ୍‌ପିନ୍ଧା ବ୍ୟକ୍ତି


ନଦୀକୁ ଶବ ଫିଙ୍ଗାଯାଉଥିବା ସମୟର ଦୃଶ୍ୟ
କିଛି ଦିନ ତଳେ ଗଙ୍ଗା ଓ ଯମୁନା ନଦୀରେ କେତେକ ଶବ ଭାସୁଥିବା ଦେଖାଯିବା ପରେ କୋଭିଡ୍ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରୁଥିବା ଲୋକମାନଙ୍କୁ ଦାହ ସଂସ୍କାର ନ କରି ନଦୀରେ ଫିଙ୍ଗିଦିଆଯାଉଛି ବୋଲି ସନ୍ଦେହ କରାଯାଉଥିଲା। ତେବେ ରବିବାର ଭାଇରାଲ୍ ହୋଇଥିବା ଏକ ଭିଡିଓ ଏପରି ସନ୍ଦେହକୁ ଅଧିକ ଘନୀଭୂତ କରିଛି। କାରଣ ରବିବାର ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପିପିଇ ପିନ୍ଧିଥିବା ଜନୈକ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଏକ ଶବକୁ ନଦୀକୁ ଫିଙ୍ଗିଦେଉଥିବା ସମୟର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି। ବଳରାମପୁରର କୋତୱାଲି ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସେହିପରି ସ୍ଥାନୀୟ ପୋଲିସ୍ ମୃତକ ଜଣକ ଶୋହରାତଗଡ଼ ସିଦ୍ଧାରଥନଗରର ନିବାସୀ ପ୍ରେମନାଥ ବୋଲି ଚିହ୍ନଟ କରିଛନ୍ତି। ଏ ସଂକ୍ରାନ୍ତରେ ବଳରାମପୁର ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ(ସିଏମ୍ଓ) କହିଛନ୍ତି ଯେ ପ୍ରେମନାଥ ଗତ ମେ’ ୨୫ ତାରିଖରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। କୋଭିଡ୍ ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ମେ’ ୨୮ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

କୋଭିଡ୍ ପ୍ରୋଟୋକଲ୍ ଅନୁସାରେ, ପ୍ରେମନାଥଙ୍କ ଶବକୁ ଦାହ ସଂସ୍କାର କରିବା ସକାଶେ ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଇଥିଲା। ପ୍ରେମନାଥଙ୍କ ଶବକୁ ନଦୀରେ ଫିଙ୍ଗୁଥିବା ବ୍ୟକ୍ତି ତାଙ୍କ ପରିବାର ଲୋକେ ହୋଇଥିବା ସିଏମଓ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। ତେବେ ଏହି ମାମଲାରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ବିହାର ଓ ଉତ୍ତର ପ୍ରଦେଶର ବିଭିନ୍ନ ନଦୀରେ ଶବ ଭାସୁଥିବା ଦେଖାଯିବା ପରେ ଏହାକୁ ନେଇ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣାକୁ ଦୁଇ ସପ୍ତାହ ବି ପୂରି ନ ଥିବା ବେଳେ ଶବଗୁଡ଼ିକୁ ନଦୀରେ ଭସାଯାଉଥିବା ସମୟର ଭିଡିଓ ସୋସାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ମାମଲାର ତଦନ୍ତ ଶେଷ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି ଭିଡିଓଟିକୁ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ଚାରିଚକିଆ ଗାଡ଼ିରେ ବସିଥିବା ବ୍ୟକ୍ତି ଶୁଟିଂ କରି ସୋସାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ