ଜି୭ ସମ୍ମିଳନୀ: ଦୁଇ ଭାରତୀୟ ପ୍ରତିନିଧିଙ୍କୁ କୋରୋନା, ଭର୍ଚୁଆଲ୍ ମୋଡରେ ଯୋଗଦେଲେ ଜୟଶଙ୍କର


ବ୍ରିଟେନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର (ଡାହାଣ)
ବ୍ରିଟେନରେ ଅନୁଷ୍ଠିତ ହେଉଥିବା ଜି୭ ସମ୍ମିଳନୀରେ ଯୋଗ ଦେବା ସକାଶେ ଯାଇଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ଦୁଇ ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ନେତ୍‌ତ୍ବରେ ଗସ୍ତ କରିଥିବା ବେଳେ ଦୁଇ କୋଭିଡ୍ ସଂକ୍ରମିତ ପ୍ରତିନିଧି ସେଲ୍ଫ-ଆଇସୋଲେସନରେ ଅଛନ୍ତି। ଏହି କାରଣରୁ ଜୟଶଙ୍କରଙ୍କୁ ଉକ୍ତ ବୈଠକରେ ଭର୍ଚୁଆଲ୍ ମୋଡରେ ଯୋଗ ଦେବାକୁ ପଡ଼ିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି। ଉକ୍ତ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ ଉକ୍ତ ଦୁଇ ଅଧିକାରୀ କୋଭିଡ୍ ପଜିଟିଭ୍ ବୋଲି ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଜାଣିବାକୁ ମିଳିଲା। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ଓ ଅନ୍ୟାନ୍ୟ ପ୍ରତିନିଧିଙ୍କ ସ୍ବାସ୍ଥ୍ୟଜନିତ ନିରାପତ୍ତାକୁ ଗୁରୁତ୍ବ ଦେଇ ବୈଠକରେ ଜୟଶଙ୍କର ଭର୍ଚୁଆଲ୍ ମୋଡ଼ରେ ଯୋଗଦେଇଥିବା ଟ୍ବିଟରରେ ଉଲ୍ଲେଖ କରାଯାଇଛି। ତେବେ ଦୁଇ ଜଣ ପ୍ରତିନିଧିଙ୍କ ନମୁନା ପଜିଟିଭ୍ ବାହାରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ ସୋମବାର ଭାରତୀୟ ପ୍ରତିନିଧିମଣ୍ଡଳୀ ଜୟଶଙ୍କରଙ୍କ ନେତୃତ୍ବରେ ଲଣ୍ଡନରେ ପହଞ୍ଚିଥିଲା। ବ୍ରିଟେନ୍ ବୈଦେଶିକ ସଚିବ ଡୋମିନିକ୍ ରାବ୍ ଜି୭ ବୈଦେଶିକ ଓ ଉନ୍ନୟନ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ସକାଶେ ଭାରତୀୟ ପ୍ରତିନିଧି ମଣ୍ଡଳୀକୁ ଆମନ୍ତ୍ରଣ କରିଥିବା ବେଳେ ଏହି ଗସ୍ତ ଚାରିଦିନିଆ ବୋଲି ମଧ୍ୟ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ପାଖାପାଖି ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଜି୭ ସମ୍ମିଳନୀରେ ମନ୍ତ୍ରୀମାନେ ମୁହାଁମୁହିଁ ଆଲୋଚନା ପାଇଁ ଏକାଠି ହୋଇଛନ୍ତି। ଭାରତ ଯଦିଓ ଜି୭ ସଦସ୍ୟ ରାଷ୍ଟ୍ର ମଧ୍ୟରେ ସାମିଲ୍ ନାହିଁ, ତଥାପି ବ୍ରିଟେନ ପକ୍ଷରୁ ଜୟଶଙ୍କରଙ୍କୁ ଅତିଥି ମନ୍ତ୍ରୀ ଭାବେ ଆମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଅନ୍ୟ ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ କୋରିଆର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ