ଗରମଦିନେ ବୁଲିଯାଆନ୍ତୁ ନିମରାନା


ନିମରାନା ଦୁର୍ଗ (ଫାଇଲ ଫଟୋ)
ଯଦି ଆପଣ ଭ୍ରମଣପ୍ରିୟ ଏବଂ ୱିକ୍‌ଏଣ୍ଡରେ କେଉଁଆଡ଼େ ବୁଲିଯିବାକୁ ଚାହୁଛନ୍ତି ତେବେ ରାଜସ୍ଥାନର ଅଲୱର ଜିଲାସ୍ଥିତ ପ୍ରାଚୀନ ତଥା ଐତିହାସିକ ସହର ନିମରାନା ଏକ ଉପଯୁକ୍ତ ବିକଳ୍ପ। ଏଠାରେ ନିମରାନା ଦୁର୍ଗକୁ ଏକ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଏବେ ବି ଏହା ଭିତରେ ବହୁତ ସୁନ୍ଦର ସୁନ୍ଦର ଫଟୋ ରହିଛି। ଏହାକୁ ଦେଖିବା ପରେ ଆପଣ ଅନୁମାନ କରିପାରିବେ ଯେ ଏକ ସୁନ୍ଦର ଦୁର୍ଗକୁ କିଭଳି ଭାବେ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଗରମରେ ଝରକା ଦେଇ ବହି ଆସୁଥିବା ଥଣ୍ଡା ପବନ, ବର୍ଷାରେ ରୋମାଣ୍ଟିକ୍‌ ଜଳବାୟୁ କିମ୍ବା ଶୀତଦିନର କଅଁଳିଆ ଖରାରେ ନିଜକୁ ଏଠାରେ ଭୁଲିଯିବେ। ପ୍ରତ୍ୟେକ ଋତୁରେ ନିମରାନା ଆପଣଙ୍କୁ ଏଠାକୁ ଆସିବା ପାଇଁ ନିମନ୍ତ୍ରଣ କରୁଛି।

କ’ଣ ଦେଖିବେ
ନିମରାନା ବୁଲିବାର ଅର୍ଥ ହେଲା ନିମରାନା ଦୁର୍ଗ ବୁଲି ଦେଖିବା। ରାଜକୀୟ ଥାଟବାଟରେ ସଜ୍ଜିତ ଏହି ଦୁର୍ଗ ଶାନ୍ତିପୂର୍ଣ୍ଣ ପରିବେଶରେ ଠିଆ ହୋଇଛି। ଏଠାରେ ସାଂସ୍କୃତିକ ତଥା ସଙ୍ଗୀତ କାର୍ଯ୍ୟକ୍ରମ ଆପଣଙ୍କ ହୃଦୟକୁ ବାନ୍ଧି ନେବ। କାରଣ ଏଠାରେ ପ୍ରାୟ ସବୁବେଳେ ଆର୍ଟ ଏକ୍‌ଜିବିସନ୍‌, ଡ୍ୟାନ୍ସ କନ୍‌ସର୍ଟ ଏବଂ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶୁଭ ମୁଦ୍‌ଗଲଙ୍କ ଭଳି ଗାୟିକାଙ୍କ ଲାଇଭ୍‌ ଶୋ’ ହୋଇଥାଏ। ଏହା ହିଁ ହେଉଛି ନିମରାନାର ସବୁଠାରୁ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳ। ଏହାବ୍ୟତୀତ ନିମରାନାଠାରୁ ୧୨୬ କିମି ଦୂରରେ ଥିବା ସାରିସ୍କା ଜାତୀୟ ଉଦ୍ୟାନ, ପ୍ରାଚୀନ ଐତିହ୍ୟସମ୍ପନ୍ନ ବାଓରି ଆଦି ବୁଲି ଦେଖିପାରିବେ।

ସବୁଠୁ ପୁରାତନ ଐତିହ୍ୟସମ୍ପନ୍ନ ରିଜର୍ଟ
୯ ମହଲା ବିଶିଷ୍ଟ ନିମରାନା ଦୁର୍ଗକୁ ୧୪୬୪ ମସିହା ଆଡ଼କୁ ନିର୍ମାଣ କରାଯାଇଥିଲା। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ଦେଶର ସବୁଠାରୁ ପୁରୁଣା ଐତିହ୍ୟସମ୍ପନ୍ନ ରିଜର୍ଟ କୁହାଯାଉଛି। ପାଖାପାଖି ୨୫ ଏକର ଜମିରେ ଏହା ପରିବ୍ୟାପ୍ତ। ଏଠାରେ ଅତିଥିଙ୍କୁ ରାଜସ୍ଥାନୀ ଏବଂ ଫ୍ରେଞ୍ଚ ଖାଦ୍ୟ ପରଷା ଯାଉଛି।

ପ୍ରାଚୀନ ବାଓରିର ରହିଛି ବିଶେଷତ୍ବ
ନିମରାନାରେ ପର୍ଯ୍ୟଟକଙ୍କୁ ବିଶେଷ କିଛି କରିବାର ସୁଯୋଗ ନାହିଁ। କେବଳ ଦୁର୍ଗ ବୁଲିବାରେ ମଜା ଆସିଯିବ। ଯଦି ଆପରଣ ଦୁର୍ଗ ବାହାରକୁ ଯାଇ ବୁଲିବାକୁ ଚାହୁଛନ୍ତି ତେବେ ଗେଟ୍‌ ବାହାରକୁ ଗଲା ପରେ ଏକ କଚ୍ଚା ରାସ୍ତା ପଡ଼ିବ। ଏହି ସଡ଼କ ଐତିହାସିକ ବାଓରିରେ ପହଞ୍ଚାଇଦେବ। ଏହି ବାଓରି ୧୧ ମହଲା ତଳେ ରହିଛି। କେବଳ ଶେଷ ଦୁଇଟି ଫ୍ଲୋର୍ ପର୍ଯ୍ୟନ୍ତ ପାଣି ରହିଛି। ଇତିହାସରେ ସ୍ଥାନ ପାଇଥିବା ଏହି ବାଓରିର ନିର୍ମାଣ ୧୭୦୦ ମସିହାରେ ହୋଇଥିଲା। ପାଖାପାଖି ୧୭୦ଟି ପାହାଚ ଅତିକ୍ରମ କରିବା ପରେ ପାଣି ପର୍ଯ୍ୟନ୍ତ ପହଞ୍ଚି ପାରିବେ।

ପାଖରେ ରହିଛି ସିଲିସେଡ଼ ହ୍ରଦ
ନିମରାନା ସହ ଭରତପୁର ବୁଲିବାକୁ ଯାଇପାରିବେ। ବିନୟ ବିଲାସ ମହଲ, ସରିସ୍କା ଟାଇଗର ରିଜର୍ଭ, କେସରୋଲି ଏବଂ ସିଲିସେଡ୍‌ ହ୍ରଦ ଏହାର ଅତି ନିକଟରେ ରହିଛି। ଅଲୱରଠାରୁ ସରିସ୍କା ଟାଇଗର ରିଜର୍ଭ କେବଳ ୩୬ କିମି ଦୂର ଅଟେ। ସେହିପରି ଅଲୱରଠାରୁ ସିଲିଶେଡ୍‌ ହ୍ରଦ ମାତ୍ର ୧୩ କିମି ଦୂରରେ ଅବସ୍ଥିତ।

କେମିତି ଯିବେ
ଦେଶର ରାଜଧାନୀ ଦିଲ୍ଲୀଠାରୁ ପାଖାପାଖି ୧୨୨ କିମି ଦୂରରେ ଏହି ଐତିହାସିକ ସହର ନିମରାନା ଅବସ୍ଥିତ। ଟ୍ରେନ୍‌ରେ ଦିଲ୍ଲୀରୁ ଅଲୱର ପହଞ୍ଚିବା ପାଇଁ ଅଢ଼େଇରୁ ୩ ଘଣ୍ଟା ସମୟ ଲାଗିଥାଏ। ସେଠାରୁ ଟ୍ୟାକ୍ସି ନେଇ ନିମରାନାରେ ପହଞ୍ଚି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ