କୋରୋନା କାଳରେ ରହିବା ପାଇଁ ସବୁଠୁ ଶ୍ରେଷ୍ଠ ଦେଶ


ସ୍ବାଭାବିକ ହେଉଛି ସିଙ୍ଗାପୁରର ଜନଜୀବନ
ଭାରତ ସମେତ ବିଶ୍ବର ଅନେକ ଦେଶରେ କୋଭିଡ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ି ଚାଲିଛି। ଏହି ମହାମାରୀ ସମୟରେ ଏସିଆର ଏକ ଛୋଟ ଦ୍ବୀପ ଦେଶ ବିଶ୍ବର ସବୁଠୁ ସୁରକ୍ଷିତ ଦେଶ ଭାବେ ସାମ୍ନାକୁ ଆସିଛି।

ବ୍ଲୁମବର୍ଗର ଏକ ରିପୋର୍ଟରେ ସିଙ୍ଗାପୁର ନ୍ୟୁଜିଲାଣ୍ଡକୁ ପଛରେ ପକାଇ ବିଶ୍ବର ସବୁଠୁ ସୁରକ୍ଷିତ ସ୍ଥାନ ଭାବେ ପ୍ରଥମ ସ୍ଥାନରେ ପହଞ୍ଚିଛି। କିଛି ମାସ ତଳେ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ରହିଥିଲା। ଏହି ତାଲିକା ଅନେକ ଗୁଡ଼ିଏ ମାପଦଣ୍ଡ ଆଧାରରେ ତିଆରି କରାଯାଇଛି। କୋଭିଡ ସଂକ୍ରମଣ ଠାରୁ ଆରମ୍ଭ କରି ସ୍ବାଧୀନ ଭାବେ ବୁଲାବୁଲି କରିବା ଯାଏ ବିଭିନ୍ନ ମାପକରୁ ନିର୍ଣ୍ଣୟ କରାଯାଇଛି। ରିପୋର୍ଟ ଅନୁଯାୟୀ ସିଙ୍ଗାପୁରରେ ଟିକାକରଣ ଏହାକୁ ପ୍ରଥମ ସ୍ଥାନରେ ପହଞ୍ଚାଇବାର ମାନ୍ୟତା ଦେଇଛି। ଅପରପକ୍ଷରେ ନ୍ୟୁଜିଲାଣ୍ଡରେ ଟିକାକରଣ ଟିକେ ଧିମେଇ ଯାଇଛି।

ସାଧାରଣ ଜୀବନଚର୍ଯ୍ୟା
ସାମାନ୍ୟ କେତେକ ସତର୍କତାକୁ ଛାଡ଼ିଦେଲେ ଏଠାକାର ଜୀବନଯାତ୍ରା ବେଶ ସ୍ବାଭାବିକ। ବିଗତ କିଛି ଦିନ ତଳେ ସିଙ୍ଗାପୁରକୁ ଛୁଇଁଥିଲା କୋରୋନା। କିନ୍ତୁ ଏବେ ସଂକ୍ରମଣର ନୂଆ ମାମଲା ନାହିଁ। ଯେଉଁମାନେ ଆକ୍ରାନ୍ତ ଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ସୀମାରେ ସୁରକ୍ଷା କଡ଼ାକଡ଼ି ପାଳନ କରାଯାଇଛି। ଦେଶ ଭିତରକୁ ପ୍ରବେଶ କରୁଥିବା ସମସ୍ତ ଦ୍ରବ୍ୟ ଯାଞ୍ଚ କରାଯାଉଛି। ଗତବର୍ଷ ସିଙ୍ଗାପୁରରେ ଦୁଇ ମାସ ଲକଡାଉନ ଜାରି କରାଯାଇଥିଲା। ତା ପରଠାରୁ ଆଉ ଏଭଳି କଟକଣା କରାଯାଇ ନାହିଁ। ସିଙ୍ଗାପୁରବାସୀମାନେ ପରସ୍ପରକୁ ଭେଟି ପାରୁଛନ୍ତି। ବଜାରରେ କିଣାକିଣି କରିପାରୁଛନ୍ତି। ରେସ୍ତୋରାଁରେ ୮ରୁ ଅଧିକ ଲୋକ ଏକାଠି ବସି ଖାଇପାରୁଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଖାଦ୍ୟ ଖାଇବା ବେଳେ ଓ କସରତ କରିବା ବେଳେ ମାସ୍କ ବାହାର କରାଯାଇ ପାରିବ। ଅଫିସ ଗୁଡ଼ିକ ଏବେ ସ୍ବାଭାବିକ ହୋଇଛି। ଶପିଂମଲ ଓ ସିନେମାଘର ଖୋଲିଯାଇଛି। ମାସ୍କ ଏବଂ କଣ୍ଟାକ୍ଟ ଟ୍ରେସିଂ ଆପ ରହିଥିବା ଜରୁରୀ କରାଯାଇଛି। ସ୍କୁଲ ଗୁଡ଼ିକ ଖୋଲିଯାଇଛି ଏବଂ ସପ୍ତାହାନ୍ତ ଛୁଟିରେ ପିଲାଙ୍କୁ ନେଇ ବୁଲାବୁଲିରେ ଅଭିଭାବକମାନେ ଯାଇପାରୁଛନ୍ତି।

୧୫ ପ୍ରତିଶତ ଜନଗଣଙ୍କୁ ଟିକାକରଣ
ପାଖାପାଖି ୧୫ ପ୍ରତିଶତ ଜନତାଙ୍କୁ ଟିକାର ପୂରା ଡୋଜ ମିଳିସାରିଛି। ସିଙ୍ଗାପୁରରେ ୬୦ ଲକ୍ଷ ଲୋକ। ସରକାରଙ୍କ ଟିକାଦାନ କରାଇବାରେ ଭରସା ପ୍ରମୁଖ ଭୂମିକା ନିର୍ବାହ କରାଇଛି। ସିଙ୍ଗାପୁରବାସୀ ବିଶ୍ବର ସବୁଠୁ ସୁରକ୍ଷିତ ଅଞ୍ଚଳରେ ଥିବା ଅନୁଭବ କରିଛନ୍ତି।

ସିଙ୍ଗାପୁରରେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇଛି। ନୂଆ ନୂଆ କାମରେ ନିୟୋଜିତ ହେବା ପୂର୍ବରୁ ଆର୍ଥିକ ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି। ସେପଟେ ସିଙ୍ଗାପୁର ସରକାର କୋରୋନା ପରବର୍ତ୍ତୀ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକ ସହ ଅଧିକ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ