ଭେଙ୍କାବୟଜ: ଭେଙ୍କଟେଶ, ଜବଗଲ, ମନିନ୍ଦର ଓ ସବାଙ୍କ ବୟ ବ୍ୟାଣ୍ଡ

ରାହୁଲ ଦ୍ରାବିଡ଼ ଓ ଜ୍ୟାକି ଶ୍ରଫଙ୍କ ପରେ ଏବେ ଚର୍ଚ୍ଚାରେ ଏହି ୪ ତାରକା କ୍ରିକେଟର

ଭେଙ୍କାବୟଜ ଜବଗଲ ଶ୍ରୀନାଥ, ମନିନ୍ଦର ସିଂ, ସବା କରିମ ଓ ଭେଙ୍କଟେଶ ପ୍ରସାଦ
ସୃଜନଶୀଳତାର କୌଣସି ସୀମା ସରହଦ ନାହିଁ। ଆଉ ଏଥି ସହିତ ଲୋକଙ୍କ ପସନ୍ଦର ତାରକା ଯୋଡ଼ି ହୋଇଗଲେ ଏହାର ଗୁରୁତ୍ବ ବେଶ ବଢ଼ିଯାଏ। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି ଆମ କ୍ରିକେଟ ଓ ବଲିଉଡ ଜଗତର ସେଲିବ୍ରିଟିଙ୍କ କ୍ଷେତ୍ରରେ। କ୍ରେଡିଟ କାର୍ଡ ‘କ୍ରେଡ’ ଶାନ୍ତ ଓ ଭଦ୍ର କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କୁ ‘ଇନ୍ଦିରାନଗରର ଗୁଣ୍ଡା’ ଓ ବଲିଉଡର ଆକ୍ସନ ହିରୋ ଜ୍ୟାକି ଶ୍ରଫଙ୍କୁ ‘ଜୁମ୍ବା ପ୍ରଶିକ୍ଷକ’ ଭାବେ ଉତାରିବା ପରେ ଏବେ ବିଗତ ଦିନର ଲୋକପ୍ରିୟ କ୍ରିକେଟର ଭେଙ୍କଟେଶ ପ୍ରସାଦ, ଜବଗଲ ଶ୍ରୀନାଥ, ମନିନ୍ଦର ସିଂ ଓ ସବା କରିମଙ୍କ ଉପରେ ଆଖି ପକାଇଛି। ଫଳରେ ଜନ୍ମନେଇଛି ‘ଭେଙ୍କାବୟଜ’। ପ୍ରସାଦ, ଶ୍ରୀନାଥ, ସିଂ ଓ କରିମଙ୍କ ଏହି ବୟ ବ୍ୟାଣ୍ଡର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସ୍ବଳ୍ପ ସମୟ ମଧ୍ୟରେ ଏହାକୁ ଏକ ନିୟୁତରୁ ଊର୍ଦ୍ଧ୍ବ ଲୋକ ଦେଖିସାରିଲେଣି। ‘କ୍ରେଡ’ର ‘ଗ୍ରେଟ ଫର ଦ ଗୁଡ’ ଶୀର୍ଷକର ଏହି ବିଜ୍ଞାପନ ସିରିଜର ପ୍ରତ୍ୟେକଟି ବିଜ୍ଞାପନ ଦର୍ଶକଙ୍କ ମନ ମୋହିବାରେ ଲାଗିଛି।

କ୍ରେଡର ଏହି ଅଭିଯାନର ବିଶେଷତ୍ବ ହେଉଛି, ଲୋକପ୍ରିୟ ତାରକାଙ୍କୁ ଭିନ୍ନ ଅବତାରରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରାଇବା। ଅନୁରୂପ ଭାବେ ଏହାର ସଦ୍ୟତମ ସଂସ୍କରଣରେ ଅଶୀ ଓ ନବେ ଦଶକର ଲୋକପ୍ରିୟ କ୍ରିକେଟର ପ୍ରସାଦ, ଶ୍ରୀନାଥ, ସିଂ ଓ କରିମଙ୍କୁ ଏକବାରେ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏକ ମିନିଟ ଅବଧିର ଏହି ଭିଡିଓ କ୍ଲିପରେ ସେମାନେ ‘ଭେଙ୍କାବୟଜ’ ବୟ ବ୍ୟାଣ୍ଡର ସଦସ୍ୟ ରୂପେ ନଜର ଆସୁଛନ୍ତି। ଧୋବ ଫରଫର ପୋଷାକ ପିନ୍ଧି ସେମାନେ ଏକ ମନଛୁଆଁ ଗୀତ ପରିବେଷଣ କରୁଛନ୍ତି। ଏହି ଗୀତର ପଙକ୍ତିରେ ରହିଛି ‘ତୁମେ ଯଦି ଆଜିର ଆଧୁନିକ ପିଢ଼ି ମଧ୍ୟରୁ ଜଣେ, ହୁଏତ ମୋତେ ଜାଣି ନ ଥିବ। ଯାଅ ଏବଂ ତୁମ ବାପାଙ୍କୁ ପଚାର (ଇଫ ୟୁ ଆର ୱାନ ଅଫ ଦୋଜ ଜେନ ଜେଡ, ୟୁ ମାଇଟ ନଟ ନୋ ମି, ଜଷ୍ଟ ଗୋ ଆଣ୍ଡ ଆସ୍କ ୟୋର ଡାଡି)।’ ଏଥିସହ ସେମାନେ ଆହୁରି ଗାଉଛନ୍ତି, ‘ଆମକୁ ଟି-୨୦ ଲାଗି ଭୁଲିଯାଅ ନାହିଁ। ନବେ ଦଶକରେ ଆମେ ଥିଲୁ ଅରିଜିନାଲ ଗ୍ୟାଙ୍ଗଷ୍ଟର (ଡୋଣ୍ଟ ଫରଗେଟ ଅସ ବିକସ ଅଫ ଟି ଟେଣ୍ଟି ଇନ ଦ ନାଇନଟିଜ ୱି ଓୟାର ଅରିଜିନାଲ ଗ୍ୟାଙ୍ଗଷ୍ଟରସ)।’

ଟ୍ବିଟରରେ ଏହି ଭିଡିଓ କ୍ଲିପ ଶେୟାର କରି ଭେଙ୍କଟେଶ ପ୍ରସାଦ ଲେଖିଛନ୍ତି, ମିଟ ଦ ଭେଙ୍କାବୟଜ। ଏହି ଭିଡିଓ କ୍ଲିପକୁ ୧.୫ ନିୟୁତରୁ ଊର୍ଦ୍ଧ୍ବ ଭିଉଜ ଓ ଶତାଧିକ ପ୍ରତିକ୍ରିୟା ମଧ୍ୟ ମିଳିସାରିଲାଣି। ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନସ ଦଳର ଅଧିନାୟକ ରୋହିତ ଶର୍ମା ୨୦୦୭ରୁ ୨୦୦୯ ମଧ୍ୟରେ ଭାରତର ବୋଲିଂ କୋଚ ଥିବା ଭେଙ୍କଟେଶଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ପଡ଼ିଆରେ ଆପଣ କୋଚିଂ ଦେଉଥବାଠୁ ଆରମ୍ଭ କରି ଏବେ ଷ୍ଟାଡିଅମକୁ ଯିବା ଯାଏ ଆପଣଙ୍କୁ ଶୁଣି ଆସିଛି। ଭେଙ୍କି ଭାଇ... ଏହା ଏକ ଲମ୍ବା ଯାତ୍ରା। ସେହିପରି ଅଭିନେତା ବିଜୟ ବର୍ମା ଏହାକୁ ଭରପୂର ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ ଏପ୍ରିଲ ମଧ୍ୟଭାଗରେ ରାହୁଲ ଦ୍ରାବିଡ଼ ଏହି ବ୍ୟାଣ୍ଡର ଏକ ବିଜ୍ଞାପନରେ ନଜର ଆସିବା ପରେ ଏହା ଇଣ୍ଟରନେଟରେ ବେଶ ଭାଇରାଲ ହୋଇଥିଲା। ଏଥିରେ ଭଦ୍ର ଓ ନମ୍ର କ୍ରିକେଟର ଦ୍ରାବିଡ଼ଙ୍କୁ ବେଙ୍ଗାଳୁରୁ ଟ୍ରାଫିକରେ ଫସିବା ପରେ ଆଙ୍ଗ୍ରି ଅବତାରରେ ଦେଖିବାକୁ ମିଳିଥିଲା। ତାଙ୍କ ପରେ ଜ୍ୟାକି ଶ୍ରଫଙ୍କ ଜୁମ୍ବା ଅବଦାର ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏହିକ୍ରମରେ ଏବେ ଭେଙ୍କାବୟଜଙ୍କ ପାଳି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ