କୋରୋନାକୁ ବେଖାତିର୍: ଜୀବନ ଶସ୍ତା, କ୍ରିକେଟ୍ ମହଙ୍ଗା

ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶରେ ବିସିସିଆଇର ଆଇପିଏଲ୍ ଆୟୋଜନ ନେଇ ପ୍ରଶ୍ନବାଚୀ

ପ୍ରତୀକାତ୍ମକ ବ୍ୟଙ୍ଗ ଚିତ୍ର (କେକେ-ପ୍ରତିନିଧି)
ନୂଆଦିଲ୍ଲୀ: ଜୀବନ ଏଠି ଶସ୍ତା ଆଉ କ୍ରିକେଟ୍ ଭାରୀ ମହଙ୍ଗା। ଦେଶରେ କୋଭିଡର ବ୍ୟାପକତା କ୍ରମଶଃ ବଢ଼ି ବଢ଼ି ଚାଲିଥିବା ବେଳେ ଦେଶବାସୀଙ୍କ ଦୁର୍ଦ୍ଦଶା ତା’ ସହ ତାଳ ଦେଇ ବଢ଼ିଚାଲିଛି। ଦିନକୁ ୩ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯିବାରେ ଲାଗିଛି। କୋରୋନା ସଂକ୍ରମଣ ଦେଶର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିର ନିଷ୍ଠୁର ସତ୍ୟତାକୁ ପଦାରେ ପକାଇଥିବା ବେଳେ ଦେଶର ଅଧିକାଂଶ ହସ୍ପିଟାଲରେ ବେଡ୍ ନାହିଁ। ଯେଉଁଠି ବେଡ୍ ଅଛି, ସେଠି ଅକ୍ସିଜେନ୍ ନାହିଁ। ତେଣୁ ଦିନକୁ ଦିନ ଭାରତରେ କୋରୋନାଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। କିନ୍ତୁ ଏସବୁ ବିଶ୍ବର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ କୁହାଯାଉଥିବା ବିସିସିଆଇ ପାଇଁ ବିଶେଷ କିଛି ଫରକ୍ ପକାଇ ନ ଥିଲା। ବିସିସିଆଇର ଜିଦ୍ ଯୋଗୁଁ ଆଜି କେତେଜଣ ଆଇପିଏଲ୍ ଖେଳାଳି ଓ ସପୋର୍ଟ ଷ୍ଟାଫ୍ କୋରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସଦସ୍ୟମାନଙ୍କ ମଧ୍ୟରୁ ଆହୁରି ଅନେକ କୋଭିଡ୍ ପଜିଟିଭ୍ ମଧ୍ୟ ବାହାରିପାରନ୍ତି। କିନ୍ତୁ ବିସିସିଆଇ ଆଖିକୁ ଦେଶର ଜନସାଧାରଣଙ୍କ ବିକଳ ଅବସ୍ଥା ଦେଖାଯାଇ ନ ଥିଲା। ବରଂ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ହେଉଥିବା ଲିଗ୍ ଭିତ୍ତିକ ଟୁର୍ଣ୍ଣାମେଣ୍ଟ୍ ଆଇପିଏଲ ଆୟୋଜନ ଉପରେ ବୋର୍ଡ ପ୍ରାଧାନ୍ୟ ଦେଇଥିଲା। ଦେଶରେ ଏବେ ଏକରକମ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ବିସିସିଆଇ ଆଖିକୁ କେବଳ ବିଡ଼ା ବିଡ଼ା ଟଙ୍କା ଦେଖାଯାଇଥିଲା। ତେଣୁ ଆଇପିଏଲ୍ ଏବେ କୋରୋନା ହଟସ୍ପଟ୍ ବୋଲି କହିଲେ ଆଦୌ ଭୁଲ୍ ହେବ ନାହିଁ।

ଭାରତରେ ଗତ ବର୍ଷ ମାର୍ଚ୍ଚଠାରୁ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ୍ ଜାରି କରିଥିଲେ। ତେଣୁ ଆଇପିଏଲର ତ୍ରୟୋଦଶ ସଂସ୍କରରଟି ତା’ର ନିର୍ଦ୍ଧାରିତ ୱିଣ୍ଡୋ (ମାର୍ଚ୍ଚ-ମେ’)ରେ ଖେଳାଯିବା ସମ୍ଭବପର ହୋଇ ନ ଥିଲା। ବିସିସିଆଇ ଏହାକୁ ଦୁଇ/ତିନି ଥର ଘୁଞ୍ଚାଇବା ପରେ ଶେଷରେ ଏକ ନୂଆ ୱିଣ୍ଡୋ ସେପ୍ଟେମ୍ବର-ନଭେମ୍ବରରେ ଏହାକୁ ଆୟୋଜନ କରିଥିଲା। ତେବେ ସେତେବେଳେ ଭାରତରେ ଦୈନିକ ପାଖାପାଖି ୬୦/୭୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବାରୁ ବିସିସିଆଇ ଓ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଏହାକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ୟୁଏଇରେ ସଂକ୍ରମଣ ହାର ଯଥେଷ୍ଟ କମ୍ ଥିବା ସହ ଷ୍ଟାଡିୟମ୍ ନିକଟରେ ହୋଟେଲ୍ ରହିଥିବାରୁ ସେଠାରେ ନିରାପଦ ବାୟୋ ବବଲ୍ ପରିବେଶ ସୃଷ୍ଟି କରାଯାଇପାରିଥିଲା। ଶେଷରେ ଆଇପିଏଲର ଏହି ସଂସ୍କରଣଟି ବେଶ୍ ସଫଳତା ଅର୍ଜନ କରିଥିଲା ଓ ସଫଳ ଆୟୋଜନ ପାଇଁ ବିସିସିଆଇ ବାହାବା ନେଇଥିଲା। କିନ୍ତୁ ବିଦେଶରେ ଆଇପିଏଲ୍ ଆୟୋଜନ ହେବା ଦ୍ବାରା ବିସିସିଆଇକୁ ଘରୋଇ ମାଟି ଅପେକ୍ଷା ଖର୍ଚ୍ଚ ଯଥେଷ୍ଟ ଅଧିକ ହେଉଥିବାରୁ ପରବର୍ତ୍ତୀ ସଂସ୍କରଣ ଅର୍ଥାତ୍ ଆଇପିଏଲ୍-୧୪ର ଆୟୋଜନ ଭାରତରେ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଘୋଷଣା କରିଥିଲେ। ୟୁଏଇରେ ଆଇପିଏଲ୍ ଆୟୋଜିତ ହେବା ଦ୍ବାରା ଭାରତର ଦର୍ଶକମାନେ ମ୍ୟାଚ୍‌ର ମଜା ନେବାରୁ ବଞ୍ଚିତ ହେଉଛନ୍ତି ବୋଲି ଦ୍ବାହି ଦେଇ ବିସିସିଆଇ ଏହାକୁ ଭାରତରେ ହିଁ ଆୟୋଜନ ଉପରେ ଗାଙ୍ଗୁଲି ଜୋର୍ ଦେଇଥିଲେ। ଅବଶ୍ୟ ସେତେବେଳେ ସଂକ୍ରମଣ କ୍ରମଶଃ ହ୍ରାସ ପାଇଆସିଥିଲା। କିନ୍ତୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ଆଡ଼କୁ ଦେଶରେ ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଥିଲା। ସେତେବେଳେ ବିସିସିଆଇ ତା’ର ନିଷ୍ପତ୍ତି ବଦଳାଇବାର ଆବଶ୍ୟକତା ଥିଲା। କିନ୍ତୁ ଟଙ୍କା ବିଡ଼ା ଆଗରେ ସେସବୁ ତୁଚ୍ଛ, ତାହା ବିସିସିଆଇ ଆଇପିଏଲ୍ ଆୟୋଜନ କରି ପ୍ରମାଣିତ କରିଦେଇଥିଲା।

ଏପ୍ରିଲ୍ ୯ ତାରିଖରୁ ଆଇପିଏଲ୍-୧୪ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନଙ୍କୁ ୭ ଦିନିଆ କ୍ବାରେଣ୍ଟାଇନରେ ରଖାଯାଇଥିଲା। ସେତେବେଳେ ବାୟୋ ବବଲ୍ ପରିବେଶରେ ରହୁଥିବା ସତ୍ତ୍ବେ ଆରସିବିର ଦେବଦତ୍ତ ପାଡିକଲ୍ ଓ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ୍ ସଂକ୍ରମିତ ସାବ୍ୟସ୍ତ ହୋଇଥିଲେ। ଅବଶ୍ୟ ଆୟୋଜକ ୨୯ଟି ମ୍ୟାଚ୍‌ ସୁଚାରୁ ରୂପେ ଆୟୋଜନ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ୩୦ତମ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କେକେଆରର ବରୁନ୍ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟରଙ୍କ ସହ ଚେନ୍ନାଇ ସୁପର୍ କିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀଙ୍କ ସହ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ନମୁନା ପଜିଟିଭ୍ ଆସିଥିଲା। ତେଣୁ ଉକ୍ତଦିନ ମ୍ୟାଚକୁ ବାତିଲ୍ କରିଦିଆଯାଇଥିଲା। ପରଦିନ ପୁଣି ଦିଲ୍ଲୀର ଅମିତ୍ ମିଶ୍ରା ଓ ସନରାଇଜର୍ସ ହାଇଦ୍ରାବାଦର ଋଦ୍ଧିମାନ୍ ସାହାଙ୍କ ନମୁନା ପଜିଟିଭ୍ ବାହାରିଥିଲା। ଏପରିସ୍ଥଳେ ବିସିସିଆଇ ଆଉ କୌଣସି ଚାରା ନ ପାଇ ଶେଷରେ ଆଇପିଏଲ୍-୧୪କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। କିନ୍ତୁ ଆଇପିଏଲ୍ ସାମୟିକ ଭାବେ ସ୍ଥଗିତ ରହିଥିଲେ ମଧ୍ୟ ଏହା ଆଗାମୀ ଦିନରେ ସ୍ଥିତି ସୁଧୁରିଲେ ଆୟୋଜିତ ହେବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। କିନ୍ତୁ ଆଇପିଏଲକୁ ପୂର୍ବ ବର୍ଷ ପରି ୟୁଏଇରେ ଆୟୋଜନ କରିଥିଲେ, ଆଜି ଖେଳାଳିମାନେ କୋରୋନା ଆକ୍ରାନ୍ତ ହୋଇ ନ ଥାନ୍ତେ ବୋଲି ଅନେକ କ୍ରିକେଟର୍ ମତ ଦେଇଛନ୍ତି।

ବର୍ତ୍ତମାନ ସବୁ ଖେଳାଳି ସେମାନଙ୍କ ଘରକୁ ଫେରିଯିବେ ବୋଲି ବିସିସିଆଇ କହିବା ପରେ ଅନ୍ୟ ଦେଶର ଖେଳାଳିମାନେ ତ ନିଶ୍ଚିତ ଭାବେ ଖୁସି ହୋଇଥିବେ। କିନ୍ତୁ ଅଷ୍ଟ୍ରେଲୀୟ ଖେଳାଳି ଓ ଅନ୍ୟାନ୍ୟ ଭୂମିକାରେ ଥିବା ବ୍ୟକ୍ତିମାନେ ବିଶେଷ ଭାବେ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରଥମେ ଭାରତରେ ସଂକ୍ରମଣ ଘାତକ ରୂପ ନେଉଥିବା ଦେଖି ତିନି ଜଣ ଅଷ୍ଟ୍ରେଲୀୟ ଖେଳାଳି ସ୍ବଦେଶ ଫେରିଯାଇଥିଲେ। ଆହୁରି ଅନେକ ମଧ୍ୟ ଘରକୁ ଫେରିବା ସକାଶେ ଯୋଜନା କରିଥିଲେ। କିନ୍ତୁ ଗତ ଶୁକ୍ରବାର ଅଷ୍ଟ୍ରେଲିଆ ସରକାର ଭାରତରେ ଅତି କମରେ ୧୪ ଦିନ ରହିଥିବା କୌଣସି ବ୍ୟକ୍ତି ଅଷ୍ଟ୍ରେଲିଆ ଆସିବା ଉପରେ କଟକଣା ଲଗାଇଛନ୍ତି। ଏପରିକି ନିୟମ ଉଲ୍ଲଙ୍ଘନ ପରିପ୍ରେକ୍ଷୀରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଘୋଷଣ କରିଛନ୍ତି। ତେଣୁ ବର୍ତ୍ତମାନ ଭାରତରେ ଥିବା ଅଷ୍ଟ୍ରେଲିଆର ୧୪ ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍ କୌଣସି ପରିସ୍ଥିତିରେ ଆସନ୍ତା ମେ’ ୧୫ ତାରିଖ ପୂର୍ବରୁ ସ୍ବଦେଶ ଫେରିପାରିବେ ନାହିଁ। ଅବଶ୍ୟ ବିସିସିଆଇ ନିଜ ପକ୍ଷରୁ ସବୁ ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ଘରେ ପହଞ୍ଚାଇବ ବୋଲି କହିସାରିଛି। କିନ୍ତୁ ଏହି ଘୋଷଣା ସତ୍ତ୍ବେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କ ଚିନ୍ତା କମିନାହିଁ। କାରଣ ଅଷ୍ଟ୍ରେଲିଆ ସରକାରଙ୍କୁ କଟକଣା କୋହଳ କରିବା ସକାଶେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ନିବେଦନ କରିବ ନାହିଁ ବୋଲି ମନା କରିଦେଇଛି। ଏପରି ସ୍ଥିତିରେ କେମିତି କଟକଣା କୋହଳ ହେବ ଓ ଅଷ୍ଟ୍ରେଲିଆର ଏହି ଖେଳାଳିମାନେ ସେମାନଙ୍କ ଘରେ ପହଞ୍ଚିବେ, ସେନେଇ ସମସ୍ତେ ସନ୍ଦେହରେ ଅଛନ୍ତି।

ତେବେ ଉପରୋକ୍ତ ପରିପ୍ରେକ୍ଷୀରେ ବିସିସିଆଇ ଚଳିତ ବର୍ଷ ଆଇପିଏଲ୍ ଆୟୋଜନ କରି ନ ଥିଲେ, କ’ଣ ଅସୁବିଧା ହୋଇଥାନ୍ତା ବୋଲି କୌଣସି ବି ବୁଦ୍ଧିଜୀବୀ ବେଶ୍ ସହଜରେ ପ୍ରଶ୍ନ କରିପାରିବେ। ବିସିସିଆଇ କୋଭିଡଜନିତ କଷ୍ଟସାଧ୍ୟ ସମୟରେ କ୍ରିକେଟପ୍ରେମୀଙ୍କୁ ସାମୟିକ ଆନନ୍ଦ ଦେବା ସକାଶେ ଏହାର ଆୟୋଜନ କରିଥିଲା ବୋଲି ସଫେଇ ଦେଇଛି। କିନ୍ତୁ ଯଦି ବିସିସିଆଇ ଏହା ଚାହୁଁଥିଲା, ତା’ହେଲେ ଗଭର୍ଣ୍ଣିଂ କାଉନସିଲର ପ୍ରସ୍ତାବକୁ ଗ୍ରହଣ କରି ଆଇପିଏଲକୁ ପୁଣିଥରେ ୟୁଏଇରେ ଆୟୋଜନ କରିବାରେ କ’ଣ ଅସୁବିଧା ଥିଲା, ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ। କିନ୍ତୁ ମୋଟାମୋଟି ଭାବେ ଦେଖିଲେ, ବିସିସିଆଇ ନିଜର ପାରିବାପଣିଆ ଦେଖାଇବା ସହ ଟଙ୍କା ବଞ୍ଚାଇବା ଚକ୍କରରେ ଆଜି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଜୀବନକୁ ବିପନ୍ନ କରିବା ପରି ଏକ ବିଡ଼ମ୍ବିତ ପଦକ୍ଷେପ ନେଇଥିବାରୁ ବୁଦ୍ଧିଜୀବୀ ଓ ପୂର୍ବତନ କ୍ରିକେଟରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବିସିସିଆଇ ପାଇଁ ମଣିଷ ଜୀବନ ଖେଳଠାରୁ ବି ଶସ୍ତା ବୋଲି ସେମାନେ ମତ ଦେବା ସହ କୋରୋନାର ଦ୍ବିତୀୟ ଲହରୀଜନିତ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଇପିଏଲ୍ ଆୟୋଜନ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ