ଭାରତର ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ଏନଆରଆଇ

କୋରୋନା ସଙ୍କଟ ବେଳେ ମୁଣି ଖୋଲିଦେଲେ ପ୍ରବାସୀ ଭାରତୀୟ

ସମ୍ପର୍କୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ମହିଳାଙ୍କୁ ସାନ୍ତ୍ବନା ଦେଉଛନ୍ତି ପରିଜନ
ଅଧୁନା ସିଙ୍ଗାପୁରରେ ଷ୍ଟାର୍ଟଅପ ପରାମର୍ଶଦାତା ରୂପେ କାର୍ଯ୍ୟରତ ମୂଳ ଭାରତୀୟ ସୌର୍ଯ୍ୟ ବେଲାଗାପୁଡ଼ି ତାଙ୍କୁ ଆଠ ବର୍ଷ ହୋଇଥିବା ବେଳେ ଶେଷଥର ପାଇଁ ଭାରତ ଆସିଥିଲେ। କିନ୍ତୁ ୩୨ ବର୍ଷ ବୟସ୍କ ସୌର୍ଯ୍ୟ କହନ୍ତି, ତାଙ୍କ ଶରୀର, ମସ୍ତିଷ୍କ ଓ ହୃଦୟରେ ନିଜର ଜନ୍ମମାଟି ଭାରତ ପ୍ରତି ଏକ ସ୍ବତନ୍ତ୍ର ସ୍ଥାନ ରହିଛି ଏବଂ ଦେଶର କୋରୋନା ସଙ୍କଟ ବେଳେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକାର ସହାୟତା କାର୍ଯ୍ୟକ୍ରମରେ ସେ ସହାୟତା କରିବାକୁ ପ୍ରସ୍ତୁତ। ନିକଟରେ ଭାରତରେ ରହୁଥିବା ତାଙ୍କ ପରିବାରର ଜଣେ ସଦସ୍ୟ କୋରୋନା ମହାମାରୀରେ ମୃତ୍ୟୁବରଣ କରିଛନ୍ତି। ନିଜ ଜୀବନରେ ହୋଇଥିବା ତାଙ୍କ କ୍ଷତିର ପୁନରାବୃତ୍ତି ରୋକିବାକୁ ସେ ଭାରତରେ ଆବଶ୍ୟକ ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କୁ ସହାୟତା କରିବାକୁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି।

ସୌର୍ଯ୍ୟ ଏବେ ଦୈନିକ ୫ ହଜାର ଡଲାର ଅନୁଦାନ ଦେଉଛନ୍ତି। ନିଜ ପାଖରେ ଯେତେଦିନ ପର୍ଯ୍ୟନ୍ତ ଅର୍ଥ ଅଛି ସେ ଏପରି ଦେଇଚାଲିବେ ବୋଲି କହିଛନ୍ତି। ସେ ଭାରତରେ କାମ କରୁଥିବା ଏକ ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଏଭଳି ଅନୁଦାନ ଯୋଗାଇ ଦେଉଛନ୍ତି। ତାଙ୍କ ଭଳି ଏବେ ବିଶ୍ବର କୋଣ ଅନୁକୋଣରେ ଥିବା ବହୁ ବ୍ୟକ୍ତି ଭାରତର ଏଭଳି ସଙ୍କଟଜନକ ସମୟରେ ଆର୍ଥିକ ଅନୁଦାନ ଯୋଗାଇବାରେ ଲାଗିଛନ୍ତି।

ଗୁଗଲର ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସତ୍ୟ ନାଡେଲା, ସିଲିକନ ଭ୍ୟାଲିର ଅରବପତି ନିବେଶକ ବିନୋଦ ଖୋସଲାଙ୍କ ଭଳି ବ୍ୟକ୍ତି ଏ କ୍ଷେତ୍ରରେ ବହୁ ପୂର୍ବରୁ ନିଜର ଯୋଗଦାନ ନିଶ୍ଚିତତା କରିଛନ୍ତି। ସିଙ୍ଗାପୁରର ହେଲଥ କେୟାର ସଂଘ ଏପିଏସିଏମଇଡିର ସିଇଓ ହରଜିତ ଗିଲ କହନ୍ତି, ଦିଲ୍ଲୀବାସୀଙ୍କ ଠାରୁ ସେମାନଙ୍କୁ ସହାୟତା କରିବାକୁ ଅନେକ ଅନୁରୋଧ ମିଳିଛି। ଆମେ ଅକ୍ସିଜେନ, ପିପିଇ କିଟ, ଔଷଧ ଓ ଭେଣ୍ଟିଲେଟର ଏବଂ ହସ୍ପିଟାଲ ଉପକରଣ ଯୋଗାଣ ପାଇଁ ଅନୁରୋଧକୁ ବିଚାର କରୁଛୁ। ହରଜିତ ଗିଲ ଭାରତୀୟ ମୂଳର ବ୍ରିଟିଶ ନାଗରିକ। ହରଜିତ କହନ୍ତି, ଭାରତରେ କୋରୋନାର ବିଭୀଷିକା ବିଷୟରେ ଜାଣି ଆମେ ନିଜକୁ ଆଉ ସମ୍ଭାଳି ପାରୁନୁ। ନିଜ ଜନ୍ମମାଟିର ପ୍ରତ୍ୟେକଟି ବ୍ୟକ୍ତିଙ୍କ ଜୀବନ ପାଇଁ ପ୍ରାର୍ଥନା କରିବା ସହ ସେମାନେ ଲୋଡ଼ୁଥିବା ସାହାଯ୍ୟ ପୂରଣ କରିବା ଦିଗରେ ପରସ୍ପର ସହଯୋଗ କରିବାର ବିଚାର ରଖିବା ପାଇଁ ନିବେଦନ କରୁଛୁ। ବିଶ୍ବସାରା ଭାରତୀୟ ଲୋକ ଖେଳାଇ ହୋଇ ରହିଛନ୍ତି। ବିଶ୍ବର ବିଭିନ୍ନ ଦେଶରେ ୨ କୋଟି ଭାରତୀୟ ଥିବା ବେଳେ ଅନେକ ଏବେ ଭାରତକୁ ସହାୟତା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଆଗକୁ ଆସିଛି ଘରୋଇ କ୍ଷେତ୍ର
ଦେବୀକା ମେହଦିରଟ୍ଟା ଭାରତୀୟ ମୂଳର ଅର୍ଥଶାସ୍ତ୍ରୀ। ସେ ସିଙ୍ଗାପୁରରେ ରହନ୍ତି। ଭାରତରେ ଥିବା ତାଙ୍କ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବିଶ୍ବର ବିଭିନ୍ନ ଘରୋଇ କ୍ଷେତ୍ର ଗୁଡ଼ିକରେ ଭାରତୀୟ ମୂଳର ପୁଞ୍ଜିପତି ମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି। ଦେଶ ଭିତରେ ବହୁତ ବଡ଼ ବଡ଼ କମ୍ପାନୀ ମଧ୍ୟ କୋରୋନା ସଂଘର୍ଷରେ ନିଜର ଅତୁଳନୀୟ ଯୋଗଦାନ ଦେଇଛନ୍ତି। ଜିନ୍ଦଲ ଷ୍ଟିଲ କାରଖାନା ଇସ୍ପାତ ଉତ୍ପାଦନ ବନ୍ଦ କରି ଦେଇ ପ୍ରତିବଦଳରେ ଅକ୍ସିଜେନ ଉତ୍ପାଦନ କରିବା ଦିଗରେ ମନୋନିବେଶ କରିଛି। ଟାଟା, ରିଲାଏନ୍ସ ଆଦି କମ୍ପାନୀ ଗୁଡ଼ିକ ପର୍ଯ୍ୟାପ୍ତ ସହଯୋଗ ଯୋଗାଇ ଦେଇଛନ୍ତି। ଆମେରିକାରୁ ଭାରତ ପହଞ୍ଚିଥିବା ୧୦ କୋଟି ଡଲାର ମୂଲ୍ୟର ବିଭିନ୍ନ ସହାୟତା ରାଶି ଭାରତୀୟ ରେଡକ୍ରସ ଜରିଆରେ ଆବଶ୍ୟକ ଲୋଡ଼ା ଯାଉଥିବା ସ୍ଥାନରେ ପହଞ୍ଚାଯାଇଛି। ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପ୍ରବକ୍ତାଙ୍କ ଅନୁଯାୟୀ ବିଗତ ୫ ଦିନରେ ବିଦେଶରୁ ୨୫ଟି ଫ୍ଲାଇଟରେ ୩୦୦ ଟନ କୋଭିଡ ଜରୁରୀକାଳୀନ ସାମଗ୍ରୀ ଭାରତ ପହଞ୍ଚିଛି। ଏଥିରେ ୫,୫୦୦ ଅକ୍ସିଜେନ କନସେନଟ୍ରେଟର୍ସ, ୩୨୦୦ ଅକ୍ସିଜେନ ସିଲିଣ୍ଡର, ୧,୩୬,୦୦୦ ରେମଡେସିଭିର ଇଞ୍ଜେକସନ ରହିଛି। ଦିଲ୍ଲୀରେ ଏବେ ଲକ୍ଷାଧିକ ସକ୍ରିୟ ରୋଗୀ। ୨୦ ହଜାର ଲୋକ ମେଡିକାଲରେ ସଂଘର୍ଷରତ। ଏସବୁ ରୋଗୀମାନଙ୍କ ପାଇଁ ଏବେ ଆବଶ୍ୟକୀୟ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼କୁ କେନ୍ଦ୍ର ସରକାର ନିଶ୍ଚିତତା କରିବାରେ ଲାଗିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରାୟ ୪୦ ଲକ୍ଷ ଜରୁରୀକାଳୀନ କୋଭିଡ ସାମଗ୍ରୀ ଯେଉଁଥିରେ ଔଷଧ, ଅକ୍ସିଜେନ, ସିଲିଣ୍ଡର, ମାସ୍କ ଆଦିକୁ ୩୧ଟି ରାଜ୍ୟର ୩୮ଟି ସଂଗଠନକୁ ପଠାଇ ଦିଆଯାଇଛି। ୧୬ ବର୍ଷ ପରେ ଭାରତ ସରକାର ବିଦେଶୀ ସହାୟତା ଗ୍ରହଣ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ