ଘାତକ ହେଉଛି ମେ’: ୭ ଦିନରେ ଗଲାଣି ୯୭ ଜଣକ ଜୀବନ


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହରୀରେ ଏପ୍ରିଲ୍‌ ଅପେକ୍ଷା ଅଧିକ ଘାତକ ସାଜିଛି ମେ’। ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସହିତ ତାଳ ଦେଇ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଗତକାଲି ୧୭ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କୋରୋନା। ଆଜିର ମୃତକଙ୍କୁ ମିଶାଇ ଏହି ୭ ଦିନରେ ରାଜ୍ୟରେ ୯୭ ଜଣଙ୍କ ଜୀବନ ନେଇଛି ମହାମାରୀ। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା। ସେହିପରି କୋରୋନା ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି। ଗଜପତି, ଅନୁଗୁଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୪୦ ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୯ ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଥିବା ବେଳେ ୧୦ ଜଣ ପୁରୁଷ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ୪ ମୃତକଙ୍କ ମଧ୍ୟରେ ଜଣେହେଉଛନ୍ତି ଭୁବନେଶ୍ବରର। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଭୁବନେଶ୍ବରର ଜଣେ ୬୩ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଆଉ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ୫୨ ବର୍ଷୀୟ ମହିଳା ଓ ୩୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ରେ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଥିବା ବେଳେ ୬୩ ଏବଂ ୫୮ ବର୍ଷୀୟ ମହିଳା ଦ୍ବୟ ପ୍ରାଣ ହରାଇଛନ୍ତି। ଏଥିସହ ଜଣେ ୩୭ ବର୍ଷୀୟ ଯୁବତୀ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ୪୬ ଓ ୬୧ ବର୍ଷୀୟ ବ୍ୟକ୍ତି ଦ୍ବୟ ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲ୍ଲାରେ ଜଣେ ୩୮ ଓ ୪୦ ବର୍ଷୀୟ ଯୁବକ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେହିପରି ମଧୁମେହରେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ଜଣେ ୩୫ ବର୍ଷୀୟ ଯୁବକ, ବଲାଙ୍ଗିର ଜିଲ୍ଲାରେ ଜଣେ ୫୫ ବର୍ଷୀୟ ମହିଳା, ମଧୁମେହରେ ଆକ୍ରାନ୍ତ କଟକ ଜିଲ୍ଲାର ଜଣେ ୭୮ ବର୍ଷୀୟ ମହିଳା, ଦେଓଗଡ଼ ଜିଲ୍ଲାରେ ଜଣେ ୩୮ ବର୍ଷୀୟ ଯୁବକ, ଗଜପତି ଜିଲ୍ଲାରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି, ଝାରସୁଗୁଡ଼ା ଜିଲ୍ଲାରେ ଜଣେ ୨୯ ବର୍ଷୀୟ ମହିଳା ଓ କଳାହାଣ୍ଡି ଜିଲ୍ଲାରେ ଜଣେ ୫୫ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ମୃତ୍ୟୁ ୩୮୨ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁସଂଖ୍ୟା ୨୬୨ ହୋଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୩୯ ଜଣ, ବାଲେଶ୍ବର ଜିଲ୍ଲାରେ ୧୦୦ ଜଣ, ବରଗଡ଼ ଜିଲ୍ଲାରେ ୪୪ ଜଣ, ଭଦ୍ରକ ଜିଲ୍ଲାରେ ୨୯ ଜଣ, ବଲାଙ୍ଗିର ଜିଲ୍ଲାରେ ୫୧ ଜଣ, ବୌଦ୍ଧ ଜିଲ୍ଲାରେ ୧୬ ଜଣ, କଟକ ଜିଲ୍ଲାରେ ୧୪୮ ଜଣ, ଦେଓଗଡ଼ ଜିଲ୍ଲାରେ ୮ ଜଣ, ଢେଙ୍କାନାଳ ଜିଲ୍ଲାରେ ୨୯ ଜଣ, ଗଜପତି ଜିଲ୍ଲାରେ ୩୬ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୩୯ ଜଣ, ଯାଜପୁର ଜିଲ୍ଲାରେ ୨୬ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୦ ଜଣ, କଳାହାଣ୍ଡି ଜିଲ୍ଲାରେ ୪୮ ଜଣ, କନ୍ଧମାଳ ଜିଲ୍ଲାରେ ୩୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨୯ ଜଣ, କେନ୍ଦୁଝର ଜିଲ୍ଲାରେ ୪୫, କୋରାପୁଟ ଜିଲ୍ଲାରେ ୨୦ ଜଣ, ମାଲକାନଗିରି ଜିଲ୍ଲାରେ ୨୭ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୯୧ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୫ ଜଣ, ନୟାଗଡ଼ ଜିଲ୍ଲାରେ ୪୬ ଜଣ, ନୂଆପଡ଼ା ଜିଲ୍ଲାରେ ୩୫ ଜଣ, ପୁରୀ ଜିଲ୍ଲାରେ ୧୩୦ ଜଣ, ରାୟଗଡ଼ା ଜିଲ୍ଲାରେ ୭୦ ଜଣ, ସମ୍ବଲପୁର ଜିଲ୍ଲାରେ ୮୩ ଜଣ, ସୋନପୁର ଜିଲ୍ଲାରେ ୨୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୨୦୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ