ପ୍ରକାଶ ପାଦୁକୋନ କୋଭିଡ୍ ପଜିଟିଭ: ହସ୍ପିଟାଲରେ ଭର୍ତ୍ତି ପରେ ସୁଧୁରୁଛି ସ୍ଥିତି


ବ୍ୟାଡମିଣ୍ଟନ ଲିଜେଣ୍ଡ୍ ପ୍ରକାଶ ପାଦୁକୋନ୍ (ଫାଇଲ୍‌ ଫଟୋ)
ଦେଶର ବ୍ୟାଡମିଣ୍ଟନ ଲିଜେଣ୍ଡ୍ ପ୍ରକାଶ ପାଦୁକୋନ୍ କୋଭିଡ୍-୧୯ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ହସ୍ପିଟାଲ୍ ସୂତ୍ରରୁ କୁହାଯାଇଛି। ପ୍ରାୟ ୧୦ ଦିନ ତଳେ ପ୍ରକାଶଙ୍କ ସହ ତାଙ୍କ ପତ୍ନୀ ଉଜ୍ଜ୍ବଳା ଓ ଦ୍ବିତୀୟ କନ୍ୟା ଅନିଶାଙ୍କ ଠାରେ କୋଭିଡ୍ ଲକ୍ଷଣ ପ୍ରକାଶ ପାଇଥିଲା। କୋଭିଡ୍ ନମୁନା ଟେଷ୍ଟ ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ପ୍ରକାଶଙ୍କ ଘନିଷ୍ଠ ବନ୍ଧୁ ବିମଳ କୁମାର ସୂଚନା ଦେଇଛନ୍ତି। ସେମାନେ ଗୋଟିଏ ସପ୍ତାହ ଆଇସୋଲେସନରେ ରହିବା ପରେ ମଧ୍ୟ ପ୍ରକାଶଙ୍କ ଜ୍ବର ନ କମିବାରୁ ଗତ ଶନିବାର ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବଶ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ରହିଛି ଓ ଆଗାମୀ ୨/୩ ଦିନ ଭିତରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସମ୍ଭାବନା ରହିଛି ବୋଲି ବିମଳ କହିଛନ୍ତି।

ବିଶ୍ବ ବ୍ୟାଡମିଣ୍ଟନର ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ବ ୬୫ ବର୍ଷୀୟ ପ୍ରକାଶ ଗତ ୧୯୭୦ ଏବଂ ୮୦ ଦଶକରେ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଜଣେ ରୋଲ୍ ମଡେଲ୍ ଥିଲେ। ପ୍ରଥମ ଭାରତୀୟ ଭାବେ ସେ ୧୯୮୦ରେ ସମ୍ମାନଜନକ ଅଲ୍ ଇଂଲଣ୍ଡ ଚାମ୍ପିଅନଶିପ ଟାଇଟଲ୍ ସହ ୧୯୮୩ ୱାର୍ଲ୍ଡ ଚାମ୍ପିଅନଶିପରେ ବ୍ରୋଞ୍ଜ୍ ପଦକ ମଧ୍ୟ ଜିତିଥିଲେ। ସେହିପରି ପଛକୁ ପଛ ଡେନମାର୍କ ଓପନ୍, ଅଲ୍ ଇଂଲଣ୍ଡ ଚାମ୍ପିଅନଶିପ ଓ ସ୍ବିଡେନ୍ ଓପନ୍ ଜିତିବା ପରେ ୧୯୮୦ରେ ସେ ପ୍ରଥମ ଭାରତୀୟ ଭାବେ ବିଶ୍ବର ନମ୍ବର ଏକ ଖେଳାଳି ହେବାର ଗୌରବ ଲାଭ କରିଥିଲେ। ଗତ ୧୯୯୧ରେ ପେସାଦାର ବ୍ୟାଡମିଣ୍ଟନରୁ ଅବସର ନେବା ପରେ ପ୍ରକାଶ ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତା’ଛଡ଼ା ଗତ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ସେ ଭାରତୀୟ ଟିମର କୋଚ୍ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ