କୋରୋନା ଅନଲକ: ଏ ଭୁଲ ହେଲେ କାହାକୁ କରାଯିବ ଦାୟୀ?


ସଠିକ ସମୟରେ ଅନଲକ ହେଉ
ବିଗତ ଦୁଇ ତିନି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ହ୍ରାସ ଏକ ବଡ଼ ଆଶ୍ବସ୍ତି ଦେଇଥିବା ବେଳେ ଏହା କେବଳ ବିଭିନ୍ନ ରାଜ୍ୟରେ ଜାରି କରାଯାଇଥିବା କଡ଼ା କଟକଣା ଯୋଗୁ ସମ୍ଭବ ହୋଇଥିବା କୁହାଯାଂଉଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଆସାମ ଆଦି ରାଜ୍ୟରେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶଟଡାଉନ, ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଆଦି କଟକଣା ଜାରି କରାଯାଇଥିଲା। ଲମ୍ବା ସମୟ ଧରି କଟକଣା ଜାରି ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ଏବେ ହ୍ରାସ ପାଉଥିବା ନଜରକୁ ଆସିଛି। ଏହାକୁ ଦ୍‌ଷ୍ଟିରେ ରଖି ଆଗାମୀ ଜୁନ ୧ ଠାରୁ ମଧ୍ୟପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଉଥିବା ନେଇ ସୂଚନା ମିଳିଛି। ତେଣେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟ କଟକଣାର ଅବଧି ବୃଦ୍ଧି କରାଇଛନ୍ତି।

କୋରୋନାର ପ୍ରଥମ ଲହର ଶାନ୍ତ ପଡ଼ିବା ପରେ ଅନେକ ରାଜ୍ୟ ମନେ କରିନେଲେ ଯେ କୋରୋନାର ଲଢ଼େଇରେ ଆମକୁ ଜିତାପଟ ମିଳିଛି। ଏହି ଆତ୍ମସନ୍ତୋଷ କାରଣରୁ ବିନା ଅନୁଚିନ୍ତାରେ ଯଥେଷ୍ଟ ପୂର୍ବରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଗଲା। ରଙ୍ଗମଞ୍ଚ ଠାରୁ ରେସ୍ତୋରାଁ ଏବଂ ବଜାର ଠାରୁ ବିମାନବନ୍ଦରକୁ ଖୋଲିଦିଆଗଲା। କଳକାରଖାନା ବନ୍ଦ ହେତୁ ଯେଉଁ ଶ୍ରମିକ ଗାଁ ମୁହାଁ ହୋଇଥିଲେ ସେମାନେ ଟ୍ରେନ, ବସରେ ପୁଣି ଫେରିଗଲେ। ସେମାନଙ୍କ ଦକ୍ଷତା ମାପି ଗାଁ ମାଟିରେ କାମ ଦେବାରେ ସରକାର ବିଫଳ ହେଲେ। ସାମାଜିକ କାର୍ଯ୍ୟକ୍ରମରେ ଜନ ସମାବେଶ ଦେଖିବାକୁ ମିଳିଲା। ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଲା। କେତେକ ରାଜ୍ୟରେ ନିର୍ବାଚନ କାରଣରୁ ସାମାଜିକ ଦୂରତା ଉଲ୍ଲଂଘନ କରାଗଲା। ସମୁଦ୍ର ଲହଡ଼ି ପରି ମାଡ଼ିଆସିଲା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ।

ବଦଳିଗଲା ସ୍ଥିତି
ଗତଥର ପରି ସରକାର ଏବେ ପୁଣି ସମାନ ତ୍ରୁଟି ନ କରନ୍ତୁ। ରାଜ୍ୟ ସରକାର ଗୁଡ଼ିକ ଏ ଦିଗରେ ବିଶେଷ ଯତ୍ନବାନ ହୁଅନ୍ତୁ। ପ୍ରଥମ ଲହର ପରେ ଅନଲକ ପ୍ରକ୍ରିୟାର ପ୍ରଭାବ କିଛି ମାସ ଯାଏ ରହିଥିଲା। ଫେବ୍ରୁଆରୀ ମାସ ଯାଏ ବହୁତ କମ ସଂଖ୍ୟକ ସଂକ୍ରମଣ ସାମ୍ନାକୁ ଆସିଥିଲା। ଗତ ଜୁନ ଜୁଲାଇ ମାସ ଠାରୁ ଦେଶରେ ଲକଡାଉନ ଆରମ୍ଭ ହୋଇଥିଲା। କିନ୍ତୁ ସଂକ୍ରମଣର ସଂଖ୍ୟା ଦ୍ବିତୀୟ ଥର ପାଇଁ ଫେବ୍ରୁଆରୀରେ ବ୍ୟାପକ ଭାବେ ଦେଖିବାକୁ ମିଳିଥିଲା। ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ମାରାତ୍ମକ ତତା ବିସ୍ଫୋରକ ସ୍ଥିତି ସ୍‌ଷ୍ଟି କରିଥିଲା। ଗତ ଥର ଠାରୁ ଚଳିତ ଥର ସ୍ଥିତି ଭିନ୍ନ। ଜାତୀୟ ସ୍ତରରେ ଲକଡାଉନ ଘୋଷଣା ହୋଇ ନାହିଁ। ସ୍ଥାନୀୟ ପରିସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। କେତେକ ଆର୍ଥିକ କାର୍ଯ୍ୟକଳାପକୁ ଲକଡାଉନରୁ ମୁକ୍ତ ରଖାଯାଇଛି। ସଂକ୍ରମଣକୁ ଲଢ଼ିବା ପାଇଁ ଏବେ ଦେଶରେ ନିକଟରେ ଟିକା ପହଞ୍ଚି ସାରିଛି।

ଅତୀତର ତ୍ରୁଟି
ଗତଥଣ ସରକାର ଓ ଜନଗଣ ଉଭୟ କିଛି କିଛି ତ୍ରୁଟି କରିଛନ୍ତି। ଯାହା କି ଏଥର ନ କରିବା କଥା। ଅନଲକର ଅର୍ଥ ମାସ୍କ ପରିଧାନ, ଶାରୀରିକ ଦୂରତ୍ବ ଏବଂ ବାରମ୍ବାର ହାତ ଧୋଇବା ଅପରିହାର୍ଯ୍ୟ। ଯେତେଦିନ ଯାଏ ଭୂତାଣୁ ରହିଛି ସେତେଦିନ ପର୍ଯ୍ୟନ୍ତ ଆମେ ଏହାକୁ ପାଳନ କରିବା ଉଚିତ। କିନ୍ତୁ ଅନଲକ ଅର୍ଥ ଲୋକେ ମାସ୍କକୁ ଓହ୍ଲାଇଦେବାକୁ ବୁଝିଗଲେ। ଏଥର ରାଜ୍ୟ ସରକାର ଏହି ନିୟମ ଉଲ୍ଲଂଘନ ହେଲେ ଅଧିକ ଜରିମାନା ଆଦାୟର ବ୍ୟବସ୍ଥା କରିଛନ୍ତି। ଦଣ୍ଡର ପ୍ରାବଧାନ ରଖାଯାଇଛି। ବସ ଗୁଡ଼ିକରେ ପ୍ରଥମ ଥର ୩୦ ପ୍ରତିଶତ ଯାତ୍ରୀ ନେବାକୁ ଅନୁମତି ଥିଲା। କିନ୍ତୁ ଏହାକୁ ପାଳନ କରାଯାଇ ନ ଥିଲା। କାର୍ଯ୍ୟାଳୟରେ ୩୦ ପ୍ରତିଶତ କର୍ମଚାରୀରେ ଚାଲିବାକୁ କୁହାଯାଇଥିଲା। କିନ୍ତୁ ଏହା ମଧ୍ୟ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବା କର୍ମଚାରୀ ଅଭାବ ଥିଲେ। ଡବଲ ମାସ୍କ କଥା କୁହାଯାଉଥିଲେ ହେଁ ସିଙ୍ଗଲ ମାସ୍କର ସଠିକ ବ୍ୟବହାର ନେଇ ଏବେ ପ୍ରଶ୍ନ ଉଠିଲାଣି।

ଟିକାକରଣ ବଢ଼ିଛି
ଆମେରିକା ପରେ ସଂଖ୍ୟାଧିକ ନାଗରିକଙ୍କୁ ଟିକା ଦେଇଥିବା ଦେଶ ହେଉଛି ଭାରତ। ଜାନୁଆରୀ ୧୬ରୁ ଭାରତରେ ଆରମ୍ଭ ହୋଇଥିଲା ଟିକାଦାନ। ଏବେ ଏହା ୨୦ କୋଟି ଅତିକ୍ରମ କରିଛି। କିନ୍ତୁ ଏବେ ବି ଭାରତର ପ୍ରତ୍ୟେକ ଡାକ୍ତରଙ୍କୁ ଦୁଇଟି ଡୋଜ ଟିକା ସମ୍ପୂର୍ଣ୍ଣ ଭାବେ ଦିଆଯାଇ ପାରି ନାହିଁ। ୪୦ ପ୍ରତିଶତ ଜନଗଣ ଟିକା ନେବା ପରେ ଯାଇ ସଂକ୍ରମଣରୁ ମୁକ୍ତି ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକ ଅନଲକ ଘୋଷଣା କରିବା ପୂର୍ବରୁ ଏହାକୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି। ତ୍ରୁଟିରୁ ଶିଖିବା ବୁଦ୍ଧିମାନ ବ୍ୟକ୍ତିର କର୍ତ୍ତବ୍ୟ। ଅନଲକ ପୂର୍ବରୁ ଜିଲା ସ୍ତରରେ ଟେଷ୍ଟି ବୃଦ୍ଧି, ଆଞ୍ଚଳିକ ସ୍ତରରେ କମିଟି ଗଠନ, ପନିପରିବା ଓ ଗ୍ରୋସରୀ ଦୋକାନ ଖୋଲିବା ସମୟସୀମାକୁ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ