ଏହି ଗରିବ ଦେଶର ଲୋକେ ଯେଉଁଠି ବଞ୍ଚିବା ପାଇଁ ଖାଉଛନ୍ତି କ୍ୟାକଟସ ଓ ପଙ୍ଗପାଳ


କୁପୋଷଣର ଶିକାର ମାଡାଗାସ୍କରର ପିଲାଏ
ଗୋଟିଏ ପଟେ ସାରା ବିଶ୍ବ ଏବେ କୋରୋନା ଭାଇରସ ସହିତ ଲଢ଼ୁଥିବାବେଳେ ଅନ୍ୟପଟେ ଆଫ୍ରିକୀୟ ଦେଶର ମାଡାଗାସ୍କରରେ ଲୋକେ ମରୁଡ଼ିର ଦୋହରା ମାଡ଼ ସହୁଛନ୍ତି। ଏଠାରେ ରହୁଥିବା ହଜାର ହଜାର ଲୋକ ବଞ୍ଚିବା ପାଇଁ ଜଙ୍ଗଲି ଗଛର ପତ୍ର, ପଙ୍ଗପାଳ ଆଦି ଖାଇ ଭୋକ ମେଣ୍ଟାଉଛନ୍ତି। ସୂଚନାଯୋଗ୍ୟ ଯେ ମାଡାଗାସ୍କରରେ ଲଗାତର ମରୁଡ଼ି ଓ ଧୁଳିଝଡ଼ କାରଣରୁ ଫସଲ ବରବାଦ ହେବାରେ ଲାଗିଛି। ଫଳରେ ଏଠାରେ ଦୁର୍ଭିକ୍ଷ ଓ ଅକାଳ ପରିସ୍ଥିତି ସୃଷ୍ଟି ହୋଇଛି।

ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ସିନିଅର ଡାଇରେକ୍ଟର ଅମେର ଦାଉଦି ଚେତାବନୀ ଦେଇ କହିଛନ୍ତି ଯେ ମଲାଗସିରେ ପିଲାମାନଙ୍କ ଜୀବନ ବିପଦରେ ରହିଛି। ପାଞ୍ଚ ବର୍ଷରୁ କମ ବୟସର ପିଲାଙ୍କ ଠାରେ କୁପୋଷଣ ସ୍ତର ଚିନ୍ତାଜନକ ଅବସ୍ଥାରେ ରହିଛି। ଏହା ଏଭଳି ଏକ ଗାଁ ଯେଉଁଠି ଲୋକେ ବଞ୍ଚି ରହିବା ପାଇଁ କ୍ୟାକଟସର କଞ୍ଚା ଫଳ, ପଙ୍ଗପାଳ ଓ ଜଙ୍ଗଲି ଗଛର ପତ୍ର ଖାଇବାକୁ ବାଧ୍ୟ ହେଉଛନ୍ତି। ଏମାନଙ୍କ ସହିତ ସେମାନଙ୍କ ମା’, ପରିବାର ଓ ପୂରା ଗାଁ କୁପୋଷଣର ଶିକାର ହୋଇଛନ୍ତି।

ମାଡାଗାସ୍କରର ଦକ୍ଷିଣ ଅଞ୍ଚଳରେ ମରୁଡ଼ି ପଡ଼ିବାରୁ ଲୋକଙ୍କ ପାଖରେ ଖାଇବାକୁ କୌଣସି ଉତ୍ସ ନାହିଁ। ଅମେର ଚେତାବନୀ ଦେଇଛନ୍ତି ଯେ ଏଠାରେ ଅକାଳ ପଡ଼ିବାର ଡର ରହିଛି। କାରଣ ବିଶ୍ବରେ ଏଭଳି ପରିସ୍ଥିତି ସେ ଆଉ କେଉଁ ସ୍ଥାନରେ ଦେଖି ନାହାନ୍ତି। ମାଡାଗାସ୍କରର ଲୋକେ ମାଲାଗସି ଓ ଫ୍ରେଞ୍ଚ ଭାଷା କହନ୍ତି। ନିଆରା ରଙ୍ଗର ମାଟି କାରଣରୁ ଏହାକୁ ରେଡ ଆଇଲାଣ୍ଡ ବୋଲି ମଧ୍ୟ କୁହାଯାଏ। ଏଠାରେ ଅନେକ ପ୍ରକାରର ଔଷଧୀୟ ଗଛର ପ୍ରଜାତି ରହିଛି। ଏହାକୁ ହର୍ବାଲ ଉପଚାର ପାଇଁ ବ୍ୟବହାର କରାଯାଏ। ପିଲାଠାରୁ ବୟସ୍କ ଯାଏ, ପୁରୁଷଙ୍କଠାରୁ ମହିଳାଯାଏ ଏହି ଦେଶର ସମସ୍ତ ଲୋକ ଗୋଟିଏ ପ୍ରକାରର ପୋଷାକ ପିନ୍ଧିଥାନ୍ତି। ଏହି ପୋଷାକକୁ ସ୍ଥାନୀୟ ଭାଷାରେ ଲାମ୍ବା କୁହାଯାଏ। ମୃତକଙ୍କ ପାଇଁ ମଧ୍ୟ କଫିନ ଭାବେ ଲାମ୍ବାର ବ୍ୟବହାର କରାଯାଏ। ଏହି ଦ୍ବୀପରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜୀବଜନ୍ତୁ ମଧ୍ୟ ରହିଥାନ୍ତି। ଏମାନଙ୍କ ମଧ୍ୟରେ ଟେନରେକ୍ସ (କଣ୍ଟାଯୁକ୍ତ ମୂଷା), ଚମକଯୁକ୍ତ ଏଣ୍ଡୁଅ ଆଦି ସାମିଲ। ଏହାବ୍ୟତୀତ ଏଠାରେ ଅନେକ ଜୀବଜନ୍ତୁ ବିଲୁପ୍ତ ହେବାକୁ ଯାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ