ଜୋର୍‌ ଜବରଦସ୍ତି ଛିଙ୍କ ରୋକିବା ହୋଇପାରେ ପ୍ରାଣଘାତୀ


ପ୍ରତୀକାତ୍ମକ ଫଟୋ
ଛିଙ୍କ ଆସିବା ସମୟରେ ଯଦି ଆପଣ ପାଟି ଓ ନାକ ବନ୍ଦ କରି ଜୋର୍‌ ଜବରଦସ୍ତି ଛିଙ୍କ ରୋକିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ପ୍ରାଣଘାତୀ ହୋଇପାରେ। ଡାକ୍ତର ଏ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଚାଲନ୍ତୁ ଜାଣିବା ଛିଙ୍କ ରୋକିଲେ କ’ଣ ଅସୁବିଧା ହୁଏ।

ଚାଲିଯାଇପାରେ ସ୍ବର
ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ଜବରଦସ୍ତ ଛିଙ୍କ ରୋକିବା ଯୋଗୁଁ ଆହତ ହୋଇଛନ୍ତି। ନିଜ ନାକ ଏବଂ ପାଟି ବନ୍ଦ କରି ଛିଙ୍କ ରୋକିବାକୁ ଚେଷ୍ଟା କରିବା ଫଳରେ ଯୁବକଙ୍କ ଗଳାରେ ସମସ୍ୟା ଦେଖାଯାଇଥିଲା। ତାଙ୍କ ଗଳା ଫୁଲିଯିବା ସହ ସେ କୌଣସି ଜିନିଷ ଗିଳି ପାରି ନ ଥିଲେ। ପରେ ତାଙ୍କ ସ୍ବର ଚାଲି ଯାଇଥିଲା। ବ୍ରିଟେନର ଲିସେଷ୍ଟର ୟୁନିଭର୍ସିଟି ହସ୍ପିଟାଲର ଡାକ୍ତରମାନେ ତାଙ୍କ ଚିକିତ୍ସା କରିଥିଲେ। ୭ ଦିନ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କର ସମସ୍ୟା କମିଥିବା ଜଣାପଡ଼ିଛି। ଡାକ୍ତରଙ୍କ କହିବାନୁସାରେ ନାକ ଏବଂ ପାଟି ବନ୍ଦ କରି ଜବରଦସ୍ତି ଛିଙ୍କ ରୋକିବା ଅନୁଚିତ।

ସୂଚନାଯୋଗ୍ୟ ଯେ ଛିଙ୍କିବା ସମୟରେ ଘଣ୍ଟାରେ ୮୦ କିମି ବେଗରେ ପବନ ଶରୀରରୁ ବାହାରକୁ ଆସିଥାଏ। ଯଦି ଏହି ପବନର ଚାପକୁ ରୋକିବାକୁ ଚେଷ୍ଟା କରାଯାଏ, ତେବେ ଛିଙ୍କ ସହିତ ବାହାରୁଥିବା ପବନ ଆପଣଙ୍କ ଶରୀର ଭିତରକୁ ପଶି ଆସିବ। ଏହାଦ୍ବାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିବ।

ଛାତି ପର୍ଯ୍ୟନ୍ତ ପବନ ଚାଲିଯାଏ

ଜବରଦସ୍ତି ଛିଙ୍କ ରୋକିଥିବା ଯୁବକଙ୍କ ପରୀକ୍ଷା ପରେ ଡାକ୍ତର ଜାଣିବାକୁ ପାଇଥିଲେ ତାଙ୍କ ଗଳାରେ କିଛି ସ୍ପନ୍ଦନ ହୋଇଥିଲା, ତାହା ଯୁବକଙ୍କ ରିବ କେଜ୍‌ ଅର୍ଥାତ ପଞ୍ଜରା ପର୍ଯ୍ୟନ୍ତ ଚାଲି ଯାଇଥିଲା। ଛିଙ୍କିବା ସମୟରେ ରୋକା ଯାଇଥିବା ପବନ ଊକ୍ତ ଯୁବକଙ୍କ ଛାତି ପର୍ଯ୍ୟନ୍ତ ଚାଲି ଯାଇଥିଲା। ତେଣୁ ଯୁବକଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇପାରେ
ଆମେରିକାର ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ ହେଲ୍‌ଥ ସାଇନ୍ସ ସେଣ୍ଟରର ହେଡ୍‌ ଏଣ୍ଡ ନେକ୍‌ ସର୍ଜନ ଡା. ଜି ୟାଙ୍ଗ ଜିୟାଙ୍ଗଙ୍କ କହିବାନୁସାରେ ଗଳାରେ ବଟିକା ଲାଗିବା ଫଳରେ ଯେତିକି କଷ୍ଟ ହୁଏ, ଛିଙ୍କ ରୋକିବା ଦ୍ବାରା ମଧ୍ୟ ସେତିକି କ୍ଷତି ପହଞ୍ଚିପାରେ। କେବଳ ସେତିକି ନୁହେଁ, ଛିଙ୍କକୁ ଜବରଦସ୍ତ ରୋକିବାକୁ ଚେଷ୍ଟା କରିବା ଫଳରେ ଆପଣଙ୍କ ଫୁସ୍‌ଫୁସ୍‌ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇପାରେ ବୋଲି ଡା.ଜିୟାଙ୍ଗ କହିଛନ୍ତି।

ସମସ୍ୟାରୁ ବଞ୍ଚିବା ଲାଗି ଜୋର୍‌ରେ ଛିଙ୍କନ୍ତୁ
ଛିଙ୍କ ଆସିବାର ଉଦ୍ଦେଶ୍ୟ ଶରୀରରୁ ଜୀବାଣୁ ବାହାରକୁ ବାହାର କରିବା। ଏମିତିରେ ଏହାକୁ ଜବରଦସ୍ତ ରୋକିବା ଫଳରେ ଏହି ପବନ ଶରୀରର ଭୁଲ୍‌ ଅଂଶରେ ପ୍ରବେଶ କରି କ୍ଷତି ପହଞ୍ଚାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଜୋର୍‌ରେ ଛିଙ୍କିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ