ହିଂସା, ଆତଙ୍କରାଜ ଓ ହତ୍ୟା ଗଣତନ୍ତ୍ରର ପରିପନ୍ଥୀ ନୁହେଁ: ବିଜେପି

ପଶ୍ଚିମବଙ୍ଗରେ ହିଂସା ପ୍ରତିବାଦରେ ବିଜେପିର ଉପବାସ ଓ ଧାରଣା କାର୍ଯ୍ୟକ୍ରମ

ଧାରଣାରେ ବସିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି
ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ତଥା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଟିଏମ୍‌ସି କର୍ମୀଙ୍କ ହତ୍ୟା ଓ ବର୍ବରୋଚିତ ଆକ୍ରମଣ ବିରୋଧରେ ବୁଧବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉପବାସ ଓ ଧାରଣା। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ଉପବାସ ଓ ଧାରଣା ଅନୁଷ୍ଠିତ ହେଉଛି। ବୁଧବାର ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ବିଜେପିର ସମସ୍ତ ସାଂସଦ, ବିଧାୟକ, ଲୋକପ୍ରତିନିଧି, ପାର୍ଟି ପଦାଧିକାରୀ, ନେତୃବୃନ୍ଦ ଏବଂ କର୍ମୀମାନେ ନିଜ ନିଜ ବାସଭବନରେ ରହି ଭର୍ଚୁଆଲ ମିଟିଂ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଉପବାସ ଓ ଧାରଣା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ପ୍ରତିବାଦ ଓ ଧାରଣା ଗୁରୁବାର ମଧ୍ୟ ଜାରୀ ରହିବ। ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ବୁଧବାର କୋଲକାତାଠାରେ ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଓ କର୍ମୀଙ୍କ ଗ୍ରହଣରେ ଉପସ୍ଥିତ ରହି ଧାରଣା ଦେଇଥିଲେ।

ଲକ୍‌ଡାଉନ ଏବଂ କୋଭିଡ୍ ଗାଇଡଲାନକୁ ପାଳନ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ନିଜ ବାସଭବନରେ ଧାରଣା ଦେଇ ବଙ୍ଗଳା କର୍ମୀଙ୍କୁ ନୈତିକ ସମର୍ଥନ ଜଣାଇଛନ୍ତି। ଉପବାସ ରହି ମହାନ୍ତି ପଶ୍ଚିମବଙ୍ଗ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ମହାନ୍ତି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ରର ପ୍ରକ୍ରିୟାରେ ଜନତାଙ୍କ ଇଚ୍ଛା ଅନୁସାରେ ମତଦାନ କରିବାର ପୂର୍ଣ୍ଣ ଅଧିକାର ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମ୍‌ସି କର୍ମୀମାନେ ଯେଉଁ ଭଳି ଭାବେ ବିଜେପି କର୍ମୀଙ୍କ ଉପରେ ବର୍ବର ଓ ଅମାନୁଷିକ କାଣ୍ଡ ଭିଆଉଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ନିର୍ବାଚନ ଜିତିବା ପରେ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମ୍‌ସିର ନିର୍ବାଚନୀ ସ୍ଲୋଗାନ ‘ଖେଲା ହୋବେ’କୁ ବର୍ତ୍ତମାନ ବାସ୍ତବରେ ପରିଣତ କରାଯାଉଛି ବୋଲି ସେ କହିଛନ୍ତି।

ତୃତୀୟ ପାଳି କ୍ଷମତାର ନିଶା ଓ ଅହଂକାରରେ ମମତା ବାନାର୍ଜୀ ପ୍ରତିହିଂସା ପରାୟଣ ହୋଇ ଏକମାତ୍ର ବିରୋଧୀ ବିଜେପିର କର୍ମୀଙ୍କୁ ନିପାତ କରିବାର ଅପଚେଷ୍ଟାରେ କେବେହେଲେ ସଫଳ ହେବେ ନାହିଁ। ‘ହିଂସା, ଆତଙ୍କରାଜ ଓ ହତ୍ୟା’ ଗଣତନ୍ତ୍ରର ପରିପନ୍ଥୀ ନୁହେଁ। ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ। ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କ ପଛରେ ଦେଶର କୋଟି କୋଟି ବିଜେପି କର୍ମୀ ଚଟ୍ଟାଣ ଭଳି ଛିଡା ହୋଇଛନ୍ତି। ବଙ୍ଗଳାର ଗୋଟିଏ ହେଲେ କର୍ମୀଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ସୁନାର ବଙ୍ଗଳା ପ୍ରତିଷ୍ଠା ପାଇଁ ବିଜେପି ବଦ୍ଧପରିକର। ଭାରତୀୟ ଜନତା ପାର୍ଟି ଏଭଳି ହିଂସାକାଣ୍ଡକୁ ଦୃଢ ନିନ୍ଦା କରୁଛି। ଏଭଳି ହିଂସାକାଣ୍ଡ ତୁରନ୍ତ ବନ୍ଦ ହେବା ଆବଶ୍ୟକ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ପଶ୍ଚିମବଙ୍ଗ ରାଜନୈତିକ ହିଂସାକାଣ୍ଡ ବିରୋଧରେ ବିରୋଧୀ ଦଳମାନେ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ସ୍ବାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦ, ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଭଳି ମହାମନିଷୀଙ୍କ ଜନ୍ମମାଟିରେ ହତ୍ୟା ଏବଂ ମାତୃଶକ୍ତିଙ୍କ ଉପରେ ଅତ୍ୟାଚାର ଆଦୌ ଶୋଭନୀୟ ନୁହେଁ ବୋଲି ମହାନ୍ତି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ