ହୃଦୟବିଦାରକ: ସମ୍ପର୍କକୁ ପର କରିଦେଉଛି କୋରୋନା

ଡରରେ ହଜିଯାଉଛି ମାନବିକତା

ଓଡ଼ିଶାର ବିଭିନ୍ନ ସ୍ଥାନରେ କୋରୋନା ମୃତ୍ୟୁ ପରର ଛାତିଥରା ଦୃଶ୍ୟ
କୋରୋନା ମହାମାରୀର ଦ୍ବିତୀୟ ଲହରୀ ଭାରତକୁ ଆଣିଛି ମହାବିପତ୍ତି। କେତେକ ରାଜ୍ୟରେ ଏବେ ଅଣାୟତ୍ତ ସ୍ଥିତି। ସ୍ବାଚ୍ଛନ୍ଧ୍ୟରେ ଘୂରି ବୁଲୁଥିବା ଜୀବନ ଆଜି କୋରୋନା କାରାଗାରରେ ବନ୍ଦୀ। ଜୀବନ ଆଜି ମଶାଣିର ଜୁଇରେ ହୁତହୁତ ହୋଇ ଜଳୁଛି। ଶ୍ମଶାନ ଆଜି ଶହଶହ ଜୁଇରେ ରୁନ୍ଧି ହୋଇଯାଉଛି। ମଶାଣି ନିଆଁକୁ ବିଶ୍ରାମ ନାହିଁ। କି ରାତି କି ଦିନ ଶବ ସତ୍କାରରୁ ନିସ୍ତାର ନାହିଁ। କେତେକ ଶ୍ମଶାନ ଘାଟରେ ଜଳୁଥିବା ଜୁଇ ତ ଗଣି ହେଉନି। ସେପଟେ ଶବ ବୁହା ଗାଡ଼ିକୁ ବି ଫୁରୁସତ୍ ନାହିଁ। ଧାଡ଼ି ଧାଡ଼ି ଆମ୍ବୁଲାନ୍ସରେ ଲଦାଲଦି ଶବକୁ ଦେଖିଲେ ଛାତି ଭୟରେ ଥରି ଉଠୁଛି। ସ୍ଥିତି ଏଭଳି, ଶବ ପୋଡ଼ିବାକୁ ମଶାଣିର ଅଭାବ ପଡ଼ିଲାଣି। କୋରୋନା ପାଇଁ ଧୀରେ ଧୀରେ ହଜିଯାଉଛି ମାନବିକତା। କେଉଁଠି ନିଜ ଲୋକ ପର କରିଦେଉଛନ୍ତି ତ ଆଉ କେଉଁଠି ମୃତଦେହକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି। ସତେ ଯେମିତି ସଂକ୍ରମଣର ଭୟ ଲୋକଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରିଛି।

ମାନବିକତା ଭୁଲି ଯାଉଛନ୍ତି ଲୋକେ
କୋରୋନାର କରାଳ ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛି। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ ମୁହଁ ବୁଲାଇ ଚାଲିଯାଉଛନ୍ତି। ବୋଧହୁଏ ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର କୁହାଯାଇପାର। କୋରୋନା ପ୍ରଥମ ଲହରୀ ଠାରୁ ଦ୍ୱିତୀୟ ଲହରୀ ଆହୁରି ଭୟଙ୍କର ହେବାରେ ଲାଗିଛିା ଆଉ ଶବ ଦେଖିବା ମାତ୍ର ଦୂରେଇଯିବା ଘଟଣା ଏହି ଭୟକୁ ଆହୁର ଦ୍ୱିଗୁଣିତ କରିଛି। ସମ୍ପର୍କ ଆଜି କୋରୋନା ପାଇଁ ପର ହୋଇଯାଇଛି। କୋରୋନାର କରାଳ ରୂପ ଆଙ୍କି ଚାଲିଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ। ଯାହାକୁ ଦେଖିଲେ ଛାତି ଫାଟି ପଡ଼ିବ, ଆଖିରେ ଲୁହ ଅଟକିବନି। ମହାମାରୀ ସହ ଦେଶ ଯୁଝୁଥିବା ବେଳେ ଆତଙ୍କରେ ମଣିଷପଣିଆ ଭୁଲି ଯାଉଛନ୍ତି ଲୋକ। ଏଭଳି ଅନେକ ଦୁଃଖଦ ଘଟଣା ଏବେ ବିଭିନ୍ନ ସ୍ଥାନରେ ଘଟୁଥିବା ଦେଖିବାକୁ ମିଳୁଛି।

ବିଭିନ୍ନ ସ୍ଥାନରୁ ଆସୁଛି ଛାତିଥରା ଖବର
ତେଲେଙ୍ଗାନାରୁ ଛାତି ଥରାଇ ଦେବା ଭଳି ଏକ ଚିତ୍ର ଆସିଥିଲା। ତେଲେଙ୍ଗାନାର କାମାରେଡୀରେ ଜଣେ ମହିଳାଙ୍କର କୋରୋନାରେ ମୃତ୍ୟୁ ହେବା ପରେ କାନ୍ଧ ଦେଲେନି ପଡ଼ୋଶୀ। ଆମ୍ବୁଲାନ୍ସ ବି ମିଳିଲାନି। ସ୍ତ୍ରୀର ଶବକୁ କାନ୍ଧରେ ବୋହି ୩ କିଲୋମିଟର ଚାଲି ଚାଲି କବର ସ୍ଥାନରେ ପହଞ୍ଚିଲେ ସ୍ୱାମୀ। ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା ଗାଜିଆବାଦ୍‌ରେ। ଶ୍ମଶାନରେ ଅନ୍ତ୍ୟେଷ୍ଟି ଅପେକ୍ଷାରେ ପଡ଼ିଥିଲା ଶବ। ହେଲେ ବିଳମ୍ବ ହେବାରୁ ଶବର ନାକ ଝୁଣିନେଲେ କୁକୁର। ଉତ୍ତରପ୍ରଦେଶ ଜୋନ୍‌ପୁରରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଥିଲା। କୋରୋନାରେ ଜଣେ ମହିଳାଙ୍କର ମୃତ୍ୟୁ ହେବାପରେ ଗୋଡ଼ ଆଡ଼େଇ ଚାଲିଯାଇଥିଲେ ସମସ୍ତ ବନ୍ଧୁ ଓ ପରିଜନ। କେହି ନ ଆସିବାରୁ ସ୍ତ୍ରୀ ରାଜକୁମାରୀଙ୍କ ମୃତଦେହକୁ ସ୍ବାମୀ ତିଲକଧାରୀ ସିଂ ସାଇକେଲରେ ବୋହି ନେଇ ନଦୀ କୂଳରେ ଅନ୍ତିମ ସଂସ୍କାର କରିଥିଲେ। ଜମ୍ମୁ-କଶ୍ମୀରର ଏକ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ଦୁଇ ମାସର ଏକ ଶିଶୁପୁତ୍ର କୋଭିଡ୍‌-୧୯ରେ ଆକ୍ରାନ୍ତ ଜଣାପଡ଼ିବା ପରେ ହସ୍ପିଟାଲରେ ଛୁଆକୁ ଛାଡ଼ି ଚାଲି ଯାଇଥିଲେ ବାପା-ମା’। ପରବର୍ତ୍ତୀ ସମୟରେ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଶିଶୁର ମୃତଦେହକୁ ପ୍ରଶାସନର ଅନୁମତିରେ ପୋତି ଦେଇଥିବା ଜଣାପଡ଼ିଛି।

କେବଳ ଦେଶ ନୁହେଁ ଓଡ଼ିଶାରେ ମଧ୍ୟ ଏକାଧିକ ଘଟଣା ସମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁରେ ଏହି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମୃତଦେହକୁ ଚାରି କାନ୍ଧ ଦେବାକୁ କେହି ନ ମିଳିବାରୁ ମୃତ ବାପାଙ୍କ ଶବକୁ ସତ୍କାର କରିବା ପାଇଁ ଏକା ଏକା ସାଇକେଲରେ ବୋହି ନେଇଛି ପୁଅ। ଦୁଇ କିଲୋମିଟର ଜଙ୍ଗଲ ଭିତରକୁ ନେଇ ପୁଅ ଦାମୋଦର ଶବକୁ ସତ୍କାର କରିଥିଲେ। ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ା ଅଞ୍ଚଳରେ। ନବକିଶୋର ବରିହା ନାମକ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କୁ କୋରୋନା ହୋଇଛି ଭାବି କେହି ପାଖ ମାଡ଼ି ନ ଥିଲେ। ପରିବାର ଲୋକେ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ୪ ଜଣ ସ୍ବେଚ୍ଛାସେବୀ ପିପିଇ କିଟ୍‌ ପିନ୍ଧି ମୃତଦେହକୁ ପାଖ ଶ୍ମଶାନକୁ ନେଇ ସତ୍କାର କରିଥିଲେ। ଏମିତି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ମୃତ୍ୟୁ ପରେ ପରିଜନ ପାଖ ମାଡ଼ିଲେନି। ଶେଷରେ ଅନ୍ତିମ ସଂସ୍କାର କଲେ ସ୍ଥାନୀୟ ପ୍ରଶାସନର କର୍ମଚାରୀ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ସମରଝୋଳ ଗାଁର ଡି. ଗୋବିନ୍ଦ ନାମକ ଜଣେ ଯୁବକଙ୍କ ମୃତ୍ୟୁପରେ ତାଙ୍କୁ କୋରୋନା ହୋଇଥିବ ଭାବି ମୃତଦେହକୁ ଛୁଇଁ ନ ଥିଲେ ପରିବାର ଲୋକେ। ଗଞ୍ଜାମ ଭଞ୍ଜନଗରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କୋଭିଡ୍‌ କେୟାର ସେଣ୍ଟର୍‌ରେ ଜଣକ ମୃତ୍ୟୁ ହେବା ପରେ ଶବକୁ ଛୁଇଁଲେନି ପରିବାର ଲୋକେ। ଦୀର୍ଘସମୟ ଧରି ଶବ ବାହାରେ ପଡ଼ି ରହିବା ପରେ କେତେକ ସ୍ବେଚ୍ଛାସେବୀ ଶବ ସତ୍କାର କରିଛନ୍ତି। ସେହିପରି ନୂଆପଡ଼ା, ବରଗଡ଼ ଓ ପଦ୍ମପୁରରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ଏମିତି ଆହୁରି ଅନେକ ଘଟଣା ପ୍ରତିଦିନ ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି। କୋରୋନାରେ ଲୋକମାନେ ମାନବିକତା ହରାଇ ବସିଥିବା ଏସବୁ ଘଟଣାରୁ  ସ୍ପଷ୍ଟ ଜଳଜଳ ହୋଇ ଦିଶୁଛି।

ଶବ ଖୋଜୁଛି ମଶାଣି

କେଉଁଠି ଅକ୍ସିଜେନ୍‌ ଅଭାବରୁ ଜୀବନ ଯାଉଛି ତ ପୁଣି କେଉଁଠି ଜୀବନ ଗଲାପରେ ମୃତ ଦେହକୁ ଚାରି କାନ୍ଧ ମିଳୁନି। କେଉଁଠି ମା’ ଥାଉ ଥାଉ ପୁଅର ଚିତା ଜଳୁଛି ତ ପୁଣି କେଉଁଠି ବାପାର ଅନ୍ତିମ ସତ୍କାର କରିପାରୁନି ପୁଅ। ଯେଉଁଠି କୋରୋନା ପୂର୍ବରୁ ଗୋଟିଏ ଦୁଇଟି ଜୁଇ ଜଳୁଥିଲା ସେଠି ଆଜି ଶହ ଶହ ସଂଖ୍ୟା ଜଳୁଛି ଜୁଇ। ଶଶ୍ମାନ ଆଜି ଶହଶହ ଜୁଇରେ ରୁନ୍ଧି ହୋଇଯାଉଛି। ମୃତଦେହ ସତ୍କାର ପାଇଁ ଜାଗା ନ ଥିବାରୁ ଏବେ ରାସ୍ତାକଡ଼ ଓ ପାର୍କରେ କରାଯାଉଛି ଶବ ସତ୍କାର। କୋରୋନା କାଳରେ ପୂର୍ବରୁ ଅନେକ ଦାରୁଣ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ଶେଷକୃତ୍ୟ ପାଇଁ ଶବକୁ ଜାଗାଟିଏ ନ ମିଳିବା ଚିନ୍ତାର ବିଷୟ ପାଲଟିଛି। ଏପରି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦେଖିବାକୁ ମିଳିଛି। କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ସ୍ଥାନୀୟ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଛି। ପାତେପାଣି ଗାଁର ଜଣେ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହେବା ପରେ ପ୍ରଶାସନ ମୃତଦେହକୁ ସତ୍କାର ପାଇଁ ଗାଁ ଶ୍ମଶାନକୁ ନେଇଥିଲା। ସେଠାରେ ଗ୍ରାମବାସୀମାନେ ବିରୋଧ କରିବା ପରେ ପ୍ରଶାସନ ମୃତଦେହକୁ ଅନ୍ୟତ୍ର ନେଇ ସତ୍କାର କରିବାକୁ ଚେଷ୍ଟା କରୁଥିବା ବେଳେ ଆଉ ଏକ ଗ୍ରାମର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏପରିକି ୪/୫ଟି ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇଥିଲା ପ୍ରଶାସନ। ଦିନ ସାରା ବୁଲିବା ପରେ ସତ୍କାର ହୋଇ ନ ପାରିବାରୁ ପୁଣି ମୃତଦେହକୁ ଧରି ଡାକ୍ତରଖାନା ଫେରିଥିଲା ପ୍ରଶାସନ।

ଘାତକ ହେଉଛି ମେ’
ଜଙ୍ଗଲ ନିଆଁ ଭଳି ମାଡ଼ି ଚାଲିଛି କୋରୋନା ସଂକ୍ରମଣ। ଏପ୍ରିଲ୍‌ ପରେ ଏବେ ପ୍ରାଣଘାତୀ ସାଜିଛି ମେ’। କୋରୋନାର ଲେଉଟାଣି କୋପରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା। ତଥ୍ୟ କହୁଛି, ସାରା ଦେଶରେ କୋଭିଡ୍ ଆଁରେ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମୋଟ୍ ୨ ଲକ୍ଷ ୩୦ ହଜାର ୧୬୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ ଏପ୍ରିଲ୍‌ରେ ପ୍ରାଣ ହରାଇଛନ୍ତି ୪୦ ହଜାର ଉପରେ। ସେହିପରି ମେ’ ୫ ଦିନ ଭିତରେ ମଧ୍ୟ ୨୧,୮୩୮ ଜଣଙ୍କର ପ୍ରାଣ ଯାଇଛି। ମହାମାରୀ ମୃତ୍ୟୁର ଜୋରଦାର୍‌ ତାଣ୍ଡବ ଚାଲିଛି ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଓ ତାମିଲନାଡୁରେ। ଯେଉଁ ଏପ୍ରିଲ୍‌ ପହିଲାରେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ ଥିଲା, ହଠାତ୍ ଗ୍ରାଫ୍ ଉପର ମୁହାଁ ହୋଇଛି। ଏପ୍ରିଲ୍‌ ୧୩ରେ ୧୦୨୬ ଓ ୨୦ ତାରିଖରେ ଦୁଇ ହଜାର ପାର୍ କରିଥିଲା ଦୈନିକ ମୃତ୍ୟୁ ସଂଖ୍ୟା। ଆଉ ଏହା ଏବେ ୪ ହଜାର ମୁହାଁ ହୋଇଛି। ଯାହାକି ଗଭୀର ଚିନ୍ତାର ବିଷୟ। ଓଡ଼ିଶାରେ ବି କୋରୋନାର ଦ୍ୱିତୀୟ ଲହରୀ କାଳରେ ମୃତ୍ୟୁରେ ରେକର୍ଡ କରୁଛି ମେ’। ଏପ୍ରିଲ୍‌ ମାସରେ ମୋଟ ୧୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’ ମାସର ମାତ୍ର ୬ ଦିନରେ ୭୮ ଜଣଙ୍କ ଜୀବନ ନେଲାଣି କୋରୋନା।

ମହାମାରୀରେ ମହାସଙ୍କଟ
ସେପଟେ କୋରୋନା ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ ଅକ୍ସିଜେନ୍‌, ରେମଡେସିଭରି ଭଳି ଜରୁରୀ ଇଞ୍ଜେକସନ୍‌ ଓ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ। କୋରୋନାର ଦ୍ୱିତୀୟ ଲହରୀରେ ଅଧିକାଂଶ ରୋଗୀ ଅକ୍ସିଜେନ୍‌ ଅଭାବରୁ ମରି ଚାଲିଛନ୍ତି। ଆଜିର ଦିନରେ ଅକ୍ସିଜେନ୍‌ ଅଭାବର ବିକଳ ଚିତ୍ର ସମସ୍ତଙ୍କୁ ଆତଙ୍କିତ କରିଛି। ଏବେ ଟଙ୍କା ଦେଇ ନିଶ୍ୱାସ କିଣିବାକୁ ପଡ଼ୁଛି। ମେଡିକାଲକୁ ଆସି ବେଡ୍ ନ ମିଳିବାରୁ ନିରାଶ ହୋଇ ଏ ଦୁଆର ସେ ଦୁଆର ହେଉଛନ୍ତି। ହେଲେ କେହି ପଚାରୁ ନାହାନ୍ତି। ମେଡିକାଲ ବାହାରେ ରୋଗୀ ନିଜ ପ୍ରାଣ ହରାଉଥିବା ମଧ୍ୟ ନଜିର ରହିଛି। ଏସବୁ ଭିତରେ ମୃତ୍ୟୁ ସଞ୍ଜୀବନୀ କୁହାଯାଉଥିବା ଟିକାର ଦେଖା ଦେଇଛି ଘୋର ଅଭାବ। ଯାହା ଫଳରେ ସମଗ୍ର ଦେଶରେ ବାଧାପ୍ରାପ୍ତ ହୋଇଛି ଟିକାକରଣ। ବନ୍ଦ ହୋଇଯାଇଛି ବିଭିନ୍ନ ଟିକାକେନ୍ଦ୍ର। ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିମାନେ ଦ୍ବିତୀୟ ଡୋଜ୍‌ ନ ପାଇ ଅସନ୍ତୋଷ ଝାଡ଼ୁଛନ୍ତି। ଅନ୍ୟପକ୍ଷରେ ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ଘୋଷଣା ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ତାହା ଆରମ୍ଭ ହୋଇପାରିନାହିଁ। ସରକାରଙ୍କ ଅପାରଗତା ଓ ପ୍ରଶାସନିକ ବିଫଳତା ଯୋଗୁ ନାହିଁ ନାହିଁରେ ଭୁଶୁଡ଼ି ପଡ଼ିଛି ତମାମ ବ୍ୟବସ୍ଥା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ